ସୁନ୍ଦରଗଡ଼: ସୁନ୍ଦରଗଡ଼ରେ କାୟା ମେଲାଉଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୦ ରୋଗୀ । ଏହାକୁ ମିଶାଇ ୨୯୨ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା । ସ୍କ୍ରବ ଟାଇଫସରେ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଆଇସିୟୁରେ ଚାଲିଛି ଜଣେ ଗୁରୁତରଙ୍କ ଚିକିତ୍ସା । ଏଭଳି ସ୍ଥିତିରେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଦିଆଯାଇଛି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ କୁହାଯାଇଛି । ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବା ବେଳେ ବିଭିନ୍ନ ଛକ ଓ ହାଟ ମାନଙ୍କରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ।
ଭାରତର ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି କାନାଡ଼ା
ନନ୍ଦିଘୋଷ ବ୍ୟୁରୋ: ଭାରତ-କାନାଡା ବିବାଦକୁ ନେଇ ଆମେରିକାରେ ବଡ ବୟାନ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି ଯେ କାନାଡା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି । ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛନ୍ତି ଭାରତ ସରକାର । ଭାରତ ବିରୋଧରେ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରିବା ସହ କଣ ପ୍ରମାଣ ଅଛି କାନାଡା ଦେଉ ବୋଲି କହିଛନ୍ତି ଏସ୍ ଜୟଶଙ୍କର ।
କାନାଡା ଅଭିଯୋଗ କରିବା ଦିନଠାରୁ କୌଣସି ପ୍ରକାର ପ୍ରମାଣ ଦେଇନାହିଁ । ପ୍ରମାଣ ମିଳିଲେ ଅନୁଧ୍ୟାନ କରାଯିବ । କାନାଡ଼ା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥାଏ ବୋଲି ଭାରତ ସରକାର କହିଛନ୍ତି । କାନାଡା ଉଗ୍ରବାଦୀ ଏବଂ ଆତଙ୍କବାଦୀ ତତ୍ତ୍ୱମାନଙ୍କୁ ଆଶ୍ରୟ ଦେଉଛି । ଭାରତ ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛି। କାନାଡାରେ ଥିବା କୂଟନୈତିକ ଅଧିକାରୀ ମାନେ ଦୂତାବାସ ଅଫିସ ଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି । ଖୋଲାଖୋଲି ଧମକ ମିଳୁଛି। ଯାହା ଫଳରେ ଭିସା କାର୍ଯ୍ୟ ସ୍ଥଗିତ ରଖାଯାଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ।
ମା’ଙ୍କ ଆବାହନ କରୁଛି ଧମଳମତୀ କାଶତଣ୍ଡୀ
ଜଗତସିଂହପୁର: ଆଗକୁ ଆସୁଛି ପାର୍ବଣ ଋତୁ। ଶାରଦୀୟ ଦୁର୍ଗାପୂଜା ପାଇଁ ଚାଲିଛି ପ୍ରସ୍ତୁତି। ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପୁଜା ମଣ୍ଡପ ଗୁଡିକରେ ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ । ମାଆ ଦୁର୍ଗାଙ୍କ ଆଗମନକୁ ନେଇ ସୂଚନା ଦେଉଛି କାଶତଣ୍ଡି । ରାସ୍ତା କଡ ଏବଂ ନଦୀ ପଠାରେ ସଜେଇ ହୋଇଛି ଧବଳମତୀ କାଶତଣ୍ଡି ।
ଶାନ୍ତିର ପ୍ରତୀକ ଧବଳ ବର୍ଣ୍ଣର କାଶତଣ୍ଡି ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ମା’ ଦୁର୍ଗାଙ୍କ ଆଗମନ ହେଲେ ଧରାପୃଷ୍ଠରେ ଖିଲି ଖିଲି ହସେ ଧବଳମତୀ କାଶତଣ୍ଡି । ପବନରେ ଦୋଳୀୟମାନ ଏହି ସୁନ୍ଦର ଫୁଲକୁ ଦେଖି କବିପ୍ରାଣରେ ନୂଆ ରୋମାଞ୍ଚ ଭରିଯାଏ । ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଖେଳୁଛି କାଶଚଣୀ । ମାଆଙ୍କ ଆଗମନ ପୂର୍ବରୁ ଯେମିତି ସେ ସ୍ବାଗତ ପାଇଁ ଖିଲି ଖିଲି ହସୁଛି। ରାସ୍ତା କଡ ଏବଂ ନଦୀ ପଠାରେ ସଜେଇ ହୋଇଛି ଧବଳ ଚାଦର ।
ମାଆଙ୍କ ଆଗମନ ପାଇଁ ପ୍ରସ୍ତୁତ ଜଗତସିଂହପୁର କାରିଗର । ନଡା ବନ୍ଧା ହୋଇ ତିଆରି ହେଉଛି ମାଟି ମୂର୍ତ୍ତି । ବିରିଡି, ନାଉଗାଁ,ବାଲିକୁଦା, ରଘୁନାଥପୁର, ତିର୍ତ୍ତୋଲ,ଏରସମା, କୁଜଙ୍ଗ ଅଞ୍ଚଳରେ ଧୁମ ଧାମରେ ପାଳିତ ହୋଇଥାଏ ଶାରଦୀୟ ଦୁର୍ଗାପୂଜା। କୃଷି ଭିତ୍ତିକ ଚଳଣିରେ ଦେବୀ ହେଉଛନ୍ତି ଉତ୍ପାଦନର ପ୍ରତୀକ। ଦେବୀ ସର୍ବ ଶକ୍ତି ସ୍ୱରୂପା, ସେ ବୀରତ୍ବର ପ୍ରତୀକ । ଦଶହରାକୁ ଧୁମଧାମରେ ପାଳନ କରିବା ପାଇଁ ଏକତ୍ରିତ ହୁଅନ୍ତି ଲୋକେ।



