spot_img
Home Blog Page 2793

ଦିନପରେ ଦିନ ବିତୁଛି, ମିଳୁନି ମହାନଦୀରେ ବୁଡ଼ିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା

କଟକ: ବିତିଲାଣି ୩୬ ଘଣ୍ଟା । ହେଲେ ଏଯାଏ ମିଳିନି ମହାନଦୀରେ ବୁଡ଼ିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା । ଗତ ମଙ୍ଗଳବାର ଅରାହ୍ମରେ ମୁଣ୍ଡଳୀ ନିକଟ ମହାନଦୀରେ ବୁଡ଼ିଯାଇଥିଲେ କଟକର ଦୁଇ ଛାତ୍ର । ଆଦିତ୍ୟ ଅଭିଷେକ ମଲ୍ଲିକ, ଦେବତୂଲ୍ୟ ଚୌଧୁରୀଙ୍କୁ ଲଗାତାର ୩୬ଘଣ୍ଟାରୁ ଅଧିକ ସମୟ ଧରି ଖୋଜାଖୋଜି କରିବା ପରେ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନି।

ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି। ମହାନଦୀରେ ପାଣିର ସୁଅଥିବାରୁ ଉଭୟ ଦୂରକୁ ଭାସିଯାଇଥିବା ସନ୍ଦେହ କରାଯାଉଛି । ବିଭିନ୍ନ ସ୍ଥାନରେ ଦୁଇ ନାବାଳକଙ୍କୁ ଖୋଜାଖୋଜି କରାଯାଉଛି । ଏପଟେ ପିଲାଙ୍କୁ ନପାଇ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକ।

ମଙ୍ଗଳବାର ଅପରାହ୍ନରେ ଦୁଇ ନାବାଳକ ଛାତ୍ର ଅନ୍ୟ ୬ଜଣ ସାଙ୍ଗଙ୍କ ସହ ମହାନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଉଭୟଙ୍କର ଘର କଟକ ମଙ୍ଗଳାବାଗ ଓ ଦେଉଳସାହି ବୋଲି ଜଣାପଡ଼ିଛି ।

ଏସିଆନ ଚାମ୍ପିଆନ୍ସ ଟ୍ରଫି ହକି: ପାକିସ୍ତାନକୁ ଏକତରଫା ଭାବେ ହରାଇଲା ଭାରତ

ଚେନ୍ନାଇ: ଚେନ୍ନାଇରେ ପାକିସ୍ତାନକୁ ଏକତରଫା ଭାବେ ହରାଇଛି ଭାରତୀୟ ହକି ଟିମ୍ । ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଲିଗ୍‌ ମ୍ୟାଚରେ ଭାରତ ୪-୦ରେ ପାକିସ୍ତାନକୁ ପରାସ୍ତ କରିଛି । ଏଥିସହ ୧୩ ପଏଣ୍ଟ ପାଇ ଟେବୁଲ ଟପ୍‌ ସହ ସେମିରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଯୁଗରାଜ ସିଂ ଓ ଆକାଶଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଛନ୍ତି । ପାକିସ୍ତାନ ଏହି ମ୍ୟାଚ୍‌ରେ ଗୋଲ ଦେବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ଡିଫେଣ୍ଡରଙ୍କ ଆଗରେ ଦଳର କୌଣସି ରଣନୀତି କାମ କରିନି ।

ଆଜିର ମ୍ୟାଚରେ ଭାରତ ନିକଟରୁ ପରାଜୟ ପରେ ଦଳ ଏବେ ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଛି । ହାଇଭୋଲେଟଜ୍ ଭାରତ-ପାକ୍ ଲଢ଼େଇ ବେଶ ଦମଦାର ଢଙ୍ଗରେ ଆରମ୍ଭ ହୋଇଥିଲା । ପ୍ରଥମ କ୍ୱାର୍ଟରରୁ ହିଁ ଭାରତୀୟ ଟିମ୍ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା । ପ୍ରଥମ କ୍ବାଟରରେ ହରମନପ୍ରୀତ ସିଂହ ଗୋଲ ଦେଇ ୧-୦ରେ ଆଗୁଆ କରି ଦେଇଥିଲେ । ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ଭାରତର ଦବଦବା ଦେଖିବାକୁ ମିଳିଥିଲା । ଦ୍ବିତୀୟ ଗୋଲକୁ ମଧ୍ୟ ହରମନପ୍ରୀତ ସିଂହ ଦେଇଥିଲେ ।

ବଦଳିବ କେରଳର ନାଁ, କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ

ଥିରୁଅନନ୍ତପୁରମ୍: ବଦଳିବ କେରଳର ନାଁ । ଏନେଇ କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ବିନା ସଂଶୋଧନରେ ପାରିତ ହୋଇଛି । ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହେବା ପରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ ନାଁ ରଖିବାକୁ ଅନୁରୋଧ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେରଳକୁ ମାଲାୟଲମ ଭାଷାରେ କେରଲମ୍ କୁହାଯାଏ । ଭାଷା ଭିତ୍ତିକ ଏହି ରାଜ୍ୟ ୧୯୫୬ ନଭେମ୍ବର ୧ ତାରିଖରେ ସୃଷ୍ଟି ହୋଇଥିଲା । ଏହି ଦିନକୁ କେରଳ ଦିବସ ଭାବେ ପାଳନ କରାଯାଇଥାଏ । ସମ୍ବିଧାନରେ ଏହାର ନାମ କେରଳ ଲେଖା ଯାଇଛି । ତେଣୁ ଏହାର ନାମ ପରିବର୍ତ୍ତନ କରାଯାଇ କେରଳମ୍ ରହିବ । ସିଏମ ବିଜୟନ ବିଧାନସଭାରେ ଧାରା ୧୧୮ ଅନୁସାରେ ଏହି ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମଧ୍ୟ ସହମତି ପ୍ରକାଶ କରିଛି । ଶେଷରେ ବିଧାନସଭା ଅଧ୍ୟକ୍ଷ ଏଏନ ସମଶୀର ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଥିବା ଘୋଷଣା କରିଥିଲେ । ଏହାପରେ କେନ୍ଦ୍ର ସରକାରଙ୍କୁ ରାଜ୍ୟର ନାଁ ବଦଳାଇବା ପାଇଁ ନିବେଦନ କରାଯାଇଛି । ସମସ୍ତ ଆଧିକାରିକ ଦସ୍ତାବିଜ ତଥା ସମ୍ବିଧାନର ତୃତୀୟ ସୂଚୀରେ କେରଳର ନାଁ ବଦଳାଇ କେରଲମ କରିବାକୁ ଆଗ୍ରହ ପ୍ରକାଶ କରାଯାଇଛି ।

ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀଗୃହର ପରିବେଶ, ୧୬ ଜିଲ୍ଲାର ୬ ହଜାର ପ୍ରାଥମିକ ସ୍କୁଲ ହେବ ଅତ୍ୟାଧୁନିକ

ଭୁବନେଶ୍ୱର: ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲର ପରିବେଶ ବଦଳିବ । ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ, ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି । ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି ।

ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି । ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ/ଥାକ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ । ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶରେ ଅତ୍ୟନ୍ତ ସହାୟକ ହେବ ।

ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ଶିକ୍ଷା । ଏହି ମୂଳଦୁଆ ଉପରେ ଭବିଷ୍ୟତର ଉଚ୍ଚ ଶିକ୍ଷା ଗଢ଼ି ଉଠିଥାଏ । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରଚଳନର ଉଦ୍ଦେଶ୍ୟ ହେଉଛି ଏହି ମୂଳଦୁଆକୁ ମଜଭୁତ କରିବା । ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ ହୋଇପାରିବେ ସେଥଥିପ୍ରତି ଲକ୍ଷ୍ୟ ସ୍ଥିର ହୋଇଛି । ଲକ୍ଷ୍ୟ ହାସଲ ପାଇଁ ସ୍ଵତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତି, ଚିତ୍ତାକର୍ଷକ ଶିକ୍ଷଣ ସାମଗ୍ରୀ, ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀ ଇତ୍ୟାଦି ପର୍ଯ୍ୟାୟକ୍ରମ ବିକାଶ କରାଯାଇଛି ।

ଜିଲ୍ଲାରେ ଛାତ୍ରଛାତ୍ରୀ ଅନୁକୂଳ ଶ୍ରେଣୀଗୃହ ନିର୍ମାଣ ପୂର୍ବରୁ ପାଇଲଟ୍‌ ପ୍ରକଳ୍ପ ଭାବେ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗ୍ରହଣ କରାଯାଇଥିଲା । ଏହି ପ୍ରାଥମିକ ବିଦ୍ୟାଳୟରେ ବିକାଶିତ ହୋଇଥିବା ଶ୍ରେଣୀଗୃହକୁ ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ପରିଦର୍ଶନ କରି ତାଲିମ ନେଇଛନ୍ତି । ଏହି ବିଦ୍ୟାଳୟରେ ସମସ୍ତ ସୁବିଧା ସୁଯୋଗ କରିବା ପରେ ଛାତ୍ରଛାତ୍ରୀଙ୍କ ଭିତରେ ଆକାଂକ୍ଷିତ ଶୈକ୍ଷିକ ବିକାଶ ହେଉଥିବା ଲକ୍ଷ୍ୟ କରାଯାଇଛି । ପରେ ସମାନ ଢାଞ୍ଚାରେ ଶ୍ରେଣୀଗୃହ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି । ସମସ୍ତ ୧୬ଟି ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ଏସଏଲଏନ୍ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତ ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

କେମିତି ଥିଲା ପ୍ରାଚୀନ ଜନଜାତିଙ୍କ ଭାଷା, ଓଡ଼ିଶାରେ ଜାତୀୟ ଜାନଜାତି ଲେଖକ ସମ୍ମିଳନୀ

ଭୁବନେଶ୍ୱର: ଜନଜାତିଙ୍କ ଜୀବନ ଜୀବୀକା । ଜନଜାତିଙ୍କ ଚାଲିଚଳଣି । କେମିତି ଥିଲା ପ୍ରାଚୀନ ଜନଜାତିଙ୍କ ଭାଷା ? ସାହିତ୍ୟ, ସଂସ୍କୃତି ଓ ପରମ୍ପରା କେମିତି ଥିଲା ? କେଉଁ ଆଦିବାସୀ କେଉଁ ଭାଷାରେ କଥା ହେଉଥିଲେ ? ସେ ସବୁ ଭାଷାଲିପି ମହଜୁଦ୍ ଅଛି ତ ? ଯଦି ନାହିଁ ତେବେ ଆଗାମୀ ପିଢି କିଭଳି ନିଜର ଭାଷା ଜାଣିପାରିବେ ? ଏସବୁ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ସୋଆ ପ୍ରାଚୀନ ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ କର୍ମଶାଳା । ଏହି କର୍ମଶାଳାରେ ୪୯ଟି ଜନଜାତି ଭାଷା ପାଇଁ କାର୍ଯ୍ୟକରୁଥିବା ୭୦ ଜଣ ବିଶିଷ୍ଟ ଲେଖକ ଯୋଗ ଦେଇଛନ୍ତି । ସମସ୍ତ ପ୍ରତିନିଧି ନିଜ ନିଜ ଜନଜାତିର ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରା ଉପରେ ବକ୍ତବ୍ୟ ରଖିବେ । ଆଧୁନିକତାରେ ଦିନକୁ ଦିନ ହଜିଯାଉଥିବା ପ୍ରଚୀନ ଜନଜାତିଙ୍କ ଭାଷାକୁ ଉଜ୍ଜୀବିତ କରିବା ସହ ସଂରକ୍ଷଣ କରି ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ସୋଆ ପ୍ରାଚୀନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ସୋଆ ପ୍ରାଚୀନ ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା । ଯାହା ଆଗାମୀ ପିଢିଙ୍କୁ ଜାଣିବା ପାଇଁ ଉତ୍ସାହିତ କରିବ ।

ଓଡ଼ିଶାରେ ୬୨ଟି ଆଦିମ ଜନଜାତିଙ୍କ ବସତି ରହିଛି । କୋରାପୁଟ ଜିଲ୍ଲାରେ ସର୍ବାଧିକ ଜନଜାତି ରହିଛନ୍ତି । ସମସ୍ତଙ୍କର ଭାଷା, ସାହିତ୍ୟ ଏବଂ ସଂସ୍କୃତି ଭିନ୍ନଭିନ୍ନ । ତେଣୁ ଓଡ଼ିଶାରେ ସ୍ବତନ୍ତ୍ର ଭାବରେ ସେଣ୍ଟର ଫର ଓରାଲ ଆଣ୍ଡ ଟ୍ରାଇବାଲ୍ ଅଫିସ ଖୋଲିଛି । ଏହା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ କେ ଶ୍ରୀନିବାସ ରାଓ । ଏହି କାର୍ଯ୍ୟାଳୟ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଭଳି ପଡୋଶୀ ରାଜ୍ୟରେ ଥିବା ଜନଜାତିଙ୍କ ପାଇଁ କାମ କରିବ । ତେବେ ଏଭଳି କର୍ମଶାଳା ଜନଜାତି ଲେଖକମାନଙ୍କୁ ବେଶ ଉତ୍ସାହିତ କରୁଛି ବୋଲି କହିଛନ୍ତି ଅରୁଣାଚଳ ଗୋଲୋ ଜନଜାତିଙ୍କ ପାଇଁ କାମ କରୁଥିବା ଲେଖିକା ଡକ୍ଟର ଜମିୟ ଜିନି । ଏବେ ବି ଗୋଲୋ ଜନଜାତି ରୋମାନ ଓ ହିନ୍ଦୀ ଭାଷାରେ ଲେଖୁଛନ୍ତି । ସେମାନଙ୍କର ସ୍କ୍ରିପ୍ଟ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଜିନି । ତେଣୁ ଗୋଲୋରେ ଲେଖିବା ସମ୍ଭବ ହେଉନାହିଁ । ସରକାରଙ୍କ ଫୋକସ ହେଲେ ପୁଣି ଫେରିବ ଭାଷା ଲିପି । ପୂର୍ବ ପୁରୁଷ ଯେଉଁ ଭାଷା କହୁଥିଲେ ସେଗୁଡିକର ପୁନରୁଦ୍ଧାର ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଜିନି ।

ଏହି କର୍ମଶାଳାରେ ଗୌରାଙ୍ଗ ଚରଣ ଦାଶଙ୍କ ଦ୍ବାରା ଗଦ୍ୟରୂପାନ୍ତର ହୋଇଥିବା ସାରୋଳଦାସ ମହାଭାରତ ଆଦିପର୍ବ ପୁସ୍ତକକୁ ଲୋକାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର (ଡ.) ଜଗନ୍ନାଥ ଦାଶ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ଓଡ଼ିଆ ଆଡଭାଇଜରୀ ବୋର୍ଡ ଆବାହକ ଡକ୍ଟର ଗୌରହରି ଦାସ, ସାହିତ୍ୟ ଏକାଡେମୀ ସାନ୍ତାଳୀ ଆଡଭାଇଜରୀ ବୋର୍ଡ ଆବାହକ ଚୈତନ୍ୟ ପ୍ରସାଦ ମାଝି, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବରେ ସୋଆର ଅଧ୍ୟକ୍ଷ ପ୍ରଫେସର ମନୋଜ ରଂଜନ ନାଏକ, ଡ. ହରେକୃଷ୍ଣ ଶତପଥୀ, ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସୋଆ ବିଶ୍ବବିଦ୍ୟାଳୟର ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ଦିନରେ ଲେଖକମାନଙ୍କ ଦ୍ବାରା ପ୍ୟାନେଲ ବିତର୍କ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଜନଜାତିଙ୍କ ଜୀବିକାରେ ଆସିବ ସ୍ଥାୟିତ୍ବ, ଜଙ୍ଗଲ ଜମି ଉପରେ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାର ହେବ ସୁନିଶ୍ଟିତ

ଭୁବନେଶ୍ୱର: ଏଣିକି ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାର ସୁନିଶ୍ଟିତ ହେବ । ଜନଜାତିମାନଙ୍କ ଜୀବିକାରେ ଆସିବ ସ୍ଥାୟିତ୍ବ । ଜନଜାତିଙ୍କ ବିକାଶରେ ସୃଷ୍ଟି ହେବ ନୂଆ ମାଇଲଷ୍ଟୋନ । ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରି ଏହି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ । ଏହାସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡିକୁ ଏହି ଯୋଜନା ସହିତ ଯୋଡି ଜନଜାତି ମାନଙ୍କ ଜୀବିକାରେ ସ୍ଥାୟିତ୍ବ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସର୍ଭେ ହୋଇ ନ ଥିବା ଜଙ୍ଗଲ ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ । ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ପାଖରେ ପହଞ୍ଚିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବଞ୍ଚିତ ନ ହେବ, ତାକୁ ସୁନିଶ୍ଟିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ଜଙ୍ଗଲ ସଂପଦର ନିରନ୍ତର ବିକାଶ ଦିଗରେ ଜନଜାତିମାନଙ୍କର ଅବଦାନକୁ ସ୍ବୀକୃତି ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ।

ଜଳବାୟୁ ପରିବର୍ତ୍ତନ ଓ ଜନଜାତିମାନଙ୍କ ଅର୍ଥନୀତି ଓ ଜୀବିକାରେ ସ୍ଥାୟିତ୍ବ ଆଣିବାରେ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଙ୍ଗଲ ଜମି ଅଧିକାର ପ୍ରଦାନରେ ଓଡିଶା ଏକ ଆଗୁଆ ରାଜ୍ୟ । ଏପର୍ଯ୍ୟନ୍ତ ୪ ଲକ୍ଷ ୫୦ ହଜାର ଜନଜାତି ଓ ବନବାସୀ ପରିବାରକୁ ଜଙ୍ଗଲ ଜମି ଉପରେ ସତ୍ତ୍ବ ପ୍ରଦାନ କରାଯାଇଛି । ସେହିପରି ୪ ହଜାରରୁ ଅଧିକ ଗ୍ରାମସଭାକୁ ଗୋଷ୍ଠୀ ଅଧିକାର ଦିଆଯାଇଛି  । ଏହାସହିତ ସର୍ଭେ ହୋଇ ନଥିବା ଜଙ୍ଗଲ ଗାଁ ଗୁଡିକୁ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି । ୨୦୦୦ ମସିହାରେ ସରକାରର ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ପଞ୍ଚାୟତମାନଙ୍କୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଅଧିକାର ପ୍ରଦାନ ।

ଆଜି ଏ ଦିଗରେ ଅନେକ କାମ ହୋଇଛି । ଜନଜାତିମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ମଧ୍ୟ ଅର୍ଜନ କରିପାରିଛନ୍ତି । ଏହି ଅବସରରେ ମୟୂରଭଞ୍ଜର କପୁର ମାର୍ଣ୍ଡି, କନ୍ଧମାଳର ନରେନ୍ଦ୍ର ମଲ୍ଲିକ ଓ ରାୟଗଡାର ସୁରେଶ ଚନ୍ଦ୍ର ୱାଡାକା ପ୍ରମୁଖ ୩ ଜଣ ହିତାଧିକାରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀଙ୍କ ପାଇଁ ପ୍ରଶ୍ନ, ସାମଗ୍ରିକ ବିକାଶ ଲାଗି କ’ଣ ପଦକ୍ଷେପ ନେଇଛି କେନ୍ଦ୍ର ?

ନୂଆଦିଲ୍ଲୀ: ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀ ବା ପିଭିଟିଜିଙ୍କ ସାମଗ୍ରିକ ବିକାଶ ଲାଗି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ବିଭିନ୍ନ ପଦକ୍ଷେପ ନେଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ବିଭିନ୍ନ ଆଦିବାସୀ ଗୋଷ୍ଠୀ । ମନ୍ତ୍ରାଳୟ ପକ୍ଷରୁ ପିଭିଟିଜିଙ୍କ ବିକାଶ ଲାଗି ବିଶେଷ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ । ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀଙ୍କୁ ସହାୟତା ଲାଗି କୌଣସି ନୀତି ରହିଛି କି ? ଏଥିଲାଗି ପାଣ୍ଠିର ସବିଶେଷ ବିବରଣୀ ସମ୍ପର୍କରେ ଉଲ୍ଲେଖ କରିବା ସଂକ୍ରାନ୍ତ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ପ୍ରଶାନ୍ତ ନନ୍ଦ ଓ ସୁଲତା ଦେଓଙ୍କ କେତେକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଟୁଡୁ କହିଛନ୍ତି- ପିଭିଟିଜିଙ୍କ ସାମଗ୍ରିକ ସାମାଜିକ ଅର୍ଥନୈତିକ ବିକାଶ ଓ କଲ୍ୟାଣ ନିମନ୍ତେ ଧ୍ୟାନ ଦିଆଯାଉଛି ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି । ଶିକ୍ଷା, ଗୃହ ନିର୍ମାଣ, ଜମି ବିକାଶ, କୃଷି ବିକାଶ, ପ୍ରାଣୀ ସମ୍ପଦ, ଲିଙ୍କ୍ ରୋଡ୍ ନିର୍ମାଣ, ଆଲୋକ ଲାଗି ଅଣପାରମ୍ପରିକ ଶକ୍ତି ଉତ୍ସ ପ୍ରତିଷ୍ଠା, ସଂସ୍କୃତି ଓ ପାରମ୍ପରିକତାର ସଂରକ୍ଷଣ ସଂକ୍ରାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପ୍ରସ୍ତାବ ଅନୁସାରେ ଚିହ୍ନଟ ହୋଇଥିବା ୭୫ଟି ପିଭିଟିଜି ଗୋଷ୍ଠୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି ।

ଏହା ସହ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଏସଟି ଛାତ୍ରଛାତ୍ରୀଙ୍କ ଲାଗି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଯୋଜନା ବା ଇଏମଆରଏସ କାର୍ଯ୍ୟକାରୀ ହୋଇଛି । ପିଭିଟିଜି ଛାତ୍ରଛାତ୍ରୀଙ୍କ ଲାଗି ଇଏମଆରଏସରେ ୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ସେହିପରି ନ୍ୟାସନାଲ ଫେଲୋସିପରେ ପିଭିଟିଜି ଛାତ୍ରଛାତ୍ରୀଙ୍କ ଲାଗି ୭୫୦ ସ୍ଲଟରୁ ୨୫ଟି ସ୍ଲଟ ସଂରକ୍ଷିତ ରହିଛି । ପିଭିଟିଜି ବର୍ଗଙ୍କ ସାମାଜିକ ଅର୍ଥନୈତିକ ଅବସ୍ଥାର ଉନ୍ନତି ଲାଗି ୨୦୨୩-୨୪ ବଜେଟରେ ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିଶନ ଘୋଷିତ ହୋଇଛି । ଏଥିରେ ସେମାନଙ୍କ ଗୃହ, ସ୍ବଚ୍ଛ ପାନୀୟ ଜଳ, ପରିମଳ, ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ, ସଡକ, ଟେଲିକମ୍ ଯୋଗାଯୋଗ, ସହନଶୀଳ ଜୀବନ ବିକାଶ ସମ୍ଭବ ହେବ ।

ରାହୁଲଙ୍କ ଭାଷଣ ପରେ ଜବାବ ଦେଲେ ଅମିତ ଶାହ, ପରିବାରବାଦ ଓ ତୁଷ୍ଟିକରଣର ରାଜନୀତି କରେ କଂଗ୍ରେସ

ନୂଆଦିଲ୍ଲୀ: ମଣିପୁର ହିଂସା ଆଜିର ନୁହେଁ, ଏହା ପଛରେ ଷଡ଼ଯନ୍ତ୍ରକୁ ବୁଝିବାର ଆବଶ୍ୟକତା ରହିଛି । ଗତ ୫ ବର୍ଷ ଭିତରେ ମଣିପୁରରେ ହିଂସା ଅନେକ ମାତ୍ରାରେ ନିୟନ୍ତ୍ରଣରେ ଥିଲା । କିନ୍ତୁ ଗୋଟିଏ ସାମାନ୍ୟ ଘଟଣାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । କିନ୍ତୁ ବିରୋଧୀ ଏହାକୁ ନେଇ ରାଜନୀତି କରିବାକୁ ପଛାଇ ନାହାନ୍ତି । ସଂସଦରେ ରାହୁଲ ଗାନ୍ଧୀଙ୍କ ବିତର୍କ ପରେ ଏପରି ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯାହାକୁ ସଂସଦରେ ବିରୋଧୀ ହୋହଲ୍ଲା କରିବା ସହ କେନ୍ଦ୍ର ସରକାର ନିଜ ଦୋଷକୁ ବିରୋଧୀଙ୍କ ଉପରେ ଲଦିବାକୁ ଚେଷ୍ଟା କରୁଛନ୍ତି । ମଣିପୁରରେ ହିଂସା ହେବା ପରଠାରୁ ସମାଧାନ ପାଇଁ ଅନେକ ପ୍ରୟାସ କରାଯାଇଛି । ସ୍ବାଧୀନତା ପରଠାରୁ ମଣିପୁରରେ ହିଂସା ହୋଇଥିବା ବେଳେ କେବେ ବି ପ୍ରଧାନମନ୍ତ୍ରୀ ଗୃହରେ ବୟାନ ଦେଇନାହାନ୍ତି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି ଗୃହ ଠପ୍‌ କରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ ।

ଦେଶର ଉତ୍ତରପୂର୍ବ ଅଞ୍ଚଳକୁ କେନ୍ଦ୍ର ସରକାର ସବୁବେଳେ ଫୋକସରେ ରଖିଛନ୍ତି ବୋଲି ଅମିତ ଶାହ କହିଛନ୍ତି । ମଣିପୁର ଭିଡିଓ ଭାଇରାଲ ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ଅମିତ ଶାହ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କୁ କାହିଁକି ହଟାଗଲା ନାହିଁ ବୋଲି ପ୍ରଶ୍ନରେ ଅମିତ ଶାହ କହିଛନ୍ତି ଯେ, ରାଜ୍ୟ ସରକାର ଶାନ୍ତି ପାଇଁ ଅନେକ ପ୍ରୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସେତେବେଳେ ହଟାଯାଏ ଯେତେବେଳେ ରାଜ୍ୟ ସରକାର ବିଫଳ ହୁଅନ୍ତି । କିନ୍ତୁ ବିରେନ ସିଂ ଅନବରତ ପ୍ରୟାସ କରୁଛନ୍ତି । ଦେଶରେ ଗତ ୯ ବର୍ଷରେ ଅନେକ ବିକାଶ କରିଛନ୍ତି ସରକାର । ଜାମ୍ମୁ କାଶ୍ମୀରରେ ଆତଙ୍କୀ ଗତିବିଧିଠୁ ଆରମ୍ଭ କରି ଦେଶର ବିଭିନ୍ନ ଅଞ୍ଚଳରେ ଥିବା ନକ୍ସଲ ହିଂସାକୁ ବନ୍ଦ କରାଯାଇପାରିଛି । ଓଡ଼ିଶା ଆଜି ମାଓ ଉପଦ୍ରବ ମୁକ୍ତ ହୋଇପାରିଛି । ଦେଶର ଜନତା କେନ୍ଦ୍ର ସରକାରଙ୍କ ଉପରେ ଭରସା ରଖିଥିବା ବେଳେ ବିରୋଧୀଙ୍କ ମଧ୍ୟରେ ଏହି ଭରସା ନାହିଁ । ଏହି ଅନାସ୍ଥା ପ୍ରସ୍ତାବ ଲୋକଙ୍କ ମଧ୍ୟରେ ଭ୍ରମ ଧାରଣା ସୃଷ୍ଟି କରିବା ପାଇଁ ଅଣାଯାଇଛି । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କାମ କରୁଛନ୍ତି ବିରୋଧୀ । କରୋନା ସମୟରେ ସରକାରଙ୍କ ସୁଚିନ୍ତିତ ଯୋଜନା ଯୋଗୁଁ କରୋନାକୁ ଆମେ ସଫଳ ମୁକାବିଲା କରିପାରିଲେ ବୋଲି ଅମିତ ଶାହ କହିଛନ୍ତି । ଟିକାକରଣରେ ମଧ୍ୟ ସଫଳତା ମିଳିଛି ।

ବନ୍ଧୁକ କାରବାର ରୋକିବାକୁ କମିଶନରେଟ ପୋଲିସର ବ୍ଲୁ ପ୍ରିଣ୍ଟ, ବେଆଇନ ବନ୍ଧୁକ ଧରିଲେ ଏନକାଉଣ୍ଟର ନିର୍ଦ୍ଦେଶ

ଭୁବନେଶ୍ୱର: ବେଆଇନ ବନ୍ଧୁକ ଧରିଲେ ଏନକାଉଣ୍ଟର ନିର୍ଦ୍ଦେଶ । ହତିଆର ଜବାବ୍ ଗୁଳିରେ ଦେବ ଟିମ୍ ପ୍ରତୀକ । କ୍ରାଇମ ମିଟିଂରେ କାର୍ବାଇନ କାରବାର ନେଇ ଚର୍ଚ୍ଚ । ବନ୍ଧୁକ ଚାଲାଣ ରୋକିବା ପାଇଁ ଖୁବଶୀଘ୍ର ସ୍ପେଶାଲ ଅପରେସନ । ଅତ୍ୟାଧୁନିକ ୯ MM କାର୍ବାଇନ, ଅଟୋମେଟିକ ବନ୍ଧୁକ ଓ ମାଗାଜିନ । ଖଣି ମୋରମ ଲୁଟ, ଗୋ ଚାଲାଣ, ହତ୍ୟା, ଅପହରଣ ସହ ଜଡିତ ୪ କୁଖ୍ୟାତ ଅପରାଧୀଙ୍କଠାରୁ ଏଭଳି ମାରଣାସ୍ତ୍ର ଜବତ କରିଛି ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ । ମାଫିଆ ପ୍ରକାଶ ରାଉତରାୟର ଘର, କ୍ରସର ୟୁନିଟ, ଫାର୍ମ ହାଉସରେ ଚଢ଼ାଉ କରି ନଗଦ ୧୯ ଲକ୍ଷ ଟଙ୍କା ଜବତ କରାଯାଇଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ନିଷିଦ୍ଧ କାର୍ବାଇନ ଅପରାଧୀଙ୍କ ହାତକୁ ଆସୁଛି କେଉଁଠୁ ? ନୟାଗଡ଼ ଅସ୍ତ୍ରାଗାର ଲୁଟ ବେଳର ଏହି ବନ୍ଧୁକ ନୁହେଁ ତ ? ବନ୍ଧୁକରେ କୌଣସି ମାର୍କ ନଥିବା ବେଳେ SFSlର ରିପୋର୍ଟ ସତ ପଦାକୁ ଆଣିପାରିବ ବୋଲି କହିଛନ୍ତି ଡିସିପି ।

ବନ୍ଧୁକ ଡିଲରେ ଲଗାମ ଲଗାଇବା ପାଇଁ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା ଅପରେସନ ବ୍ଲାକ ସ୍ମୋକ୍ । କୁଇକ ଆକ୍ସନ ଟିମ୍ ଏହାର ତଦନ୍ତ ଭାର ନେବା ସହ ସେହିବର୍ଷ ୯୩ଟି ମାଉଜର ଓ ୨୪୯ଟି ଅଫୁଟା ଗୁଳି ଜବତ କରିଥିଲା । ୨୦୧୫ରେ ୧୧୩ଟି ମାମଲା ରୁଜୁ କରାଯିବା ସହ ୬୩ଟି ମାଉଜର ସହ ୧୬୨ଟି ଅଫୁଟା ଗୁଳି ଜବତ ହୋଇଥିଲା । ୨୦୧୬ରେ ୧୨୨ଟି ମାମଲା ରୁଜୁ ହେବା ସହ ୮୯ ଟି ମାଉଜର ଓ ୨୧୨ଟି ଅଫୁଟା ଗୁଳି ଜବତ ହୋଇଥିଲା । ତେବେ ୩ ବର୍ଷରେ ୩୭୮ ଜଣଙ୍କୁ ଗିରଫ କରି ଅପରାଧୀଙ୍କ ମନରେ ଛନକା ପୁରାଇଥିବା କ୍ୟୁଏଟିର ଏହି ଅପରେସନ ନୂଆ ରୂପରେ ଆରମ୍ଭ ହେବ ବୋଲି କମିଶନରେଟ ପୋଲିସ ସୂତ୍ରରୁ ଜଣାପଡ଼ିଛି । ଗିରଫ ୪ ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆ, ବଟ ପାଣି, ପ୍ରକାଶ ରାଉତରାୟ ଓ ଶିବ ନାଲିକୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଗ୍ୟାଙ୍ଗ ୱାର ଓ ଗନ ଡିଲ ସମ୍ପର୍କରେ ଖୋଳତାଡ଼ କରିବ ଟିମ୍ ପ୍ରତୀକ ।

ସାଇବର ଠକଙ୍କ ନୂଆ ଚାଲ କୋରିୟର ସ୍କାମ, ଭୁବନେଶ୍ବରର ଜଣେ ମହିଳା ଠକେଇର ହେଲେ ଶିକାର

ଭୁବନେଶ୍ୱର: ସାଇବର ଠକଙ୍କ ନୂଆ ଚାଲ କୋରିୟର ସ୍କାମ୍ । କ୍ରାଇମବ୍ରାଞ୍ଚ ନାଁରେ ଠକ କରୁଛି କଲ୍ । ପାର୍ସଲରେ ଆସିଛି ଡ୍ରଗ୍ସ । ମାମଲା ରଫା ଦଫା ପାଇଁ ଟଙ୍କା ଦରକାର । ଠକେଇର ଶିକାର ହେଲେ ମହିଳା । ଠକ ନେଇଗଲା ୮ ଲକ୍ଷ ଟଙ୍କା । ମହିଳା ଜଣଙ୍କ ଗିରଫ ଭୟରେ ୬ଟି ପର୍ଯ୍ୟାୟରେ ୮ ଲକ୍ଷ ଟଙ୍କା ଠକକୁ ଦେଇ ଦେଇଛନ୍ତି । ଠକେଇ ଶିକାର ହେବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ମହିଳା । ବର୍ତ୍ତମାନ ସୁଦ୍ଧା ସାଇବର ଥାନାରେ ୩ଟି ମାମଲା ରୁଜୁ ହୋଇଛି । ଏହାକୁ ନେଇ ଡିସିପି ଲୋକଙ୍କୁ ସଚେତନ କରିଛନ୍ତି  । ଏବେ ଠକମାନେ କୋରିୟର ନାଁରେ କଲ କରୁଛନ୍ତି । କଷ୍ଟମ କିମ୍ବା କୌଣସି ଜାଗାରେ ପାର୍ସଲ ଅଟକି ରହିଛି । ବେଆଇନ ପାର୍ସଲକୁ ପୋଲିସ ଜବତ କରିଛି । ପାର୍ସଲ ରିଲିଜ କରିବାକୁ ହେଲେ ଟଙ୍କା ପଠାଅ । ଲୋଙ୍କ ମାନେ ବି ଭୟରେ ବ୍ୟାଙ୍କ ଡିଟେଲ୍ସ ଦେଇ ଦେଉଛନ୍ତି । ଯାହା ଫଳରେ ଆକାଉଣ୍ଟ ଖାଲି ହୋଇ ଯାଉଛି । ଏଭଳି କଲ୍‌ ଆସିଲେ ଦୂରେଇ ରୁହନ୍ତୁ । ଯଦି ଠକେଇର ଶିକାର ହେଉଛନ୍ତି ତାହାହେଲେ ୧୯୩୦ ହେଲ୍ପ ଲାଇନକୁ କଲ କରି ଆକାଉଣ୍ଟ ବ୍ଳକ କରିବାକୁ ଡିସିପି ଅପିଲ କରିଛନ୍ତି ।

ଏବେ କୋରିୟର ନୁହେଁ ହୋଟେଲ ନାମରେ ଫେକ୍ ଓ୍ବେବସାଇଟ, ଟ୍ରାଭେଲ ଟୁର୍, ଇନଫରମେସନ, ଓଟିପି ସ୍କାମ୍, ନ୍ୟୁଡ୍‌ କଲ ଧରଣର ଠକେଇ ହେଉଛି । ଭୁବନେଶ୍ବରରେ ସାଇବର ଠକେଇ ଗ୍ରାଫ୍ ବଢୁଥିବାରୁ କ୍ରାଇମ୍ ରୋକିବା ନେଇ ଗତ ବର୍ଷ ସାଇବର ପାଠଶାଳା ଅଭିଯାନ କରିଛି ପୋଲିସ । ଏବେ ସୁଦ୍ଧା ୫୦ରୁ ଅଧିକ ବିଭିନ୍ନ ସ୍କୁଲ, କଲେଜରେ ସଚେତନତା କରିଛି ପୋଲିସ । ଆଜି ହାଇଟେକ୍ ମେଡିକାଲ କଲେଜରେ ପ୍ରାୟ ୭୦୦ ଜଣ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ନେଇ ସାଇବର ପାଠଶାଳା କରିଥିଲା ପୋଲିସ । ଚଳିତ ବର୍ଷ ୭ ମାସରେ ୧୦ କୋଟି ଟଙ୍କା ଠକେଇ ନେଇ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ହୋଇଛି । ପ୍ରାୟ ୫୦ ଲକ୍ଷ ଟଙ୍କା ଠକଙ୍କ ଠାରୁ ଫେରେଇ ଆଣିବା ବେଳେ ୮୦ ଲକ୍ଷ ଟଙ୍କା ବ୍ଳକ୍ କରିଛି ସାଇବର ଥାନା ପୋଲିସ ।