ସଂସଦ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସ ଆକ୍ରାମକ,ନିଶାନାରେ ବିଜେପି

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ତ୍ରୁଟିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବିଜେପି ସରକାରକୁ କଂଗ୍ରେସ ଟାର୍ଗେଟ କରିଥିବାବେଳେ ସୁରକ୍ଷା ବଳୟକୁ ନେଇ ଉଠାଇଛି ପ୍ରଶ୍ନବାଚୀ । କଂଗ୍ରେସ କହିଛି କି, ବିଜେପି ସାଂସଦଙ୍କ ପାସରେ ସେମାନେ ପ୍ରବେଶ କରିଥିବାବେଳେ ଅଭିଯୁକ୍ତମାନେ ବିଜେପିର ଅତିଥୀ । ଏଣୁ ସେମାନେ ନୂଆ ସଂସଦ ଭବନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିବା ପ୍ରଶ୍ନକୁ ଘୋଡ଼ାଇବା ପାଇଁ ସରକାର ଚେଷ୍ଟା କରୁଥିବା କୁହାଯାଉଛି ।

ସେପଟେ ସଂସଦର ସୁରକ୍ଷାବଳୟ ଭେଦ କରିବା ଘଟଣାରେ ୪ ନୁହେଁ ମୋଟ ୬ ଜଣ ସାମିଲ ରହିଛନ୍ତି । ପାଞ୍ଚ ଜଣ ଧରାପଡ଼ିଥିବା ବେଳେ ଜଣେ ଏବେ ବି ଫେରାର ଅଛି  । ଅନୁପ୍ରବେଶ ପୂର୍ବରୁ ସମସ୍ତେ ଗୁରୁଗ୍ରାମର ଗୋଟିଏ ଘରେ ଏକାଠି ହୋଇଥିଲେ । ସେଠାରେ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ସଂସଦ ଭିତରେ ହଙ୍ଗାମା କରିଥିବା ଦୁଇ ଯୁବକ ହେଲେ ସାଗର ଶର୍ମା ଓ ମନୋରଞ୍ଜନ ଡି । ଏମାନଙ୍କ ଘର ମହୀଶୂରରେ । ସେହିପରି ସଂସଦ ବାହାରେ ବିକ୍ଷୋଭ କରି ଗିରଫ ହୋଇଥିବା ଅମୋଲ ସିନ୍ଦେଙ୍କ ଘର ମହାରାଷ୍ଟ୍ରରେ ।

ଅମୋଲଙ୍କ ସହ ନୀଲମ ମଧ୍ୟ ସଂସଦ ବାହାରେ ବିକ୍ଷୋଭ କରିଥିଲେ । ସେ ହରିୟାଣାର ହିର୍ସାର ଗୋଟିଏ ପିଜିରେ ରୁହନ୍ତି । ସମ୍ବିଧାନ ବଞ୍ଚାଅ, ଏକଛତ୍ରବାଦ ଶାସନ ବନ୍ଦ କରିବାର ନାରା ଦେଇ ଏମାନେ ବିକ୍ଷୋଭ କରିଥିଲେ । ସମସ୍ତେ ସମସ୍ତଙ୍କୁ ଜାଣିଛନ୍ତି । ସେମାନେ ସୋଶାଲ ମିଡିଆରେ ଏକାଠି ହୋଇଥିଲେ । ଏହାପରେ ଯୋଜନା ମୁତାବକ ସଂସଦରେ ପ୍ରବେଶ କରିଥିଲେ ବୋଲି କୁହାଯାଉଛି । ସଂସଦର ସୁରକ୍ଷା ଭେଦ କରିବା ଘଟଣାରେ ସାମିଲ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଧରାପଡ଼ିଛନ୍ତି। ୬ ଜଣଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀ ବାହାରୁ ଆସିଥିଲେ । ସେମାନେ ଗୁରୁଗ୍ରାମରେ ଥିବା ଲଳିତ ଯାଦବଙ୍କ ଘରେ ରହିଥିଲେ । ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳିଛି । ୬ଷ୍ଠ ଯୁବକ ଜଣଙ୍କ କିଏ, ତାହା ଏଯାଏ ଜଣାପଡ଼ିନି । ଏହି ୬ ଜଣ ଯାକ ମିଳିତ ଭାବେ ଗୁରୁଗ୍ରାମ ସ୍ଥିତ ରୁମରେ ଆଜିର ଘଟଣା ପାଇଁ ଯୋଜନା କରିଥିଲେ । ଯୋଜନା ମୁତାବକ ସଂସଦରେ ପ୍ରବେଶ ପାଇଁ ପାସ୍‌ ଯୋଗାଡ଼ କରାଯାଇଥିଲା । ପରେ ନିଜ ଯୋଜନା ଅନୁସାରେ ପଦକ୍ଷେପ ନେଇଥିଲେ ।