କଳାହାଣ୍ଡିରେ ଖୁସିର ଲହରୀ, ଉତ୍କେଲା ବିମାନବନ୍ଦରରୁ ଖୁବଶୀଘ୍ର ଉଡ଼ିବ ବିମାନ

1 min read

କଳାହାଣ୍ଡି: ଆକାଶମାର୍ଗରେ ନୂଆ ଇତିହାସ ସୃଷ୍ଟି କରିବ କଳାହାଣ୍ଡି । ବିଶ୍ଵ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇବ ଉତ୍କେଲା । କଳାହାଣ୍ଡିର ଉତ୍କେଲା ବିମାନବନ୍ଦରକୁ ମିଳିଛି ୨- ବି ଲାଇସେନ୍ସ । ଖୁବଶୀଘ୍ର ଉଡ଼ିବ ବିମାନ । ୧୯୬୨ ମସିହାରେ ସ୍ଥାପନ ହୋଇଥିଲା ଉତ୍କେଲା ଏୟାରଷ୍ଟ୍ରିପ୍‌ । ଏହା ୧୨ରୁ ୫୦ ସିଟ୍‌ ବିଶିଷ୍ଟ ଏୟାରକ୍ରାଫ୍ଟ ପାଇଁ ଉଦ୍ଦିଷ୍ଟ ଥିଲା । ୨୦୧୬-୧୭ରେ ଉଡ଼ାନ ଯୋଜନାରେ ଉତ୍କେଲା ବିମାନବନ୍ଦର ସାମିଲ ହେବା ପରେ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମେ ୩ କୋଟି ଟଙ୍କା ପ୍ରଦାନ କରିଥିଲେ । ଏଥିରେ ରନୱେ ନିର୍ମାଣ ସହ ପାରିପାର୍ଶ୍ବିକ ବିକାଶ କରାଯାଇଥିଲା । ପରେ ଆହୁରି ଅନୁଦାନରେ ଅଧିକ ଉନ୍ନତି ହୋଇଛି ।

୫୫ କୋଟି ଟଙ୍କାରେ ଉତ୍କେଲା ଏୟାରପୋର୍ଟ ସମ୍ପ୍ରସାରିତ ହୋଇଛି । ଗତ ମାସରେ ଡିଜିସିଆଇର ୪ ଜଣିଆ ଟିମ୍ ବିମାନ ବନ୍ଦରର ଟିକନିଖ୍‌ ଯାଞ୍ଚ କରି ସନ୍ତୋଷ ପ୍ରକାଶ କରିଥିଲେ। ସୋମବାର ଏୟାରପୋର୍ଟକୁ ୨-B ଲାଇସେନ୍ସ ମିଳିଛି  । ଏହି ବିମାନବନ୍ଦର କାର୍ଯ୍ୟକାରୀ ହେଲେ କଳାହାଣ୍ଡି ସହିତ ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାବାସୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିକ୍ଷେତ୍ରରେ ବୈପ୍ଲବିକ ବିକାଶ ହୋଇଥିବା ବେଳେ ଏବେ ଆକାଶମାର୍ଗରେ ଯୋଗାଯୋଗ ହୋଇପାରିବ ।