ମାଆ କୋଳରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଶିଶୁକନ୍ୟା ମୃତ

ଯାଜପୁର: ମାଆ କୋଳରେ ଛୁଆକୁ କାମୁଡ଼ିଲା ସାପ । ରାତିରେ ମାଆ କୋଳରେ ଶୋଇଥିବା ବେଳେ ୭ ମାସର ଶିଶୁକନ୍ୟାର ଓଠକୁ ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ଶିଶୁଟିର ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା ଟମକା ଥାନା ଗୋପପୁର ଗାଁର ରଘୁନାଥ ଲୋହାରଙ୍କ ପତ୍ନୀ ଓ ୭ ମାସର ଝିଅ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଝିଅର ଓଠକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଝିଅଟି ଜୋରରେ କାନ୍ଦିବାରୁ ମାଆ ଉଠି ଦେଖିବା ବେଳକୁ ସାପଟି ଝିଅ ଓଠକୁ କାମୁଡି ଧରିଥିଲା । ମାଆ ଉଠି ପଡ଼ିବାରୁ ସାପଟି ପଳାଇ ଯାଇଥିଲା । ତୁରନ୍ତ କୁନିଝିଅଟିକୁ ପରିବାର ଲୋକ ଆନନ୍ଦପୁର ମେଡିକାଲ ନେଇଥିଲେ । ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।