ନଜର ପକାନ୍ତୁ ଓଡ଼ିଶା ଉପରେ କ’ଣ ରହିବ ବାତ୍ୟାର ପ୍ରଭାବ

1 min read

ଭୁବନେଶ୍ବର: ଓଡ଼ିଶାରେ କମ୍ ପବନ ବେଶୀ ବର୍ଷା । ଦକ୍ଷିଣ-ଉପକୂଳ ଓଡ଼ିଶାରେ ପଡ଼ିବ ବାତ୍ୟା ପ୍ରଭାବ । ସୋମବାର ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୭୦ ରୁ ୨୦୦ ମିଲିମିଟର ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ସମ୍ଭାବ୍ୟ ସ୍ଥିତିକୁ ନଜରରେ ରଖି ୫ ଜିଲ୍ଲାରେ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ଅତିରିକ୍ତ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି । ବିଭିନ୍ନ ବିଭାଗ ସହ ଏସଆରସି ଜରୁରୀ ବୈଠକ କରିବା ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦ ହଜାର ମାଛଧରା ଡଙ୍ଗା କୂଳକୁ ଆସିଛି ।

ଆଉ କୌଣସି ମତ୍ସଜୀବୀଙ୍କ ଡଙ୍ଗା ସମୁଦ୍ରରେ ନାହିଁ । ବାତ୍ୟା ମିଗଜୋମ୍ ଉପରେ ଏସଆରସି କାର୍ଯ୍ୟାଳୟ ତୀକ୍ଷ୍ନ ନଜର ରଖିଛି ପ୍ରବଳ ବର୍ଷାରେ ଧାନ ଓ ପରିବା ଫସଲ ନଷ୍ଟ ହେବା ଆଶଙ୍କା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷାକୁ ଆଖି ଆଗରେ ରଖି ଯୋଗାଣ ବିଭାଗ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ୬ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଏହାସହ ସବୁ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୭ ତାରିଖରେ ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି।