ବନ୍ଧୁକ କାରବାର ରୋକିବାକୁ କମିଶନରେଟ ପୋଲିସର ବ୍ଲୁ ପ୍ରିଣ୍ଟ, ବେଆଇନ ବନ୍ଧୁକ ଧରିଲେ ଏନକାଉଣ୍ଟର ନିର୍ଦ୍ଦେଶ

1 min read

ଭୁବନେଶ୍ୱର: ବେଆଇନ ବନ୍ଧୁକ ଧରିଲେ ଏନକାଉଣ୍ଟର ନିର୍ଦ୍ଦେଶ । ହତିଆର ଜବାବ୍ ଗୁଳିରେ ଦେବ ଟିମ୍ ପ୍ରତୀକ । କ୍ରାଇମ ମିଟିଂରେ କାର୍ବାଇନ କାରବାର ନେଇ ଚର୍ଚ୍ଚ । ବନ୍ଧୁକ ଚାଲାଣ ରୋକିବା ପାଇଁ ଖୁବଶୀଘ୍ର ସ୍ପେଶାଲ ଅପରେସନ । ଅତ୍ୟାଧୁନିକ ୯ MM କାର୍ବାଇନ, ଅଟୋମେଟିକ ବନ୍ଧୁକ ଓ ମାଗାଜିନ । ଖଣି ମୋରମ ଲୁଟ, ଗୋ ଚାଲାଣ, ହତ୍ୟା, ଅପହରଣ ସହ ଜଡିତ ୪ କୁଖ୍ୟାତ ଅପରାଧୀଙ୍କଠାରୁ ଏଭଳି ମାରଣାସ୍ତ୍ର ଜବତ କରିଛି ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ । ମାଫିଆ ପ୍ରକାଶ ରାଉତରାୟର ଘର, କ୍ରସର ୟୁନିଟ, ଫାର୍ମ ହାଉସରେ ଚଢ଼ାଉ କରି ନଗଦ ୧୯ ଲକ୍ଷ ଟଙ୍କା ଜବତ କରାଯାଇଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ନିଷିଦ୍ଧ କାର୍ବାଇନ ଅପରାଧୀଙ୍କ ହାତକୁ ଆସୁଛି କେଉଁଠୁ ? ନୟାଗଡ଼ ଅସ୍ତ୍ରାଗାର ଲୁଟ ବେଳର ଏହି ବନ୍ଧୁକ ନୁହେଁ ତ ? ବନ୍ଧୁକରେ କୌଣସି ମାର୍କ ନଥିବା ବେଳେ SFSlର ରିପୋର୍ଟ ସତ ପଦାକୁ ଆଣିପାରିବ ବୋଲି କହିଛନ୍ତି ଡିସିପି ।

ବନ୍ଧୁକ ଡିଲରେ ଲଗାମ ଲଗାଇବା ପାଇଁ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା ଅପରେସନ ବ୍ଲାକ ସ୍ମୋକ୍ । କୁଇକ ଆକ୍ସନ ଟିମ୍ ଏହାର ତଦନ୍ତ ଭାର ନେବା ସହ ସେହିବର୍ଷ ୯୩ଟି ମାଉଜର ଓ ୨୪୯ଟି ଅଫୁଟା ଗୁଳି ଜବତ କରିଥିଲା । ୨୦୧୫ରେ ୧୧୩ଟି ମାମଲା ରୁଜୁ କରାଯିବା ସହ ୬୩ଟି ମାଉଜର ସହ ୧୬୨ଟି ଅଫୁଟା ଗୁଳି ଜବତ ହୋଇଥିଲା । ୨୦୧୬ରେ ୧୨୨ଟି ମାମଲା ରୁଜୁ ହେବା ସହ ୮୯ ଟି ମାଉଜର ଓ ୨୧୨ଟି ଅଫୁଟା ଗୁଳି ଜବତ ହୋଇଥିଲା । ତେବେ ୩ ବର୍ଷରେ ୩୭୮ ଜଣଙ୍କୁ ଗିରଫ କରି ଅପରାଧୀଙ୍କ ମନରେ ଛନକା ପୁରାଇଥିବା କ୍ୟୁଏଟିର ଏହି ଅପରେସନ ନୂଆ ରୂପରେ ଆରମ୍ଭ ହେବ ବୋଲି କମିଶନରେଟ ପୋଲିସ ସୂତ୍ରରୁ ଜଣାପଡ଼ିଛି । ଗିରଫ ୪ ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆ, ବଟ ପାଣି, ପ୍ରକାଶ ରାଉତରାୟ ଓ ଶିବ ନାଲିକୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଗ୍ୟାଙ୍ଗ ୱାର ଓ ଗନ ଡିଲ ସମ୍ପର୍କରେ ଖୋଳତାଡ଼ କରିବ ଟିମ୍ ପ୍ରତୀକ ।