ରାହୁଲଙ୍କ ଭାଷଣ ପରେ ଜବାବ ଦେଲେ ଅମିତ ଶାହ, ପରିବାରବାଦ ଓ ତୁଷ୍ଟିକରଣର ରାଜନୀତି କରେ କଂଗ୍ରେସ

ନୂଆଦିଲ୍ଲୀ: ମଣିପୁର ହିଂସା ଆଜିର ନୁହେଁ, ଏହା ପଛରେ ଷଡ଼ଯନ୍ତ୍ରକୁ ବୁଝିବାର ଆବଶ୍ୟକତା ରହିଛି । ଗତ ୫ ବର୍ଷ ଭିତରେ ମଣିପୁରରେ ହିଂସା ଅନେକ ମାତ୍ରାରେ ନିୟନ୍ତ୍ରଣରେ ଥିଲା । କିନ୍ତୁ ଗୋଟିଏ ସାମାନ୍ୟ ଘଟଣାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । କିନ୍ତୁ ବିରୋଧୀ ଏହାକୁ ନେଇ ରାଜନୀତି କରିବାକୁ ପଛାଇ ନାହାନ୍ତି । ସଂସଦରେ ରାହୁଲ ଗାନ୍ଧୀଙ୍କ ବିତର୍କ ପରେ ଏପରି ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯାହାକୁ ସଂସଦରେ ବିରୋଧୀ ହୋହଲ୍ଲା କରିବା ସହ କେନ୍ଦ୍ର ସରକାର ନିଜ ଦୋଷକୁ ବିରୋଧୀଙ୍କ ଉପରେ ଲଦିବାକୁ ଚେଷ୍ଟା କରୁଛନ୍ତି । ମଣିପୁରରେ ହିଂସା ହେବା ପରଠାରୁ ସମାଧାନ ପାଇଁ ଅନେକ ପ୍ରୟାସ କରାଯାଇଛି । ସ୍ବାଧୀନତା ପରଠାରୁ ମଣିପୁରରେ ହିଂସା ହୋଇଥିବା ବେଳେ କେବେ ବି ପ୍ରଧାନମନ୍ତ୍ରୀ ଗୃହରେ ବୟାନ ଦେଇନାହାନ୍ତି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି ଗୃହ ଠପ୍‌ କରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ ।

ଦେଶର ଉତ୍ତରପୂର୍ବ ଅଞ୍ଚଳକୁ କେନ୍ଦ୍ର ସରକାର ସବୁବେଳେ ଫୋକସରେ ରଖିଛନ୍ତି ବୋଲି ଅମିତ ଶାହ କହିଛନ୍ତି । ମଣିପୁର ଭିଡିଓ ଭାଇରାଲ ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ଅମିତ ଶାହ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କୁ କାହିଁକି ହଟାଗଲା ନାହିଁ ବୋଲି ପ୍ରଶ୍ନରେ ଅମିତ ଶାହ କହିଛନ୍ତି ଯେ, ରାଜ୍ୟ ସରକାର ଶାନ୍ତି ପାଇଁ ଅନେକ ପ୍ରୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସେତେବେଳେ ହଟାଯାଏ ଯେତେବେଳେ ରାଜ୍ୟ ସରକାର ବିଫଳ ହୁଅନ୍ତି । କିନ୍ତୁ ବିରେନ ସିଂ ଅନବରତ ପ୍ରୟାସ କରୁଛନ୍ତି । ଦେଶରେ ଗତ ୯ ବର୍ଷରେ ଅନେକ ବିକାଶ କରିଛନ୍ତି ସରକାର । ଜାମ୍ମୁ କାଶ୍ମୀରରେ ଆତଙ୍କୀ ଗତିବିଧିଠୁ ଆରମ୍ଭ କରି ଦେଶର ବିଭିନ୍ନ ଅଞ୍ଚଳରେ ଥିବା ନକ୍ସଲ ହିଂସାକୁ ବନ୍ଦ କରାଯାଇପାରିଛି । ଓଡ଼ିଶା ଆଜି ମାଓ ଉପଦ୍ରବ ମୁକ୍ତ ହୋଇପାରିଛି । ଦେଶର ଜନତା କେନ୍ଦ୍ର ସରକାରଙ୍କ ଉପରେ ଭରସା ରଖିଥିବା ବେଳେ ବିରୋଧୀଙ୍କ ମଧ୍ୟରେ ଏହି ଭରସା ନାହିଁ । ଏହି ଅନାସ୍ଥା ପ୍ରସ୍ତାବ ଲୋକଙ୍କ ମଧ୍ୟରେ ଭ୍ରମ ଧାରଣା ସୃଷ୍ଟି କରିବା ପାଇଁ ଅଣାଯାଇଛି । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କାମ କରୁଛନ୍ତି ବିରୋଧୀ । କରୋନା ସମୟରେ ସରକାରଙ୍କ ସୁଚିନ୍ତିତ ଯୋଜନା ଯୋଗୁଁ କରୋନାକୁ ଆମେ ସଫଳ ମୁକାବିଲା କରିପାରିଲେ ବୋଲି ଅମିତ ଶାହ କହିଛନ୍ତି । ଟିକାକରଣରେ ମଧ୍ୟ ସଫଳତା ମିଳିଛି ।