ତାଳଚେରରେ ପ୍ରତିଷ୍ଠା ହେବ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଆଣ୍ଡ ହସପିଟାଲ

ତାଳଚେର: ଓଡ଼ିଶାରେ ସମୃଦ୍ଧ ସ୍ବାସ୍ଥ୍ୟସେବାର ଆଉ ଏକ ଅଧ୍ୟାୟ । ଅନୁଗୁଳ ଜିଲ୍ଲା ତାଳଚେରରେ ପ୍ରତିଷ୍ଠା ହେବ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଆଣ୍ଡ ହସପିଟାଲ । ଏହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ବର୍ତ୍ତମାନ କାର୍ଯ୍ୟକରୁଥିବା ଏମସିଏଲର ନେହେରୁ ଶତାବ୍ଦି ହସପିଟାଲକୁ ସରକାର ହାତକୁ ନେଇ ଏହାର ନାମ ପରିବର୍ତ୍ତନ କରିଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭବିଷ୍ୟତରେ ତାଳଚେରରେ ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ଏହି ହସପିଟାଲ ଟିଚିଂ ହସପିଟାଲ ଭାବେ କାର୍ଯ୍ୟ କରିବ । ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ । ସ୍ବାଧୀନତା ପରବର୍ତ୍ତୀ ସମୟରେ ଓଡିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ତାଳଚେର ରାଜାଙ୍କ ଅତ୍ୟାଚାର ଅନ୍ୟାୟ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ନେତୃତ୍ୱ ନେବା ସହ ଭାରତଛାଡ ଆନ୍ଦୋଳନରେ ମଧ୍ୟ ସେ ଯୋଗଦେଇଥିଲେ । ବିଭିନ୍ନ ସମୟରେ ବିଧାୟକ, ସାଂସଦ, ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟକରି ରାଜ୍ୟର ବିକାଶରେ ସେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି। ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲକୁ ତାଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।