ରାଜମିସ୍ତ୍ରୀ ସହ ପ୍ରେମ: ସ୍ବାମୀ ହତ୍ୟାର ପର୍ଦ୍ଦାଫାସ କଲା ୯ ବର୍ଷର ପୁଅ

କାନପୁର: କାନପୁରରୁ ଆସିଛି ପ୍ରେମ, ପ୍ରତାରଣା ଓ ହତ୍ୟା ଅଭିଯୋଗ । ରାଜମିସ୍ତ୍ରୀ ପ୍ରେମରେ ପଡ଼ି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ୯ ବର୍ଷର କହିଲା ବାପାଙ୍କୁ ହତ୍ୟା କରିବା ଦିନ କ’ଣ ଘଟିଥିଲା ।

ସୂଚନା ଅନୁସାରେ, କାନପୁରର ୪୫ କୋଟି ଟଙ୍କା ସମ୍ପତ୍ତିର ମାଲିକ ତଥା ସରକାରୀ ଶିକ୍ଷକ ରାଜେଶ ଗୌତମଙ୍କ ହତ୍ୟା କରାଯାଇଛି । ଆଉ ଏହି ହତ୍ୟା ପଛର ଖଳନାୟିକା ଓ ଖଳନାୟକ ହେଉଛନ୍ତି ତାଙ୍କ ପତ୍ନୀ ପିଙ୍କି ଏବଂ ତାଙ୍କ ପ୍ରେମିକ ରାଜମିସ୍ତ୍ରୀ ଶୈଳେନ୍ଦ୍ର ସୋନକର ।

ପୋଲିସ କହିବା ଅନୁସାରେ, ରାଜୋ କାନପୁର କୋୟଲାନଗରରେ ୨୦୨୧ରେ ଏକ ପ୍ଲଟ୍ କିଣିଥିଲେ । ଏଥିରେ ନିର୍ମାଣ କାମ ପାଇଁ ରାଜେଶ ରାଜମିସ୍ତ୍ରୀ ଶୈଳେନ୍ଦ୍ରଙ୍କୁ ନିୟୋଜିତ କରିଥିଲେ । କାମ ବିଷୟରେ ଆଲୋଚନା କରିବା ପାଇଁ ଶୈଳେନ୍ଦ୍ର ରାଜେଶଙ୍କ ଘରକୁ ଆସୁଥିଲେ । ଏହାରି ମଧ୍ୟରେ ପିଙ୍କିଙ୍କ ସହ ତା’ର ଦେଖା ହୋଇଥିଲା ଓ ଶୈଳେନ୍ଦ୍ର ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ଯାହା ପିଙ୍କି ବୁଝି ପାରିଥିଲେ । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ରାଜେଶ ଘରେ ନଥିବା ବେଳେ ଶୈଳେନ୍ଦ୍ର ଆସୁଥିଲେ ଓ ଉଭୟ ଅନୈତିକ ସମ୍ପର୍କରେ ଲିପ୍ତ ରହୁଥିଲେ । ଏ ସମ୍ପର୍କରେ ରାଜେଶ ଜାଣିବା ପରେ ଶୈଳେନ୍ଦ୍ର ଘରକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଘଟଣାକୁ ନେଇ ଉଭୟ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଏପରିକି ପିଙ୍କି ରାଜେଶଙ୍କୁ ମାରିବାକୁ ଥରେ ଖାଇବାରେ ବିଷ ଦେଇ ଦେଇଥିଲେ । ହେଲେ ଠିକ ସମୟରେ ମେଡିକାଲ ନେଇ ଯିବା କାରଣରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ଏହାପରେ ପିଙ୍କି ଓ ଶୈଳେନ୍ଦ୍ର ତାଙ୍କୁ ହତ୍ୟା କରିବାକୁ ସୁପାରି କିଲରକୁ ଟଙ୍କା ଦେଇଥିଲେ । ହେଲେ ଟଙ୍କା ନେଇ ସୁପାରି କିଲର ଫେରାର ହୋଇଯାଇଥିଲା । ଏହାପରେ ପୁଣି ଥରେ ଆଉ ଜଣଙ୍କୁ ୪ ଲକ୍ଷର ସୁପାରୀ ଦେଇଥିଲେ ଉଭୟ । ଆଉ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା ହୋଇଥିଲା ।

ପୁଅ କହିଲା ହତ୍ୟା ଦିନର କଥା

ଯୋଜନା ମୁତାବକ ଗାଡି ଧକ୍କାରେ ରାଜେଶଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ବି ଘଟଣାକୁ ଦୁର୍ଘଟଣା ନଜରରେ ତଦନ୍ତ କରୁଥିଲା । ହେଲେ ସିସିଟିଭି ଫୁଟେଜ ଓ ମୃତ ରାଜେଶଙ୍କ ପୁଅର ବୟାନରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୋଲିସର ସନ୍ଦେହ ହୋଇଥିଲା । ଏପରିକି ରାଜେଶଙ୍କ ଭାଇ ମଧ୍ୟ ହତ୍ୟା ସନ୍ଦେହ ପ୍ରକାଶ କାରିଥିଲେ । ପଚରାଉଚରା ବେଳେ ରାଜେଶଙ୍କ ୯ ବର୍ଷର ପୁଅ କହିଥିଲା, ଘଟଣା ଦିନ ବାପାଙ୍କ ସହ ଓ୍ବାକରେ ଯିବାକୁ ସେ ବି ବାହାରିଥିଲା । ଡ୍ରେସ ପିନ୍ଧି, ଘର ଦୁଆର ପର୍ଯ୍ୟନ୍ତ ବି ବାପାଙ୍କ ସହ ଚାଲି ଆସିଥିଲା । ହେଲେ ଘରୁ ମାଆ ଡାକ ଦେଇ ଭିତରକୁ ଡାକିବା ପରେ ବାଥରୁମରେ ତାଲା ପକାଇ ଦେଇଥିଲେ । ଜିଦ୍ ଧରିବାରୁ ଓ୍ବାକରେ ନଯାଇ ପାଠ ପଢ଼ ବୋଲି କହିଥିଲେ । ଏ ଘଟଣା ଜାଣିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜରୁ ଦୁର୍ଘଟଣା ଘଟାଇ ଥିବା କାରଟି ରାଜେଶଙ୍କୁ ଫଲୋ କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାସହ ପିଙ୍କିଙ୍କ କଲ ଡିଟେଲରୁ ହତ୍ୟା ଦିନ ସେ ଶୈଳେନ୍ଦ୍ର ସହ କଥା ହୋଇଥିବା ମଧ୍ୟ ଜଣାପଡ଼ିଥିଲା । ପୋଲିସ ଶୈଳେନ୍ଦ୍ରକୁ ଉଠାଇ ନେଇ ପଚରାଉଚରା କରିବା ପରେ ପ୍ରକୃତ ସତ ପଦାକୁ ଆସିଥିଲା ।