spot_img
Home Blog Page 2741

ରାସ୍ତା କଡ଼କୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୋହନା: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ l ଶୁକ୍ରବାର ବିଳମ୍ବିତ ରାତି ରେ ମୋହନା ଥାନା ଏକ୍ରିକୂପା ଗ୍ରାମ ନିକଟରେ RB କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି l ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ବସ୍ ଟି ଯାନ୍ତ୍ରିକ ତ୍ରୁଟି ରାସ୍ତା କଡ଼କୁ ଖସି ପଡ଼ିଥିବା ଜଣାପଡିଛି l ବସ୍ ରେ ୩୦ରୁ ଉର୍ଦ୍ଧ ଯାତ୍ରୀ ଥିବାବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି l ଷ୍ଟିଅରିଂ ଲକ୍ ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଗାଡିଚାଳକ କହିଛନ୍ତି l ମୋହନା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଏକ ଗାଡିରେ ଯାତ୍ରୀ ମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଥିଲେ l

ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଶନିବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ୫ଟି ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଏହାରି ପ୍ରଭାବରେ ଶନିବାରଠାରୁ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଅଞ୍ଚଳରେ ୭୦ରୁ ୨୦୦ ମିମି ଯାଏ ବର୍ଷା ହୋଇପାରେ। ସେହିଭଳି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଧା ଆଦି ଜିଲ୍ଲାର କେତେକ ସ୍ଥାନରେ ଆଜି ପ୍ରବଳ ବର୍ଷା ଅର୍ଥାତ ୭ରୁ ୧୧୦ ମିମି ବର୍ଷା ସମ୍ଭାବନା ରହିଛି। ଏହାଛଡ଼ା ଅବଶିଷ୍ଟ ‌ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷାର ବିସ୍ତୃତି ଓ ପରିମାଣ ଆସନ୍ତା ୩ ତାରିଖ ଯାଏ ଅଧିକ ରହିବ। ୧ ଓ ୨ ତାରିଖରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।

ସୁନ୍ଦରଗଡ଼ରେ କାୟା ମେଲାଉଛି ସ୍କ୍ରବ ଟାଇଫସ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ କାୟା ମେଲାଉଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୦ ରୋଗୀ । ଏହାକୁ ମିଶାଇ ୨୯୨ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା । ସ୍କ୍ରବ ଟାଇଫସରେ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଆଇସିୟୁରେ ଚାଲିଛି ଜଣେ ଗୁରୁତରଙ୍କ ଚିକିତ୍ସା । ଏଭଳି ସ୍ଥିତିରେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଦିଆଯାଇଛି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ କୁହାଯାଇଛି । ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବା ବେଳେ ବିଭିନ୍ନ ଛକ ଓ ହାଟ ମାନଙ୍କରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ।

ବିଶ୍ବକପ ଓ୍ବାର୍ମଅପ୍ ଫାଇଟ୍, ଇଂଲଣ୍ଡକୁ ଭେଟିବ ଭାରତ

ଧର୍ମଶାଳା: ବିଶ୍ବକପ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଓ୍ବାର୍ମଅପ ଲଢ଼େଇ ଚାଲିଥିବାବେଳେ ଶନିବାର ଇଂଲଣ୍ଡକୁ ଭେଟିବ ଭାରତ । ଗୌହାଟୀରେ ଭାରତ-ଇଂଲଣ୍ଡ ମୁକାବିଲା ହେବାକୁ ଥିବାବେଳେ ବିଶ୍ବକପ ମୁକାବିଲା ପୂର୍ବରୁ ବଡ଼ ପରୀକ୍ଷା । ବିଶ୍ବକପରେ ସବୁବେଳେ ଇଂଲଣ୍ଡ ଭାରତ ପାଇଁ କଣ୍ଟା ସାଜିଥାଏ । ୨୦୧୯ ବିଶ୍ବକପରେ ଭାରତର ଫାଇନାଲ ଆଶା ଧୂଳିସାତ କରିଥିଲା ଇଂଲଣ୍ଡ । ସେପଟେ ଆଇସିସି ଦ୍ବାରା ଆୟୋଜିତ ବଡ଼ ଇଭେଣ୍ଟରେ ଇଂଲଣ୍ଡ ସବୁବେଳେ ଭାରତ ପାଇଁ କଣ୍ଟା ସାଜିଥାଏ । ଡିଫେନଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ବିପକ୍ଷରେ ଭାରତର ମୁକାବିଲା ହେବାକୁ ଥିବାବେଳେ ଭାରତର ପ୍ରଦର୍ଶନ କିଭଳି ହେଉଛି ତାଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି ।

ନିକଟରେ ଭାରତ ଏସିଆ କପ ଜିତିଥିଲା । ଏହାସହ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ମଧ୍ୟ ବିଜୟୀ ହୋଇଛି । ତେବେ ଶେଷ ମ୍ୟାଚରେ ଭାରତ ପରାସ୍ତ ହୋଇଥିବାବେଳେ ଦଳର ପ୍ରଦର୍ଶନକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଦଳ ଓ୍ବାର୍ମଅପରେ ଦମଦାର ପ୍ରଦର୍ଶନ କରିବା ସହ ବିଜୟୀ ହୋଇ ବିଶ୍ବକପରେ ନିଜର ଅଭିଯାନ ଆରମ୍ଭ କରିବ ବୋଲି ଆଶା କରାଯାଉଛି । ସେପଟେ ଇଂଲଣ୍ଡ ବିଶ୍ବକପର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଅକ୍ଟୋବର ୫ରେ ଭେଟିବ । ସେପଟେ ଭାରତ ନିଜର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସାମନା କରିବ । ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବାବେଳେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପାଇଁ ଆଶା ରଖିଛି । ଭାରତରେ ବିଶ୍ବକପ ଖେଳା ଯାଉଥିବାବେଳେ ଦଳ ଘରୋଇ ମାଟିରେ ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି କ୍ରୀଡ଼ା ସମୀକ୍ଷକମାନେ କହିଛନ୍ତି ।

 

ଭାରତର ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି କାନାଡ଼ା

ନନ୍ଦିଘୋଷ ବ୍ୟୁରୋ: ଭାରତ-କାନାଡା ବିବାଦକୁ ନେଇ ଆମେରିକାରେ ବଡ ବୟାନ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି ଯେ କାନାଡା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି । ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛନ୍ତି ଭାରତ ସରକାର । ଭାରତ ବିରୋଧରେ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରିବା ସହ କଣ ପ୍ରମାଣ ଅଛି କାନାଡା ଦେଉ ବୋଲି କହିଛନ୍ତି ଏସ୍ ଜୟଶଙ୍କର ।

କାନାଡା ଅଭିଯୋଗ କରିବା ଦିନଠାରୁ କୌଣସି ପ୍ରକାର ପ୍ରମାଣ ଦେଇନାହିଁ । ପ୍ରମାଣ ମିଳିଲେ ଅନୁଧ୍ୟାନ କରାଯିବ । କାନାଡ଼ା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥାଏ ବୋଲି ଭାରତ ସରକାର କହିଛନ୍ତି । କାନାଡା ଉଗ୍ରବାଦୀ ଏବଂ ଆତଙ୍କବାଦୀ ତତ୍ତ୍ୱମାନଙ୍କୁ ଆଶ୍ରୟ ଦେଉଛି । ଭାରତ ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛି। କାନାଡାରେ ଥିବା କୂଟନୈତିକ ଅଧିକାରୀ ମାନେ ଦୂତାବାସ ଅଫିସ ଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି । ଖୋଲାଖୋଲି ଧମକ ମିଳୁଛି। ଯାହା ଫଳରେ ଭିସା କାର୍ଯ୍ୟ ସ୍ଥଗିତ ରଖାଯାଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ।

ପିତୃପକ୍ଷ ଦିବସ ଅବସରରେ ପିତୃ ପୁରୁଷଙ୍କୁ ତିଳ ତର୍ପଣ

ପୁରୀ: ଶନିବାର ଆଶ୍ବିନ କୃଷ୍ଣ ପ୍ରତିପଦା ଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ୧୫ଦିନ ବ୍ୟାପି ପିତୃପକ୍ଷ ଦିବସ ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ନିଜର ପିତୃପୁରୁଷଙ୍କ ମୋକ୍ଷ ଓ ଶାନ୍ତି ପାଇବା ଉଦ୍ଦେଶ୍ୟରେ ଏହି ପୂଜା ବିଧି ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପରିବାରର ସର୍ବ କଲ୍ୟାଣ ଉଦ୍ଦେଶ୍ୟରେ କରାଯାଇଥାଏ ବୋଲି ବିଶ୍ବସ ରହିଛି । ଫୁଲ, ରାଶି, ଚାଉଳ ଆଦି ବିଭିନ୍ନ ଦ୍ରବ୍ୟ ବ୍ୟବହାର କରାଯାଇ ଆଗାମୀ ୧୫ଦିନ ପର୍ଯ୍ୟନ୍ତ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ଏହି ପିତୃପକ୍ଷ ତର୍ପଣ ପୂଜା କରାଯିବାର ନଜିର ରହିଛି ।

ମା’ଙ୍କ ଆବାହନ କରୁଛି ଧମଳମତୀ କାଶତଣ୍ଡୀ

0

ଜଗତସିଂହପୁର: ଆଗକୁ ଆସୁଛି ପାର୍ବଣ ଋତୁ।  ଶାରଦୀୟ ଦୁର୍ଗାପୂଜା ପାଇଁ ଚାଲିଛି ପ୍ରସ୍ତୁତି। ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପୁଜା ମଣ୍ଡପ ଗୁଡିକରେ ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ । ମାଆ ଦୁର୍ଗାଙ୍କ ଆଗମନକୁ ନେଇ ସୂଚନା ଦେଉଛି  କାଶତଣ୍ଡି । ରାସ୍ତା କଡ ଏବଂ ନଦୀ ପଠାରେ ସଜେଇ ହୋଇଛି ଧବଳମତୀ କାଶତଣ୍ଡି ।

ଶାନ୍ତିର ପ୍ରତୀକ ଧବଳ ବର୍ଣ୍ଣର କାଶତଣ୍ଡି ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ମା’ ଦୁର୍ଗାଙ୍କ ଆଗମନ ହେଲେ ଧରାପୃଷ୍ଠରେ ଖିଲି ଖିଲି ହସେ ଧବଳମତୀ କାଶତଣ୍ଡି । ପବନରେ ଦୋଳୀୟମାନ ଏହି ସୁନ୍ଦର ଫୁଲକୁ ଦେଖି କବିପ୍ରାଣରେ ନୂଆ ରୋମାଞ୍ଚ ଭରିଯାଏ । ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଖେଳୁଛି କାଶଚଣୀ । ମାଆଙ୍କ ଆଗମନ ପୂର୍ବରୁ ଯେମିତି ସେ ସ୍ବାଗତ ପାଇଁ ଖିଲି ଖିଲି ହସୁଛି। ରାସ୍ତା କଡ ଏବଂ ନଦୀ ପଠାରେ ସଜେଇ ହୋଇଛି ଧବଳ ଚାଦର ।

ମାଆଙ୍କ ଆଗମନ ପାଇଁ ପ୍ରସ୍ତୁତ ଜଗତସିଂହପୁର କାରିଗର । ନଡା ବନ୍ଧା ହୋଇ ତିଆରି ହେଉଛି ମାଟି ମୂର୍ତ୍ତି । ବିରିଡି, ନାଉଗାଁ,ବାଲିକୁଦା, ରଘୁନାଥପୁର, ତିର୍ତ୍ତୋଲ,ଏରସମା, କୁଜଙ୍ଗ ଅଞ୍ଚଳରେ ଧୁମ ଧାମରେ ପାଳିତ ହୋଇଥାଏ ଶାରଦୀୟ ଦୁର୍ଗାପୂଜା। କୃଷି ଭିତ୍ତିକ ଚଳଣିରେ ଦେବୀ ହେଉଛନ୍ତି ଉତ୍ପାଦନର ପ୍ରତୀକ। ଦେବୀ ସର୍ବ ଶକ୍ତି ସ୍ୱରୂପା, ସେ ବୀରତ୍ବର ପ୍ରତୀକ । ଦଶହରାକୁ ଧୁମଧାମରେ ପାଳନ କରିବା ପାଇଁ ଏକତ୍ରିତ ହୁଅନ୍ତି ଲୋକେ।

ଆଜି ଗୃହରେ ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଆଲୋଚନା

ଭୁବନେଶ୍ବର: ଶନିବାର ଗୃହରେ ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଆଲୋଚନା ରହିଛି l ପଞ୍ଚାୟତି ରାଜ ଓ ସ୍କୁଲ୍ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ l ସେହିପରି ପର୍ଯ୍ୟଟନ,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ,ମହିଳା ଓ ଶିଶୁ ବିକାଶ,ଅବକାରୀ,ଆଇନ,ମିଶନ ଶକ୍ତି,ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ପ୍ରଶ୍ନ କାଳ ରହିଛି l ମୁଖ୍ୟ ବିରୋଧୀ ବିଜେପି ବିଧାୟକ ମାନେ ଗୃହକୁ ନଚଳାଇ ଦେବାକୁ ରଣନୀତି କରି ଆସୁଥିବାରୁ ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l ଗୁରୁବାର ବିଧାନସଭାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବିଜେପି । ବାଚସ୍ପତିଙ୍କ ଚେୟାରକୁ ଡାଲି ଫୋପାଡ଼ି ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛି ବିଜେପି । ଏନେଇ ବିଜେପିର ଦୁଇ  ବିଧାୟକଙ୍କ ନିଲମ୍ବିତ କରିଛି ଗୃହ l ବିଜେପି ବିଧାୟକଙ୍କ ଏପରି ଆଚରଣ ନେଇ  ପୁରା ଓଡ଼ିଶା ନିନ୍ଦା କରିଛି  । ତେଣୁ ଏ ପ୍ରସଙ୍ଗକୁ ନେଇ ବିଜେପି ବିଜେଡି ଓ କଂଗ୍ରେସ ଗୃହରେ ମୁହlମୁହିଁ ହୋଇପାରନ୍ତି l

ଟଙ୍କା ନଦେବାରୁ ମାଆକୁ ହତ୍ୟା କରିବାକୁ ପଛାଇଲାନାହିଁ ଜନ୍ମକଲା ପୁଅ

କଟକ : ଟଙ୍କା ନଦେବାରୁ ମାଆକୁ ହତ୍ୟା ଉଦ୍ୟମ । ଅଭିଯୁ୍କ୍ତ ପୁଅକୁ ଗିରଫ କଲା ପୋଲିସ୍ । ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ମଧୁପୁର ଗ୍ରାମରେ । ଗାଁର ପ୍ରେମଲତା ପ୍ରଧାନଙ୍କୁ ତାଙ୍କ ପୁଅ ସୌଭାଗ୍ୟ ଅନେକ ସମୟରେ ମାରଧର କରିବା ସହ ଟଙ୍କା ମାଗିଥାଏ । ଜୁନ ୨୩ ତାରିଖରେ ୧୨ହଜାର ଟଙ୍କା ମାଗିଥିଲା । ଏତେ ଟଙ୍କା ପ୍ରେମଲତା କେଉଁଠୁ ଆଣିବେ କହି ମନା କରିଦେବାରୁ ଗାଳିଗୁଲଜ କରିବା ସହ ସୌଭାଗ୍ୟ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା । କୌଶଳ କ୍ରମେ ପ୍ରେମଲତା ଥାନାରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ । ବାରଙ୍ଗ ପୋଲିସ କେସ ନମ୍ବର ୨୩୧ ରେ ମାମଲା ରୁଜୁ କରିଥିଲା । ସେହିଦିନ ଠାରୁ ଅଭିଯୁକ୍ତ ଫେରାର ଥିଲା ।

ତେବେ ୩ମାସ ପରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତାର ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୂର୍ବରୁ ସୌଭାଗ୍ୟ ହତ୍ୟା, ଛିନତାଇ, ହତ୍ୟା ଉଦ୍ୟମ ଆଦି ବିଭିନ୍ନ ଅପରାଧରେ ଜଡ଼ିତ ଥିବା କହିଛି ପୋଲିସ୍ ।

ବିଜେଡିରେ ମିଶିଲେ ୫ ଶହ ବିଜେପି ଓ କଂଗ୍ରେସ କର୍ମୀ

ସୁନ୍ଦରଗଡ଼ : ଜନତାଙ୍କ ଅଧିକରୁ ଅଧିକ ଆସ୍ଥାଭାଜନ ହୋଇପାରିଛି ବିଜୁ ଜନତା ଦଳ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ସ୍ବଚ୍ଛ ଭାବମୂର୍ତ୍ତି ଲୋକଙ୍କୁ କରୁଛି ଆକୃଷ୍ଟ  । ଏବେ ଅନ୍ୟଦଳ ଛାଡି ବିଜେଡିରେ ସାମିଲ ହେଉଛନ୍ତି ନେତା  ଓ କର୍ମୀ । ଵିଜେପି ଓ କଂଗ୍ରେସ ଦଳର ୫ ଶହରୁ ଅଧିକ ନେତା ଓ କର୍ମୀ  ଆଜି ଵିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଠାରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ଵରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଵିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଵିଶ୍ରା ଵ୍ଲକ ଭାଇସ ଚେୟାରମ୍ୟାନ ଵିଜେଡିରେ ଯୋଗଦାନ କରିଛନ୍ତି ।

୪ ଜଣ ସମିତି ସଭ୍ୟ, ୨୦ ରୁ ଅଧିକ ନାଏଵ ସରପଞ୍ଚ ଓ ଓ୍ବାର୍ଡ ମେମ୍ବରଙ୍କ ସହ ଵହୁ ମହିଳା ନେତ୍ରୀ ଓ  ଯୁଵ ନେତା ଆଜି ଵିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଵିଜୁ ଜନତା ଦଳରେ ଯୋଗଦାନ କରିଥିବା ନେତା ଓ କର୍ମୀମାନଙ୍କୁ ସ୍ଵାଗତ କରିଛନ୍ତି  ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରାଉରକେଲା ସାଂଗଠନିକ ଜିଲ୍ଲା ଵିଜେଡି ସଭାପତି ହାଲୁ ମୁଣ୍ଡାରୀ,  ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁଜୁରଙ୍କ ସହ ଅନ୍ୟ ବରିଷ୍ଠ ବିଜେଡ଼ି ନେତା ।