କେମିତି ଥିଲା ପ୍ରାଚୀନ ଜନଜାତିଙ୍କ ଭାଷା, ଓଡ଼ିଶାରେ ଜାତୀୟ ଜାନଜାତି ଲେଖକ ସମ୍ମିଳନୀ

ଭୁବନେଶ୍ୱର: ଜନଜାତିଙ୍କ ଜୀବନ ଜୀବୀକା । ଜନଜାତିଙ୍କ ଚାଲିଚଳଣି । କେମିତି ଥିଲା ପ୍ରାଚୀନ ଜନଜାତିଙ୍କ ଭାଷା ? ସାହିତ୍ୟ, ସଂସ୍କୃତି ଓ ପରମ୍ପରା କେମିତି ଥିଲା ? କେଉଁ ଆଦିବାସୀ କେଉଁ ଭାଷାରେ କଥା ହେଉଥିଲେ ? ସେ ସବୁ ଭାଷାଲିପି ମହଜୁଦ୍ ଅଛି ତ ? ଯଦି ନାହିଁ ତେବେ ଆଗାମୀ ପିଢି କିଭଳି ନିଜର ଭାଷା ଜାଣିପାରିବେ ? ଏସବୁ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ସୋଆ ପ୍ରାଚୀନ ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ କର୍ମଶାଳା । ଏହି କର୍ମଶାଳାରେ ୪୯ଟି ଜନଜାତି ଭାଷା ପାଇଁ କାର୍ଯ୍ୟକରୁଥିବା ୭୦ ଜଣ ବିଶିଷ୍ଟ ଲେଖକ ଯୋଗ ଦେଇଛନ୍ତି । ସମସ୍ତ ପ୍ରତିନିଧି ନିଜ ନିଜ ଜନଜାତିର ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରା ଉପରେ ବକ୍ତବ୍ୟ ରଖିବେ । ଆଧୁନିକତାରେ ଦିନକୁ ଦିନ ହଜିଯାଉଥିବା ପ୍ରଚୀନ ଜନଜାତିଙ୍କ ଭାଷାକୁ ଉଜ୍ଜୀବିତ କରିବା ସହ ସଂରକ୍ଷଣ କରି ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ସୋଆ ପ୍ରାଚୀନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ସୋଆ ପ୍ରାଚୀନ ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା । ଯାହା ଆଗାମୀ ପିଢିଙ୍କୁ ଜାଣିବା ପାଇଁ ଉତ୍ସାହିତ କରିବ ।

ଓଡ଼ିଶାରେ ୬୨ଟି ଆଦିମ ଜନଜାତିଙ୍କ ବସତି ରହିଛି । କୋରାପୁଟ ଜିଲ୍ଲାରେ ସର୍ବାଧିକ ଜନଜାତି ରହିଛନ୍ତି । ସମସ୍ତଙ୍କର ଭାଷା, ସାହିତ୍ୟ ଏବଂ ସଂସ୍କୃତି ଭିନ୍ନଭିନ୍ନ । ତେଣୁ ଓଡ଼ିଶାରେ ସ୍ବତନ୍ତ୍ର ଭାବରେ ସେଣ୍ଟର ଫର ଓରାଲ ଆଣ୍ଡ ଟ୍ରାଇବାଲ୍ ଅଫିସ ଖୋଲିଛି । ଏହା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ କେ ଶ୍ରୀନିବାସ ରାଓ । ଏହି କାର୍ଯ୍ୟାଳୟ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଭଳି ପଡୋଶୀ ରାଜ୍ୟରେ ଥିବା ଜନଜାତିଙ୍କ ପାଇଁ କାମ କରିବ । ତେବେ ଏଭଳି କର୍ମଶାଳା ଜନଜାତି ଲେଖକମାନଙ୍କୁ ବେଶ ଉତ୍ସାହିତ କରୁଛି ବୋଲି କହିଛନ୍ତି ଅରୁଣାଚଳ ଗୋଲୋ ଜନଜାତିଙ୍କ ପାଇଁ କାମ କରୁଥିବା ଲେଖିକା ଡକ୍ଟର ଜମିୟ ଜିନି । ଏବେ ବି ଗୋଲୋ ଜନଜାତି ରୋମାନ ଓ ହିନ୍ଦୀ ଭାଷାରେ ଲେଖୁଛନ୍ତି । ସେମାନଙ୍କର ସ୍କ୍ରିପ୍ଟ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଜିନି । ତେଣୁ ଗୋଲୋରେ ଲେଖିବା ସମ୍ଭବ ହେଉନାହିଁ । ସରକାରଙ୍କ ଫୋକସ ହେଲେ ପୁଣି ଫେରିବ ଭାଷା ଲିପି । ପୂର୍ବ ପୁରୁଷ ଯେଉଁ ଭାଷା କହୁଥିଲେ ସେଗୁଡିକର ପୁନରୁଦ୍ଧାର ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଜିନି ।

ଏହି କର୍ମଶାଳାରେ ଗୌରାଙ୍ଗ ଚରଣ ଦାଶଙ୍କ ଦ୍ବାରା ଗଦ୍ୟରୂପାନ୍ତର ହୋଇଥିବା ସାରୋଳଦାସ ମହାଭାରତ ଆଦିପର୍ବ ପୁସ୍ତକକୁ ଲୋକାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର (ଡ.) ଜଗନ୍ନାଥ ଦାଶ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ଓଡ଼ିଆ ଆଡଭାଇଜରୀ ବୋର୍ଡ ଆବାହକ ଡକ୍ଟର ଗୌରହରି ଦାସ, ସାହିତ୍ୟ ଏକାଡେମୀ ସାନ୍ତାଳୀ ଆଡଭାଇଜରୀ ବୋର୍ଡ ଆବାହକ ଚୈତନ୍ୟ ପ୍ରସାଦ ମାଝି, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବରେ ସୋଆର ଅଧ୍ୟକ୍ଷ ପ୍ରଫେସର ମନୋଜ ରଂଜନ ନାଏକ, ଡ. ହରେକୃଷ୍ଣ ଶତପଥୀ, ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସୋଆ ବିଶ୍ବବିଦ୍ୟାଳୟର ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ଦିନରେ ଲେଖକମାନଙ୍କ ଦ୍ବାରା ପ୍ୟାନେଲ ବିତର୍କ କାର୍ଯ୍ୟକ୍ରମ ମଧ୍ୟ ରହିଛି ।