ଭୁବନେଶ୍ବର: ବିଜେପି କର୍ପୋରେଟରଙ୍କ ଦାଦାଗିରି। ବିଏମସି ଅଧିକାରୀଙ୍କୁ ଦୁର୍ବ୍ୟବହାର, ଗାଳିଗୁଲଜ। ୨୯ ନମ୍ବର ଓ୍ବାର୍ଡରେ ଜନୈକ ବ୍ୟକ୍ତି ବିଏମସି ଜାଗାରେ ଟ୍ରକ ଟ୍ରକ ବାଲି, ଗୋଡି, ଇଟା, ଚିପ୍ସ ଗଦା କରି ବିକ୍ରି କରୁଥିଲେ। ଏନେଇ ଅଭିଯୋଗ ଆସିବା ପରେ ୨୯ ନମ୍ବର ଓ୍ବାର୍ଡ ଏସଆଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସିଜ୍ କରିବା ସହ ଫାଇନ୍ ପକାଇଥିଲେ। ଏହାକୁ ନେଇ ତମ୍ବିତୋଫାନ୍ କରିଥିଲେ ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ। ସେଠାରେ ପହଞ୍ଚି ବିଏମସି ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏପରିକି ପୂର୍ବରୁ ଫୋନ୍ ନକରି ଓ୍ବାର୍ଡରେ ପଶିଲେ ଗୋଡ଼େଇ ଗୋଡ଼େଇ ବାଡ଼େଇବେ ବୋଲି ଖୋଲା ଧମକ ବି ଦେଇଥିଲେ। ଭଲ କରି ଦେଖନ୍ତୁ ଏ ଭିଡିଓ । ଜଣେ ସରକାରୀ ଅଧିକାରୀଙ୍କୁ କେମିତି ଦୁର୍ବ୍ୟବହାର କରୁଛନ୍ତି ବିଜେପି କର୍ପୋରେଟର୍। ଏପରିକି ଅପରୂପ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ବିଏମସି ଜାଗାରେ ସାମଗ୍ରୀ ଗଦାଇବା ପାଇଁ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଛି। ତେବେ ପ୍ରଶ୍ନ, ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବାକୁ କେଉଁଠୁ ସାହସ ପାଇଲେ ଅପରୂପ। ଆଗରୁ ଅପରୂପଙ୍କ ନାଁରେ କଣ୍ଟ୍ରାକ୍ଟରଙ୍କୁ କାମ କରେଇ ନଦେବା, ବିଭିନ୍ନ ଜାଗାରୁ ବଟି ମାଗିବା, ମଦ ପିଇ ମାଡ଼ ମରି ଥାନାରେ ଭୁଲମାଗିବା ଭଳି ବିଭିନ୍ନ ଅଭିଯୋଗ ରହିଛି। ଆଜିର ଘଟଣା ନେଇ ସହିଦନଗର ଥାନାରେ ବିଏମସି ପକ୍ଷରୁ ମାମଲା ରୁଜୁ କରାଯାଇଛି ।