ଚନ୍ଦ୍ରରେ ଅବତରଣ ପୂର୍ବରୁ କ୍ରାସ୍ ହେଲା ରୁଷର ଲୁନା-୨୫ ସ୍ପେଶକ୍ରାଫ୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ରୁଷର ମୁନ ମିଶନକୁ ଜୋରଦାର ଝଟକା । ଚନ୍ଦ୍ରରେ ଅବତରଣ ପୂର୍ବରୁ କ୍ରାସ ହେଲା ରୁଷର ଲୁନା-୨୫ ସ୍ପେଶକ୍ରାପ୍ଟ । ରୁଷର ସ୍ପେଶ ଏଜେନ୍ସି ରସ୍କସମସ କହିଛି ଯେ ଶନିବାର ସନ୍ଧ୍ୟା ୫ଟା ୨୭ ମିନିଟରେ ସ୍ପେଶକ୍ରାଫ୍ଟ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା । ଶନିବାର ଏଥିରେ ପ୍ରି-ଲ୍ୟାଣ୍ଡିଂ ଅରବିଟ ପରିବର୍ତ୍ତନ ସମୟରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା । ଲୁନା-୨୫ ଆସନ୍ତାକାଲି ଚନ୍ଦ୍ରର ସାଉଥ ପୋଲରେ ଲ୍ୟାଣ୍ଡ କରିବାର ଥିଲା । ରସ୍କସମସ କହିଛି ଯେ ଲୁନା-୨୫ର ଫ୍ଲାଇଟ ପ୍ରୋଗ୍ରାମ ଅନୁସାରେ ସ୍ପେଶକ୍ରାଫ୍ଟକୁ ପ୍ରି-ଲ୍ୟାଣ୍ଡିଂ କକ୍ଷରେ ପ୍ରବେଶ କରାଇବା ପାଇଁ କମାଣ୍ଡ ଦିଆଯାଇଥିଲା । ଏହି କମାଣ୍ଡ ଭାରତୀୟ ସମୟାନୁସାରେ ଶନିବାର ଅପରାହ୍ନ ୪ଟା ୩୦ ମିନିଟରେ ଦିଆଯାଇଥିଲା ।

ଏହି ସମୟରେ ଲୁନାରେ ଏମର୍ଜେନ୍ସି ସ୍ଥିତି ଆସିଯାଇଥିଲା କାରଣ ସ୍ପେଶକ୍ରାଫ୍ଟ ନିର୍ଦ୍ଧାରିତ ପାରାମିଟର ଅନୁସାରେ ଥ୍ରଷ୍ଟର ଫାୟାର କରିପାରିନଥିଲା । ଲୁନା-୨୫ ସ୍ପେଶକ୍ରାଫ୍ଟକୁ ୧୧ ଅଗଷ୍ଟରେ ସୋୟୁଜ ୨.୧ ବି ରକେଟ ଜରିଆରେ ବୋସ୍ତୋନି କସ୍ମୋଡ୍ରୋମରୁ ଲଞ୍ଚ୍ କରାଯାଇଥିଲା । ୪୭ ବର୍ଷ ପରେ ଚନ୍ଦ୍ରକୁ ନିଜର ମିଶନ ପଠାଇଥିଲା ରୁଷ । ଏହା ପୂର୍ବରୁ ରୁଷ୍ ୧୯୭୬ରେ ଲୁନା-୨୪ ମିଶନ ପଠାଇଥିଲା । ଲୁନା-୨୪ ଚନ୍ଦ୍ରରୁ ୧୭୦ ଗ୍ରାମ ଧୂଳି ଆଣି ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ଫେରିଥିଲା । ଏହା ତାର ପ୍ରଥମ ମିଶନ ଥିଲା ଯେବେ ଏହା ସାଉଥପୋଲରେ ଅବତରଣ କରିଥାନ୍ତା ।