୪ ରାଜ୍ୟର ଭୋଟ ଗଣତି: କିଏ ଗଢ଼ିବ ସରକାର ?

ଭୁବନେଶ୍ବର: ଆଜି ୪ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି । ଏହି ୪ ରାଜ୍ୟ ହେଲା ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ । କିଏ ଏହି ୪ ରାଜ୍ୟରେ ସରକାର ଗଠନ କରିବେ, ହୋଇଯିବ ସ୍ପଷ୍ଟ । ପ୍ରାୟ ସବୁ ରାଜ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିଥିଲା । ଏକଜିଟ ପୋଲରେ ବିଜେପିଠାରୁ କଂଗ୍ରେସ ଆଗରେ ରହିଛି । ତେବେ ଆଉ କିଛି ସମୟକୁ ଅପେକ୍ଷା ଭୋଟ ଗଣତି ଆରମ୍ଭ ହେବା ସହ ଜଣାପଡ଼ିଯିବ କେଉଁ ଦଳକୁ ଭରସା କରିଛନ୍ତି ଜନତା ।

ଭୋଟ ଗଣତି ଲାଗି ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି କରିଛନ୍ତି । ପ୍ରଥମେ ପୋଷ୍ଟାଲ ବାଲଟର ଗଣତି ହେବ । ଏହାପରେ ସମସ୍ତ ଦଳର ପ୍ରତିନିଧିଙ୍କ ସାମନାରେ ଆରମ୍ଭ ହେବ ଇଭିଏମର ଭୋଟ ଗଣତି । ସାରା ଦେଶର ନଜର ଏହି ରେଜଲ୍ଟ ଉପରେ । ୪ ମୁଖ୍ୟମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ, ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ ବହୁ ହେଭିଓ୍ବେଟ ନେତାଙ୍କ ହେବ ଭାଗ୍ୟ ନିର୍ଣ୍ଣୟ । ୪ ମୁଖ୍ୟମନ୍ତ୍ରୀ କେ.ଚନ୍ଦଶେଖର ରାଓ, ଶିବରାଜ ସିଂ ଚୌହ୍ବାନ, ଭୂପେଶ ବଘେଲ, ଅଶୋକ ଗେହଲଟ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ, ବସୁନ୍ଧରା ରାଜେ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ହେବ ଭାଗ୍ୟ ପରୀକ୍ଷା ।

୪ ରାଜ୍ୟର ୬୩୮ ଆସନ ଲାଗି ୭ ହଜାର ୮୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଇଭିଏମ ଖୋଲିବା ପରେ ଚିତ୍ର ଧିରେ ଧିରେ ସ୍ପଷ୍ଟ ହୋଇ ଚାଲିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏସବୁ ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ୪ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଲୋକଙ୍କ ମୁଡ୍ କଣ ରହିଛି, ସ୍ପଷ୍ଟ ହେବ ।