ଜନଜାତିଙ୍କ ଜୀବିକାରେ ଆସିବ ସ୍ଥାୟିତ୍ବ, ଜଙ୍ଗଲ ଜମି ଉପରେ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାର ହେବ ସୁନିଶ୍ଟିତ

ଭୁବନେଶ୍ୱର: ଏଣିକି ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାର ସୁନିଶ୍ଟିତ ହେବ । ଜନଜାତିମାନଙ୍କ ଜୀବିକାରେ ଆସିବ ସ୍ଥାୟିତ୍ବ । ଜନଜାତିଙ୍କ ବିକାଶରେ ସୃଷ୍ଟି ହେବ ନୂଆ ମାଇଲଷ୍ଟୋନ । ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରି ଏହି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ । ଏହାସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡିକୁ ଏହି ଯୋଜନା ସହିତ ଯୋଡି ଜନଜାତି ମାନଙ୍କ ଜୀବିକାରେ ସ୍ଥାୟିତ୍ବ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସର୍ଭେ ହୋଇ ନ ଥିବା ଜଙ୍ଗଲ ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ । ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ପାଖରେ ପହଞ୍ଚିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବଞ୍ଚିତ ନ ହେବ, ତାକୁ ସୁନିଶ୍ଟିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ଜଙ୍ଗଲ ସଂପଦର ନିରନ୍ତର ବିକାଶ ଦିଗରେ ଜନଜାତିମାନଙ୍କର ଅବଦାନକୁ ସ୍ବୀକୃତି ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ।

ଜଳବାୟୁ ପରିବର୍ତ୍ତନ ଓ ଜନଜାତିମାନଙ୍କ ଅର୍ଥନୀତି ଓ ଜୀବିକାରେ ସ୍ଥାୟିତ୍ବ ଆଣିବାରେ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଙ୍ଗଲ ଜମି ଅଧିକାର ପ୍ରଦାନରେ ଓଡିଶା ଏକ ଆଗୁଆ ରାଜ୍ୟ । ଏପର୍ଯ୍ୟନ୍ତ ୪ ଲକ୍ଷ ୫୦ ହଜାର ଜନଜାତି ଓ ବନବାସୀ ପରିବାରକୁ ଜଙ୍ଗଲ ଜମି ଉପରେ ସତ୍ତ୍ବ ପ୍ରଦାନ କରାଯାଇଛି । ସେହିପରି ୪ ହଜାରରୁ ଅଧିକ ଗ୍ରାମସଭାକୁ ଗୋଷ୍ଠୀ ଅଧିକାର ଦିଆଯାଇଛି  । ଏହାସହିତ ସର୍ଭେ ହୋଇ ନଥିବା ଜଙ୍ଗଲ ଗାଁ ଗୁଡିକୁ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି । ୨୦୦୦ ମସିହାରେ ସରକାରର ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ପଞ୍ଚାୟତମାନଙ୍କୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଅଧିକାର ପ୍ରଦାନ ।

ଆଜି ଏ ଦିଗରେ ଅନେକ କାମ ହୋଇଛି । ଜନଜାତିମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ମଧ୍ୟ ଅର୍ଜନ କରିପାରିଛନ୍ତି । ଏହି ଅବସରରେ ମୟୂରଭଞ୍ଜର କପୁର ମାର୍ଣ୍ଡି, କନ୍ଧମାଳର ନରେନ୍ଦ୍ର ମଲ୍ଲିକ ଓ ରାୟଗଡାର ସୁରେଶ ଚନ୍ଦ୍ର ୱାଡାକା ପ୍ରମୁଖ ୩ ଜଣ ହିତାଧିକାରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।