ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀଙ୍କ ପାଇଁ ପ୍ରଶ୍ନ, ସାମଗ୍ରିକ ବିକାଶ ଲାଗି କ’ଣ ପଦକ୍ଷେପ ନେଇଛି କେନ୍ଦ୍ର ?

1 min read

ନୂଆଦିଲ୍ଲୀ: ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀ ବା ପିଭିଟିଜିଙ୍କ ସାମଗ୍ରିକ ବିକାଶ ଲାଗି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ବିଭିନ୍ନ ପଦକ୍ଷେପ ନେଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ବିଭିନ୍ନ ଆଦିବାସୀ ଗୋଷ୍ଠୀ । ମନ୍ତ୍ରାଳୟ ପକ୍ଷରୁ ପିଭିଟିଜିଙ୍କ ବିକାଶ ଲାଗି ବିଶେଷ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ । ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀଙ୍କୁ ସହାୟତା ଲାଗି କୌଣସି ନୀତି ରହିଛି କି ? ଏଥିଲାଗି ପାଣ୍ଠିର ସବିଶେଷ ବିବରଣୀ ସମ୍ପର୍କରେ ଉଲ୍ଲେଖ କରିବା ସଂକ୍ରାନ୍ତ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ପ୍ରଶାନ୍ତ ନନ୍ଦ ଓ ସୁଲତା ଦେଓଙ୍କ କେତେକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଟୁଡୁ କହିଛନ୍ତି- ପିଭିଟିଜିଙ୍କ ସାମଗ୍ରିକ ସାମାଜିକ ଅର୍ଥନୈତିକ ବିକାଶ ଓ କଲ୍ୟାଣ ନିମନ୍ତେ ଧ୍ୟାନ ଦିଆଯାଉଛି ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି । ଶିକ୍ଷା, ଗୃହ ନିର୍ମାଣ, ଜମି ବିକାଶ, କୃଷି ବିକାଶ, ପ୍ରାଣୀ ସମ୍ପଦ, ଲିଙ୍କ୍ ରୋଡ୍ ନିର୍ମାଣ, ଆଲୋକ ଲାଗି ଅଣପାରମ୍ପରିକ ଶକ୍ତି ଉତ୍ସ ପ୍ରତିଷ୍ଠା, ସଂସ୍କୃତି ଓ ପାରମ୍ପରିକତାର ସଂରକ୍ଷଣ ସଂକ୍ରାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପ୍ରସ୍ତାବ ଅନୁସାରେ ଚିହ୍ନଟ ହୋଇଥିବା ୭୫ଟି ପିଭିଟିଜି ଗୋଷ୍ଠୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି ।

ଏହା ସହ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଏସଟି ଛାତ୍ରଛାତ୍ରୀଙ୍କ ଲାଗି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଯୋଜନା ବା ଇଏମଆରଏସ କାର୍ଯ୍ୟକାରୀ ହୋଇଛି । ପିଭିଟିଜି ଛାତ୍ରଛାତ୍ରୀଙ୍କ ଲାଗି ଇଏମଆରଏସରେ ୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ସେହିପରି ନ୍ୟାସନାଲ ଫେଲୋସିପରେ ପିଭିଟିଜି ଛାତ୍ରଛାତ୍ରୀଙ୍କ ଲାଗି ୭୫୦ ସ୍ଲଟରୁ ୨୫ଟି ସ୍ଲଟ ସଂରକ୍ଷିତ ରହିଛି । ପିଭିଟିଜି ବର୍ଗଙ୍କ ସାମାଜିକ ଅର୍ଥନୈତିକ ଅବସ୍ଥାର ଉନ୍ନତି ଲାଗି ୨୦୨୩-୨୪ ବଜେଟରେ ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିଶନ ଘୋଷିତ ହୋଇଛି । ଏଥିରେ ସେମାନଙ୍କ ଗୃହ, ସ୍ବଚ୍ଛ ପାନୀୟ ଜଳ, ପରିମଳ, ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ, ସଡକ, ଟେଲିକମ୍ ଯୋଗାଯୋଗ, ସହନଶୀଳ ଜୀବନ ବିକାଶ ସମ୍ଭବ ହେବ ।