ଖୋଲିବ ରାଜ୍ୟର ପ୍ରଥମ ହାଇଟେକ୍‌ ଆହାର କେନ୍ଦ୍ର, ୫ କୋଟି ଟଙ୍କାରେ ସୌନ୍ଦର୍ଯ୍ୟକରଣ କରୁଛି CMC

1 min read

କଟକ: ଖୋଲିବ ପ୍ରଥମ ହାଇଟେକ ଆହାର କେନ୍ଦ୍ର । କଟକ ନେତାଜୀ ବସ୍ ଟର୍ମିନାଲରେ ଅତ୍ୟାଧୁନିକ କେନ୍ଦ୍ର । ଶୀତତାପ ନିୟନ୍ତ୍ରିତ କେନ୍ଦ୍ରରେ ମିଳିବ ଭୋଜନ । ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ । କଟକ ନେତାଜୀ ବସ୍ ଟର୍ମିନାଲରେ ଖୋଲିବାକୁ ଯାଉଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଆହାର କେନ୍ଦ୍ର । ଶୀତତାପ ନିୟନ୍ତ୍ରିତ ଏହି ବିଲ୍ଡିଙ୍ଗରେ ଏକାସାଙ୍ଗରେ ଦେଢ ଶହରୁ ଦୁଇଶହ ଲୋକ ବସି ଖାଇବାର ବ୍ୟବସ୍ଥା କରାଯାଇଛି । ତାରକା ହୋଟେଲ ଢାଞ୍ଚାରେ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ଖାଲି ସେତିକି ନୁହେଁ ଖବରକାଗଜ, ପତ୍ରିକା ପଢିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ବ୍ୟବସ୍ଥା ଫୁଲ୍ ଅଟୋମେଟିକ୍ କରାଯାଇଛି । କଟକ ମହାନଗର ନିଗମ ପକ୍ଷରୁ ୫ କୋଟି ଟଙ୍କା ବ୍ୟୟରେ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହାକୁ ଯାତ୍ରୀମାନେ ସ୍ୱାଗତ କରିଥିବବେଳେ କଟକର ମାଆ ତାରିଣୀ SHG କୁ ଦାୟିତ୍ୱ ଦେଇଛି CMC ।

କିଛିଦିତ ତଳେ ଇନଷ୍ଟାଗ୍ରାମରେ ଏହାର ଫଟୋ ସେୟାର କରିଥିଲେ 5T ସଚିବ । ତେବେ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାହାର ରାସ୍ତା କାମ କରାଯାଉଛି । ଖୁବଶୀଘ୍ର ଏହାର ଉଦଘାଟନ ହେବ । ସହରର ବାଦାମବାଡ଼ି, ବଡ଼ ଡାକ୍ତରଖାନା, ସିଟି ହସ୍ପିଟାଲ, ଶିଶୁ ଭବନ, ଜଗତପୁର, ମାଲଗୋଦାମ ଆଦି ଅଞ୍ଚଳଗୁଡିକରେ ଆହାର କେନ୍ଦ୍ର ପରିଚାଳିତ ହେଉଛି । ତେବେ ବସଷ୍ଟାଣ୍ଡ ନିକଟରେ ଏହି ଅତ୍ୟାଧୁନିକ ଆହାର କେନ୍ଦ୍ରରେ ଗୋଟିଏ ସ୍ଥାନରେ ଲୋକେ ଆହାର ଯୋଜନାରେ ଭାତ, ଡାଲମା, ଆଚାର ଖାଇବା ସହିତ କାଫେରୁ ଖାଦ୍ୟ କିଣିବାର ସୁବିଧା ପାଇପାରିବେ । ସୁନ୍ଦର ଆଲୋକ ସହ ଦାମୀ ଚୌକି, ଟେବୁଲ, ବେସିନ, ମାଗଣା ଓ୍ୱାଇଫାଇ ସୁବିଧା ମିଳିବ । ଲୋକଙ୍କ ମନୋରଞ୍ଚନ ପାଇଁ ଦୁଇଟି ବଡ଼ LED ଡିସପ୍ଲେ ଲଗାଯାଇଛି । CNBT କାର୍ଯ୍ୟକ୍ଷମ ହେବାପରେ ଏଠାରେ ୧୮୦ଟି ବସର ରହିବା ବ୍ୟବସ୍ଥା କରାଯାଇଛି । ସମସ୍ତ ଯାତ୍ରୀ ଆରାମଦାୟକ ଯାତ୍ର ସହ ଆହାର କେନ୍ଦ୍ରରେ ବସି ଖାଇବାର ସୁଯୋଗ ପାଇବେ ।