ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ବର ପ୍ରାଚୀବିହାର ଅଞ୍ଚଳରେ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଘର ଭିତର ପଟୁ ଯୁବକ କବାଟ ବନ୍ଦ କରି ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଲିସ କବାଟ ଭାଙ୍ଗି ଭିତରୁ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକଙ୍କ ନାଁ ଦୀପକ ଦାସ । ବୟସ ପ୍ରାୟ ୨୬ ବର୍ଷ ହେବ ବୋଲି ଜଣାପଡ଼ିଛି । ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ବୋଲି ସୂଚନା ମିଳିଛି । ଦୀପକ ଏସବିଆଇ ଫାଇନାନ୍ସରେ କାମ କରୁଥିଲେ ଓ ପ୍ରାଚୀବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୀର୍ଘ ସମୟ ଧରି ରୁମ୍ କବାଟ ନଖୋଲିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।