ପୋଲିସ ପରିଚୟ ଦେଇ ଠକେଇ, କମିଶନ ଲୋଭ ଦେଖାଇ ଲଗାଉଥିଲେ ଚୂନ

କଟକ: ଠକେଇର ଶିକାର ହେଲେ ପୋଲିସ୍ କର୍ମଚାରୀ । ନକଲି ପୋଲିସ ସାଜି ଲଗାଇଲ ଚୂନ । କମିଶନ ଲୋଭରେ ପଡ଼ି ହରାଇଲେ ଟଙ୍କା । ୪ ଜଣ ଠକଙ୍କୁ ବାନ୍ଧିଲା କଟକ ମଙ୍ଗଳାବାଗ ପୋଲିସ୍ । ଏକ ଲକ୍ଷ ୫୦୦ ଟଙ୍କିଆ ଦେଲେ ୧୦୦ ଓ ୨୦୦ ଟଙ୍କିଆ ଲକ୍ଷେ କୋଡିଏ ହଜାର ପାଇବ । ଏକଥରକେ ୨୦ ପ୍ରତିଶତ କମିଶନ । ଏପରି ଲୋଭ ଦେଖାଇ ସରକାରୀ ଚାକିରିଆ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ । କଟକ ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ ମାନସ ବାରିକ ଠକେଇର ଶିକାର ହେବା ପରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ପୋଲିସ ଗ୍ୟାଙ୍ଗର ମୁଖ୍ୟ  ଅଭିଯୁକ୍ତ ସରୋଜ କାନ୍ତ ଜେନା ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪ ଭରି ସୁନା, ୧ ଲକ୍ଷ ୩୨ ହଜାର ନଗଦ ଟଙ୍କା ସହ ଏକ କାର ଜବତ କରିଛି । ତେବେ ଗ୍ୟାଙ୍ଗର ଦୁଇଜଣ ସଦସ୍ୟ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ଠକେଇ ମାମଲା ରହିଛି । ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସରୋଜ ନିଜକୁ ସ୍ପେଶାଲ ସ୍କ୍ବାଡ ପୋଲିସ ପରିଚୟ ଦେଇ ଠକେଇ ପାଇଁ ଲୋକ ଯୋଗାଡ଼ କରୁଥିଲା । ଅନ୍ୟ ଅଭିଯୁକ୍ତ ରାଜେଶ ଖୁଣ୍ଟିଆ, ସୁଶାନ୍ତ ସେଠୀ, ମନୋଜ ପଟ୍ଟନାୟକ ଓ ୨ ଫେରାର ଥିବା ସଦସ୍ୟ କାରବାରକୁ କାର୍ଯ୍ୟକାରୀ କରୁଥିଲେ । ଲୋକ ଅଧିକ ଟଙ୍କା ପାଇବା ଲୋଭ ଦେଖାଇ ଏକ ସୁରକ୍ଷିତ ସ୍ଥାନକୁ ଡକାଇ ପ୍ରଥମେ ଟଙ୍କା ନେଉଥିଲେ । ପରେ ପୋଲିସ ଆସୁଥିବା ଡର ଦେଖାଇ ଏକ କଳା ବ୍ୟାଗରେ କାଗଜବିଡାରେ କିଛି ୧୦୦, ୨୦୦ ଟଙ୍କିଆ ଲଗାଇ ତାଙ୍କୁ ଧରାଇଦେଇ ଚମ୍ପଟ ମାରୁଥିଲେ । ଏକ କାରବାର ପାଇଁ ମସୁଧା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ୍ । ଏପରି ଲୋଭରେ ବସବର୍ତ୍ତି ନହୋଇ ଘଟଣା ନଜର ଆସିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦେଇଛି ପୋଲିସ୍ ।