ଭୟଙ୍କର ରୂପରେ ମାଡ଼ିଆସୁଛି ବାତ୍ୟା ମିଗଜୋମ୍

ଭୁବନେଶ୍ବର: ଭୟଙ୍କର ରୂପରେ ମାଡ଼ିଆସୁଛି ବାତ୍ୟା ମିଗଜୋମ୍ । ସୋମବାର ପୂର୍ବାହ୍ନ ସୁଦ୍ଧା ବାତ୍ୟା ଉତ୍ତର ଦିଗରେ ଗତି କରି ନେଲୋର ଏବଂ ମଚ୍ଛଲିପଟ୍ଟନମ୍ ମଧ୍ୟରେ ବାପାଟଲାର ନିକଟରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାକୁ ୯୦ ରୁ ୧୦୦କିଲୋମିଟର ବେଗରେ ପବନ ବହିବ । ଝଟକା ପବନର ବେଗ ୧୧୦ କିମି ଛୁଇଁପାରେ । ଏଥିପାଇଁ ଚେନ୍ନାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି । ସ୍ଥଳଭାଗ ଛୁଇଁବା ଆଗରୁ ତାମିଲନାଡ଼ୁରେ ତାଣ୍ଡବ ରଚୁଛି ମିଗଜୋମ୍ । ପ୍ରବଳ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ବିଭିନ୍ନ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ବିମାନବନ୍ଦରରେ ଲହଡ଼ି ମାରୁଛି ପାଣି । ଚେନ୍ନାଇ ଆସିବାକୁ ଥିବା କେତେକ ବିମାନ ବାତିଲ ଓ ଅଧିକାଂଶର ଗତିପଥ ପରିବର୍ତ୍ତନ କରାଯାଇଛି । ତାମିଲନାଡ଼ୁ ସରକାର ଅନେକ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା କରିଥିବାବେଳେ ଓ ସାର୍ବଜନିକ ସ୍ଥାନ ବନ୍ଦ କରିଦେଇଛନ୍ତି । ତଳିଆ ଅଂଚଳରେ ପାଣି ଜମିଥିବାରୁ ରେସକ୍ୟୁ ଅପରେସନକୁ ଜୋର ଦିଆଯାଇଛି । ଉପକୂଳ ଅଂଚଳରେ ୫ ହଜାରରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ଉଦ୍ଧାରକାର୍ଯ୍ୟରେ ସେନାର ଯବାନ ସହ ଏନଡିଆରଏଫ ଓ ଏସଡିଆରଏଫ ଯବାନ ମୁତୟନ ହୋଇଛନ୍ତି ।