ରାଜସ୍ଥାନ: ବସୁନ୍ଧରା ନୁହେଁ ବାବା ବାଲକନାଥ ଯୋଗୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜସ୍ଥାନରେ ସ୍ପଷ୍ଟ ବହୁମତ ଆଡ଼କୁ ଯାଉଛି ବିଜେପି । ଯଦି ବିଜେପି ସରକାର ଗଠନ କଲା ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବିଜେପି ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ନକଲେ ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ । ଏମିତି ସ୍ଥିତିରେ ଏବେ ସବୁଠି ଜଣେ ବାବାଙ୍କୁ ନେି ଚର୍ଚ୍ଚା । ଏଇ ବାବା ଜଣଙ୍କ ଆଉ କେହି ନୁହେଁ, ସେ ହେଉଛନ୍ତି ବାବା ବାଲକନାଇ ଯୋଗୀ ।

ଅଲବର ଆସନରୁ ସାଂସଦ ଥିବା ବାଲକନାଥ ତିଜାର ବିଧାନସଭା ଆସନରେ ନିର୍ବାଚନ ଲଢ଼ିଛନ୍ତି । ବର୍ତ୍ତମାନର ଭୋଟ ଗଣତି ଅନୁସାରେ ୪୦ ହଜାରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ବାଲକନାଥ । ଅଶୋକ ଗେହଲଟଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବାଲକନାଥ ସବୁଠାରୁ ଅଧିକ ଲୋକପ୍ରିୟ ଚେହେରା ଭାବେ ଆଗକୁ ଆସିଛନ୍ତି । ବାଲକନାଥ ନାଥ ସମ୍ପ୍ରଦାୟର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ସମ୍ପ୍ରଦାୟର । ବାଲକନାଥ ରୋହତକର ବାବା ମସ୍ତନାଥ ମଠର ମହନ୍ତ ଅଛନ୍ତି । ନାଥ ସମ୍ପ୍ରଦାୟ ପରମ୍ପରାରେ ଗୋରଖପୁରକୁ ରାଷ୍ଟ୍ରିୟ ଅଧ୍ୟକ୍ଷ ଓ ରୋହତକ ଗାଦିକୁ ରାଷ୍ଟ୍ରିୟ ଉପାଧ୍ୟକ୍ଷ ସମ୍ମାନ ମିଳିଛି । ଏହି କ୍ରମରେ ନାଥ ସମ୍ପ୍ରଦାୟର ବର୍ତ୍ତମାନ ବ୍ୟବସ୍ଥା ଅନୁସାରେ ଯୋଗୀ ଆଦିତ୍ୟନାଥଙ୍କ ପରେ ବାଲକନାଥ ହେଉଛନ୍ତି ଦୁଇ ନମ୍ବର ବ୍ୟକ୍ତି ଓ ତାଙ୍କୁ ରାଜସ୍ଥାନର ଯୋଗୀ ମଧ୍ୟ କୁହାଯାଇଥାଏ ।

ସୂଚନାଯୋଗ୍ୟ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପୀ ୭ ଜଣ ସାଂସଦଙ୍କୁ ମୈଦାନକୁ ଛାଡିଥିଲା । ଯେଉଁଥିରେ ବାବା ବାଲକନାଥ ଯୋଗୀ ମଧ୍ୟ ଜଣେ । ବାଲକନାଥଙ୍କ ସହ କଂଗ୍ରେସର ଇମରାନ ଖାନ୍ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ବାଲକନାଥ ବିଜେପିର ଫାୟାର ବ୍ରାଣ୍ଡ ନେତା ଭାବେ ପରିଚିତ । ତାଙ୍କ ନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଥିଲେ । ବାଲକନାଥଙ୍କୁ ଅଭିଷ୍ୟତର ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ କୁହାଯାଉଛି । ଏମିତି ସ୍ଥିତିରେ ରାଜସ୍ଥାନ ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ଆଡ଼କୁ ଯାଉଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚା ଆହୁରି ବଢ଼ି ଯାଇଛି ।