ଭୁବନେଶ୍ବର: ବିଜେପି କର୍ପୋରେଟରଙ୍କ ଦାଦାଗିରି। ବିଏମସି ଅଧିକାରୀଙ୍କୁ ଦୁର୍ବ୍ୟବହାର, ଗାଳିଗୁଲଜ। ୨୯ ନମ୍ବର ଓ୍ବାର୍ଡରେ ଜନୈକ ବ୍ୟକ୍ତି ବିଏମସି ଜାଗାରେ ଟ୍ରକ ଟ୍ରକ ବାଲି, ଗୋଡି, ଇଟା, ଚିପ୍ସ ଗଦା କରି ବିକ୍ରି କରୁଥିଲେ। ଏନେଇ ଅଭିଯୋଗ ଆସିବା ପରେ ୨୯ ନମ୍ବର ଓ୍ବାର୍ଡ ଏସଆଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସିଜ୍ କରିବା ସହ ଫାଇନ୍ ପକାଇଥିଲେ। ଏହାକୁ ନେଇ ତମ୍ବିତୋଫାନ୍ କରିଥିଲେ ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ। ସେଠାରେ ପହଞ୍ଚି ବିଏମସି ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏପରିକି ପୂର୍ବରୁ ଫୋନ୍ ନକରି ଓ୍ବାର୍ଡରେ ପଶିଲେ ଗୋଡ଼େଇ ଗୋଡ଼େଇ ବାଡ଼େଇବେ ବୋଲି ଖୋଲା ଧମକ ବି ଦେଇଥିଲେ। ଭଲ କରି ଦେଖନ୍ତୁ ଏ ଭିଡିଓ । ଜଣେ ସରକାରୀ ଅଧିକାରୀଙ୍କୁ କେମିତି ଦୁର୍ବ୍ୟବହାର କରୁଛନ୍ତି ବିଜେପି କର୍ପୋରେଟର୍। ଏପରିକି ଅପରୂପ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ବିଏମସି ଜାଗାରେ ସାମଗ୍ରୀ ଗଦାଇବା ପାଇଁ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଛି। ତେବେ ପ୍ରଶ୍ନ, ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବାକୁ କେଉଁଠୁ ସାହସ ପାଇଲେ ଅପରୂପ। ଆଗରୁ ଅପରୂପଙ୍କ ନାଁରେ କଣ୍ଟ୍ରାକ୍ଟରଙ୍କୁ କାମ କରେଇ ନଦେବା, ବିଭିନ୍ନ ଜାଗାରୁ ବଟି ମାଗିବା, ମଦ ପିଇ ମାଡ଼ ମରି ଥାନାରେ ଭୁଲମାଗିବା ଭଳି ବିଭିନ୍ନ ଅଭିଯୋଗ ରହିଛି। ଆଜିର ଘଟଣା ନେଇ ସହିଦନଗର ଥାନାରେ ବିଏମସି ପକ୍ଷରୁ ମାମଲା ରୁଜୁ କରାଯାଇଛି ।
ଋଷର ମିସାଇଲ ହମଲାରେ ୟୁକ୍ରେନର ଚେର୍ନିହିଭ ସହରରେ ୭ ଜଣଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: କିଛିଦିନର ବ୍ୟବଧାନ ପରେ ପୁଣି ରକ୍ତମୁଖା ଋଷ । ଋଷର ମିସାଇଲ ହମଲାରେ ୟୁକ୍ରେନର ଚେର୍ନିହିଭ ସହରରେ ୭ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଅଛନ୍ଚି ଜଣେ ୬ ବର୍ଷର ବାଳିକା । ଏହି ଆଟାକରେ ଆହତ ହୋଇଛନ୍ତି ୧୫ ଶିଶୁଙ୍କ ସମେତ ୧୪୪ ଲୋକ । ଏକ ଚର୍ଚ୍ଚରେ ଲୋକମାନେ ସମବେତ ହୋଇ ଉତ୍ସବ ପାଳନ କରୁଥିବାବେଳେ ଋଷ କରିଥିଲା ହମଲା । ଆକ୍ରମଣରେ ଏକ ବିଶ୍ବବିଦ୍ୟାଳୟ କୋଠା ନଷ୍ଟ ହୋଇଛି । ଋଷର ଏହି ଆକ୍ରମଣକୁ ନିନ୍ଦା କରିଛି ଜାତିସଂଘ । ଏହା ସହ ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ବେଲାଋଷଠାରୁ ୫୦ କିଲୋମିଟର ଦୂର ନିକଟରେ ଚେର୍ନିହିବ ଅବସ୍ଥିତ । ଏହି ସହରକୁ ଋଷୀୟ ସୈନ୍ୟ ନିଜ କବଜାରେ ପ୍ରଥମେ କିଛି ଦିନ ରଖିଥିଲେ ।
ଚନ୍ଦ୍ରର ପ୍ରି-ଲ୍ୟାଣ୍ଡିଂ ଅରବିଟରେ ପ୍ରବେଶ କରିବାରେ ବିଫଳ ହୋଇଛି ଲୁନା-୨୫ ଲ୍ୟାଣ୍ଡର
ମସ୍କୋ: ଫେଲ ହୋଇପାରେ ଋଷର ମୁନ ମିଶନ । ଚନ୍ଦ୍ରର ପ୍ରି-ଲ୍ୟାଣ୍ଡିଂ ଅରବିଟରେ ପ୍ରବେଶ କରିବାରେ ବିଫଳ ହୋଇଛି ଲୁନା-୨୫ ଲ୍ୟାଣ୍ଡର । ଦୀର୍ଘ ୫୦ ବର୍ଷ ପରେ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ଋଷ ଲାଗି ଏହା ଏକ ଧକ୍କା ସାବ୍ୟସ୍ତ ହୋଇଛି । ଋଷୀୟ ସ୍ପେସ କର୍ପୋରେସନ ରୋସକସମସ ପକ୍ଷରୁ କୁହାଯାଇଛି- ପରିସ୍ଥିତି ପ୍ରତି ସଜାଗ ନଜର ରଖାଯାଇଛି । ତେବେ ମିଶନ ସମ୍ପର୍କରେ ସବିଶେଷ ସ୍ପଷ୍ଟୀକରଣ ଦିଆଯାଇନାହିଁ ।
ଗତ ସପ୍ତାହରେ ପ୍ରେରଣ କରାଯାଇଥିବା ଲୁନା-୨୫ ଆସନ୍ତା କାଲି ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା । ପ୍ରିଲ୍ୟାଣ୍ଡିଂ ଅରବିଟରେ ପ୍ରବେଶ କରିବା ପୂର୍ବରୁ ଏକ ବୈଷୟିକ ତ୍ରୁଟି ଦେଖାଯାଇଥିବାରୁ ମିଶନ ପ୍ରତି ଧକ୍କା ପହଞ୍ଚିଛି । ଏହି ସମସ୍ୟା ପରେ ବୈଜ୍ଞାନିକମାନେ ସ୍ଥିତି ସମୀକ୍ଷା କରୁଛନ୍ତି । ଗତ ଅଗଷ୍ଟ ୧୧ ତାରିଖରେ ଲୁନା ୨୫ର ଉତକ୍ଷେପଣ କରାଯାଇଥିବାବେଳେ ୧୨ ଓ ୧୪ ତାରିଖରେ ସଫଳତାର ସହ କରିଥିଲା ଟ୍ରାଜେକ୍ଟୋରୀ କରେକସନ ।

