ନନ୍ଦିଘୋଷ ବ୍ୟୁରୋ: ସାଉଥ ଆଫ୍ରିକାର ଜୋହନସବର୍ଗରେ ବଡ଼ଧରଣର ଅଗ୍ନିକାଣ୍ଡ । ଏକ ବୃହତ କୋଠାରେ ଅଗ୍ନିକାଣ୍ଡ ଘଟିବା ଯୋଗୁ ପ୍ରାଣ ହରାଇଛନ୍ତି ୭୩ ଜଣ । ଆହତ ହୋଇଛନ୍ତି ୪୫ରୁ ଅଧିକ ଲୋକ । ମୃତାହତଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ସୂଚନା ମିଳିଛି । ଦୀର୍ଘସମୟ ଧରି ନିଆଁ ଲାଗିବା ଯୋଗୁ କୋଠାରେ ବ୍ୟାପକ କ୍ଷତି ଘଟିଛି । ଘଟଣାସ୍ଥଳରେ ଜରୁରୀକାଳୀନ ବାହିନୀ ମୁତୟନ ରହି ଉଦ୍ଧାର କାର୍ଯ୍ୟ କରିଥିଲେ । ଏହି କୋଠାରେ ଯେଉଁମାନଙ୍କୁ ଘର ସୁବିଧା ଦିଆଯାଇ ନଥିଲା ସେମାନଙ୍କୁ ରଖାଯାଇଥିଲା । ବିଭିନ୍ନ୍ ମହଲାରେ ସେହି କୋଠାରେ ପ୍ରାୟ ୨୦୦ ଲୋକ ରହୁଥିଲେ । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡ ପରେ ପାଞ୍ଚ ମହଲାରେ ଥିବା ସମସ୍ତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
୭ ବର୍ଷରୁ କମ୍ ସଜା ଥିବା ଅଭିଯୁକ୍ତଙ୍କ ଗୋଡରେ ଲାଗିବ ଜିପିଏସ୍ ଟ୍ରାକର
ନନ୍ଦିଘୋଷ ବ୍ୟୁରୋ: ୭ ବର୍ଷରୁ କମ୍ ସଜା ଥିବା ଅଭିଯୁକ୍ତଙ୍କ ଗୋଡରେ ଲାଗିବ ଜିପିଏସ୍ ଟ୍ରାକର । ଜେଲ ଡିଜିଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର କମିଟିର ପ୍ରଶଂସା । ସାରା ଦେଶରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ । ଜେଲ ଅନ୍ତେବାସୀଙ୍କ ଗୋଡରେ ଲାଗିବ ଜିପିଏସ୍ । ଟ୍ୟାମ୍ପର କଲେ ବାଜିବ ଆଲାର୍ମ । 5T ଅଧୀନକୁ ଜେଲ ବିଭାଗ ଆସିବା ପରେ ବ୍ୟବସ୍ଥାରେ ସୁଧାର ହୋଇଛି । କ୍ଷମତାଠାରୁ କଏଦୀଙ୍କ ସଂଖ୍ୟା ବୃଦ୍ଧି ପରେ ଜେଲ ବିଭାଗ ଅଭିନବ ପଦକ୍ଷେପ ନେଇଛି । କାଳକୋଠରୀ ନୁହେଁ ବରଂ ସୁଧାର ଗୃହ ଭାବେ କାମ କରିବା ପ୍ରୟାସ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜେଲ ଡିଜି ମନୋଜ ଛାବ୍ରା ।
୧୨୫ ବର୍ଷ ପରେ ଫ୍ଲୋରିଡ଼ାରେ ଭୟଙ୍କର ଝଡ଼
ନନ୍ଦିଘୋଷ ବ୍ୟୁରୋ: ହରିକେନ ଇଡାଲିଆରେ ଛାରଖାର ଆମେରିକାର ଫ୍ଲୋରିଡା । ଫ୍ଲୋରିଡାର ଗଲ୍ପ କୋଷ୍ଟରେ ଧ୍ବଂସଲୀଳା ସୃଷ୍ଟି କଲା ଇଡାଲିଆ । କାଟେଗୋରୀ ୩ ଝଡରେ ଘଟିଛି ନାହିଁ ନଥିବା କ୍ଷତି । ପ୍ରାୟ ୧୨୫ ବର୍ଷ ପରେ ଏହି ଧରଣର ଭୟଙ୍କର ଝଡ଼ ଆସିଛି ବୋଲି କୁହାଯାଇଛି । ଏହାର ପ୍ରଭାବରେ ଫ୍ଲୋରିଡା, ଜର୍ଜିଆ, ସାଉଥ କାରୋଲିନାରେ ବ୍ୟାପକ କ୍ଷତି ଘଟିଛି । ବିଭିନ୍ନ ସ୍ଥାନରେ ଘଣ୍ଟାପ୍ରତି ୨୦୫ କିଲୋମିଟର ବେଗରେ ପବନ ପ୍ରବାହିତ ହୋଇଛି । ପ୍ରାୟ ୪ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି । ଅନେକ ସହର ବି ଜଳପ୍ଲାବିତ ହୋଇଛି । ଲୋକଙ୍କୁ ଘରେ ରହିବା ଲାଗି ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଓ ଜଳପ୍ରବାହ ଯୋଗୁଁ ଅନେକ ରାସ୍ତା ଜଳମଗ୍ନ ହୋଇଛି । ଗୁରୁବାର ଇଡାଲିଆ ଏକ ଟ୍ରପିକାଲ ଷ୍ଟର୍ମରେ ରୂପାନ୍ତରିତ ହୋଇଥିବା ସତ୍ତ୍ବେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି । ଆଗକୁ ଏହି ଧରଣର ଝଡବାତ୍ୟା ଆସନ୍ତା ନଭେମ୍ବର ଯାଏ ଜାରି ରହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ଗତବର୍ଷ ହୋଇଥିବା କାଟେଗୋରୀ ୫ ଭୟଙ୍କର ଝଡରେ ୧୫୦ ଲୋକ ପ୍ରାଣ ହରାଇଥିବାବେଳେ ୫୩ ହଜାର କୋଠା ନଷ୍ଟ ହୋଇଥିଲା । ହରିକେନ ଇଡାଲିଆ ଯୋଗୁ ୮୫୦ ବିମାନ ବାତିଲ ହୋଇଛି ।
ସାବଧାନ! ସକ୍ରିୟ ହେଉଛନ୍ତି ଜାଲ୍ ଓ୍ବେବସାଇଟ ସଂସ୍ଥା
ନନ୍ଦିଘୋଷ ବ୍ୟୁରୋ: ସକ୍ରିୟ ହେଉଛନ୍ତି ଜାଲ୍ ଓ୍ବେବସାଇଟ ସଂସ୍ଥା । ଏପରିକି ସୁପ୍ରିମକୋର୍ଟଙ୍କୁ ବ୍ୟବହାର କରିବାକୁ ପଛାଉନାହାନ୍ତି ଠକ । ଓ୍ବେବସାଇଟ ଜରିଆରେ ଲୋକଙ୍କ ସବିଶେଷ ବିବରଣୀ ଓ ଗୋପନୀୟ ତଥ୍ୟର ଅପବ୍ୟବହାର କରାଯିବାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ଏହି ସ୍କାମ ସମ୍ପର୍କରେ ଆଡଭାଇଜରୀ ଜାରି କରିଥିବାବେଳେ ସତର୍କ କରାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି ପକ୍ଷରୁ କୁହାଯାଇଛି- ସୁପ୍ରିମକୋର୍ଟଙ୍କ ନାମରେ ଦୁଇଟି ଫେକ୍ ଓ୍ବେବସାଇଟ ଖୋଲାଯାଇଛି । ସେଗୁଡିକ ହେଲା http://cbins/scigv.com ଓ https://cbins.scigv.com/offence ।
ଓ୍ବେବସାଇଟ ଜରିଆରେ ଲୋକଙ୍କ ସବିଶେଷ ବିବରଣୀ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ସମ୍ପର୍କରେ ସୂଚନା ନିଆଯାଉଛି । ସେହିପରି ଫେକ ଓ୍ବେବସାଇଟରେ ବ୍ୟାଙ୍କ ନାମ, ଫୋନ ନମ୍ବର, ପାନ୍, ଅନଲାଇନ ବ୍ୟାଙ୍କିଙ୍ଗ ୟୁଜର ଆଇଡି, ଲଗ୍ ଇନ ପାସଓ୍ବାର୍ଡ ଓ କାର୍ଡ ପାସଓ୍ବାର୍ଡ ଆଦିର ସୂଚନା ନିଆଯାଉଛି । ଏହି ଦୁଇଟି ଓ୍ବେବସାଇଟରେ କୌଣସି ପ୍ରକାର ତଥ୍ୟା ସେୟାର ନ କରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୁପ୍ରିମକୋର୍ଟ ପକ୍ଷରୁ କୌଣସି ପ୍ରକାର ବ୍ୟକ୍ତିଗତ ସୂଚନା, ଆର୍ଥିକ ବିବରଣୀ ମଗାଯାଉନାହିଁ ବୋଲି ସୁପ୍ରିମକୋର୍ଟ ରେଜିଷ୍ଟ୍ରି ପକ୍ଷରୁ କୁହାଯାଇଛି । ବିଭିନ୍ନ ଫେକ୍ ଓ୍ବେବସାଇଟ ସମ୍ପର୍କରେ ତଦନ୍ତ କରିବା ଲାଗି ଆଇନ କାର୍ଯ୍ୟକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଆକ୍ସନରେ ଭରପୂର ଶାହରୁଖଙ୍କ ‘ଯବାନ’, ଟ୍ରେଲର ରିଲିଜ…
ମୁମ୍ବାଇ: ରିଲିଜ ହେଲା ଆକ୍ସନ ଫିଲ୍ମ `ଯବାନ୍’। ମେନ୍ ଲିଡ୍ରେ କିଙ୍ଗ ଖାନ୍ଙ୍କ ଭିଲେନ୍ ଲୁକକୁ ନେଇ ଜୋରଦାର୍ ଚର୍ଚ୍ଚା । ପଠାନଠୁ ବି ବଡ଼ ଧମାକା କରିବ ଶାହରୁଖଙ୍କ ଅଭିନୀତ ମୁଭି ଯବାନ୍ । ଯାହାର ଟ୍ରେଲରରୁ ହିଁ ଅନ୍ଦାଜ ଲଗାଇସାରିଲେଣି ଏସଆରକେ ଫ୍ୟାନ୍ । ଜବରଦସ୍ତ ଆକ୍ସନ, ଦମଦାର ଡାଇଲଗ୍ ନେଇ ଆସୁଥିବା ଯବାନର ଟ୍ରେଲର ଆଜି ରିଲିଜ୍ ହୋଇଛି। ରୋମାଣ୍ଟିକ, ଷ୍ଟାଇଲିସ ଓ ଡ୍ୟାସିଂ ହିରୋଙ୍କ ଏପରି ଲୁକ୍ସ ଫିଲ୍ମ ଲଭରଙ୍କୁ ଖୁବ୍ ପସନ୍ଦ ଆସିଛି। ଟ୍ରେଲରରେ ଶାହରୁଖ ଟ୍ରେନ୍ ହାଇଜାକ୍ କରୁଥିବା ନଜର ଆସିଛି ।

ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସାଉଥ୍ ଡିରେକ୍ଟର ଅଟଲୀଙ୍କର ଏହା ହେଉଛି ବଲିଉଡ଼ ଏଣ୍ଟ୍ରି ଫିଲ୍ମ । ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ତିଆରି ହୋଇଛି ଫିଲ୍ମ । ଫିଲ୍ମରେ ପୋଲିସ କ୍ୟାରେକ୍ଟର ପ୍ଲେ କରୁଛନ୍ତି ସାଉଥ ସୁନ୍ଦରୀ ନୟନତାରା । ତାଙ୍କର ଧୂଆଁଧାର ଆକ୍ସନ ଫିଲ୍ମରେ ଲଗାଇଛି ଚାରଚାନ୍ଦ । ଫିଲ୍ମରେ ଶାହରୁଖଙ୍କ ମିଶନର ମୁଦ୍ଦା ହୋଇଥିବା ଭିଲେନ୍ ବିଜୟ ସେତୁପତିଙ୍କୁ ବଲିଉଡ଼ରେ ଦେଖିବାକୁ ଫ୍ୟାନ୍ ବି ୱେଟ୍ କରିଛନ୍ତି । ଶାହରୁଖ ଓ ବିଜୟ ସେତୁପତିଙ୍କର ଦମଦାର ଟକ୍କର ହେବ ବୋଲି ଫିଲ୍ମର ଟ୍ରେଲରରୁ ବାରି ହୋଇପଡ଼ୁଛି । କେବଳ ନୟନତାରା କାହିଁକି ଫିଲ୍ମରେ ଥିବା ଗାର୍ଲ ଗ୍ୟାଙ୍ଗଙ୍କ ବିସ୍ଫୋରକ ଆକ୍ସନ ଟ୍ରେଲରରେ ନଜର ଆସିଛନ୍ତି ।
ସାନ୍ୟା ମଲହୋତ୍ରା, ପ୍ରୀୟାମଣି, ଅକ୍ସଲେସା ଠାକୁର, ଲହର ଖାନ୍, ରିଦ୍ଦୀ ଡୋଗରା, ସଞ୍ଜିତା ଭଟ୍ଟାଚାର୍ଯ୍ୟ ନଜର ଆସିଛନ୍ତି । ଶାହରୁଖଙ୍କ ଏହି ଗାର୍ଲ ଗ୍ୟାଙ୍ଗ ଫୁଲ୍ ଟୁ ଆକ୍ସନ ଅନ୍ଦାଜରେ ନଜର ଆସିଛନ୍ତି । ଦୀପିକା ପାଦୁକୋଣ ସ୍ପେଶାଲ ଆପିରାନ୍ସରେ ଆସିବେ । ସୁନୀଲ ଗ୍ରୋଭର ମଧ୍ୟ ନଜର ଆସିଛନ୍ତି । ଆସନ୍ତା ୭ ସେପ୍ଟେମ୍ବରରେ ହିନ୍ଦୀ, ତାମିଲ୍ ଓ ତେଲୁଗୁ ୩ଟି ଭାଷାରେ ରିଲିଜ୍ ହେବ ଯବାନ୍ । ଅପେକ୍ଷା ହଲ୍ରେ ଯବାନକୁ କେତେ ଜୋଶ ଦେଉଛନ୍ତି ଫ୍ୟାନ୍ ।
ବଡ଼ଚଣାରେ ବିକାଶ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ, ସ୍ବଚ୍ଛତାର ସହ କାମ କରିବାକୁ ଦେଲେ ଆହ୍ବାନ
ଯାଜପୁର: ଯାଜପୁର ବଡ଼ଚଣା ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ଲୋକଙ୍କଠାରୁ ଅଭିଯୋଗପତ୍ର ନେଇଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ସବୁ କଲେଜକୁ ମୁଖ୍ୟମନ୍ତ୍ରୀ 5Tରେ ରୂପାନ୍ତର କରୁଛନ୍ତି। ସମସ୍ତେ ସହଯୋଗ କଲେ ୬ମାସ ମଧ୍ୟରେ ପିଲାମାନେ ସ୍ମାର୍ଟ କ୍ଳାସରୁମ୍, ଇ-ଲାଇବ୍ରେରୀ ଆଦି ସୁବିଧା ପାଇବେ ବୋଲି 5T ସଚିବ କହିଛନ୍ତି। ସବୁ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ମିଳିଥିବା ଦରଖାସ୍ତ ନେଇ ୭ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ। ଉନ୍ନତି ପାଇଁ ଅର୍ଥ ମଞ୍ଜୁରୀ କରିବେ।
ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳ ଆଲୋଚନା କରିବେ। କାଲି ସନ୍ଧ୍ୟା ସୁଦ୍ଧା ଘରେ ଇଂଜିନିୟର ପହଞ୍ଚି ବ୍ୟବସ୍ଥା କରିବେ। ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଗୁରୁତ୍ୱ ଦିଅନ୍ତି। ଫସଲବୀମାରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରିମିୟମ ଛାଡ କରିଛନ୍ତି। ବିନା ସୁଧରେ ଏକ ଲକ୍ଷ ଟଙ୍କା ଋଣ ଦେଉଛନ୍ତି। ଯାଜପୁର ଜିଲ୍ଲାରେ ୧୭ହଜାରରୁ ଅଧିକ ମିଶନ ଶକ୍ତି ଗ୍ରୁପ ଗୋଟିଏ ବର୍ଷରେ ୫୦୦କୋଟିରୁ ଅଧିକ ଲୋନ ନେଇଛନ୍ତି। ଖାଲି ପଡିଥିବା ସବୁ ସରକାରୀ ବିଲ୍ଡିଂକୁ ମରାମତି କରି ମାସେ ମଧ୍ୟରେ ମିଶନଶକ୍ତି ଗ୍ରୁପକୁ ବିନା ଭଡାରେ ହସ୍ତାନ୍ତର କରାଯିବ।
ବିଏସକେଓ୍ବାଇରେ ରାଜ୍ୟ ଓ ରାଜ୍ୟ ବାହାରେ ଚିକିତ୍ସା ପାଇଁ ସୁବିଧା ପାଉଛନ୍ତି ଲୋକେ। ବଡଚଣା ରେ ଥିବା ୧୮ଟି ପଞ୍ଚାୟତରେ ପିଇବା ପାଣି ପହଞ୍ଚିବ। ପିଇବା ପାଣି ଘରେ ଘରେ ପହଞ୍ଚିବା ପାଇଁ ୧୮୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଖର୍ଚ୍ଚ କରୁଛନ୍ତି। ବାଲିକୁଦାରେ ମେଗାଲିଫ୍ଟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୫ କୋଟି ଅନୁଦାନ ଦେଇଛନ୍ତି। ମାଧେଇପୁର ଇରିଗେସନ ପାଇଁ ୫କୋଟି, ନାଲିଆପୁର ରାସ୍ତା ପାଇଁ ୬କୋଟି ଟଙ୍କା ମଞ୍ଜୁର କରାଯାଇଛି। ମହାବିନାୟକ ମନ୍ଦିର ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିପିଆର ମିଳିବାର ୧୫ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଟଙ୍କା ମଞ୍ଜୁର କରିବେ। ମହାବିନାୟକ ଏବଂ ଚଣ୍ଡୀ ମନ୍ଦିର ଉନ୍ନତି କରଣ ହେବ। ପ୍ରତି ଦରଖାସ୍ତର ବିଚାର କରାଯାଇ ମାସେ ମଧ୍ୟରେ ସମାଧାନ କରାଯିବ ବୋଲି 5T ସଚିବ କହିଛନ୍ତି ।
ମୁମ୍ବାଇରେ ବିରୋଧୀଙ୍କ ମହାମେଳି, ୨୪ ପାଇଁ ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ
ମୁମ୍ବାଇ: ୨୦୨୪ ପାଇଁ ରୋଡମ୍ୟାପ୍ । ୨୮ ଦଳ ୬୨ ନେତା । ମୁମ୍ବାଇରେ ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ୍ । ବିରୋଧୀ ମହାମେଣ୍ଟର ଆଜି ତୃତୀୟ ବୈଠକ । ପାଟନା ବୈଠକରେ ଏକାଠି ଲଢ଼ିବାକୁ ସହମତ ହୋଇଥିବା ବେଳେ ବେଙ୍ଗାଲୁରୁ ବୈଠକରେ ମେଣ୍ଟର ନାମକରଣ ହୋଇଥିଲା । ଆଜି ତୃତୀୟ ବୈଠକ ବସୁଥିବା ବେଳେ ମେଣ୍ଟ ପକ୍ଷରୁ କିଏ ହେବେ ପ୍ରଧାନମନ୍ତ୍ରୀ ଚେହେରା, ମହାମେଣ୍ଟର ନୂଆ ଲୋଗୋ ଓ ପତାକାକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ । ଏହାସହ ମେଣ୍ଟର ସଂଯୋଜକ ଟିମ୍ ଓ ସମନ୍ବୟ କମିଟିକୁ ନେଇ ଦୁଇ ଦିନିଆ ବୈଠକରେ ନିଷ୍ପତ୍ତି ନିଆଯାଇପାରେ ।
ମୁମ୍ବାଇ ବୈଠକ ପରେ ମେଣ୍ଟର ଆଗାମୀ ରଣନୀତିକୁ ନେଇ ଚିତ୍ର ସ୍ପଷ୍ଟ ହେବା ସମ୍ଭାବନା ରହିଛି । ବିରୋଧୀ ମେଣ୍ଟରେ ସାମିଲ ଦଳଗୁଡ଼ିକ ୪୫୦ ଲୋକସଭା ଆସନ ଚିହ୍ନଟ କରିଥିବା ବେଳେ ଏନଡିଏ ବିପକ୍ଷରେ ଗୋଟିଏ ପ୍ରାର୍ଥୀ ଦେବାକୁ ଯୋଜନା ରଖିଛନ୍ତି । ଆଜି ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ଯାଏଁ ବୈଠକ ବସିବ । ରାତି ୮ଟାରେ ଶିବସେନା ଉଦ୍ଧବ ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେ ଏକ ରାତ୍ରିଭୋଜର ଆୟୋଜନ କରିବେ । ଆସନ୍ତାକାଲି ଦିନ ୧୦ଟାରୁ ୨ଟା ଯାଏଁ ମେଣ୍ଟ ବୈଠକ ଚାଲିବ । ଅପରାହ୍ନ ସାଢ଼େ ତିନିଟାରେ ବିରୋଧୀ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ । ସେପଟେ ମେଣ୍ଟ ଦଳର ନେତାମାନେ ମୁମ୍ବାଇରେ ପହଞ୍ଚୁଥିବା ବେଳେ ସହରସାରା ନେତାମାନଙ୍କ ପୋଷ୍ଟର ଲଗାଯାଇଛି ।
ସୁପ୍ରିମକୋର୍ଟରେ ଜାମ୍ମୁ ଓ କାଶ୍ମୀର ମାମଲାର ଶୁଣାଣି, ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ପାଇଁ କେନ୍ଦ୍ର ପ୍ରସ୍ତୁତ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ । ଜାମ୍ମୁ ଓ କାଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ସରକାର । ତେବେ ନିର୍ବାଚନ ନେଇ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ନିର୍ଭର କରୁଛି ବୋଲି କହିଛନ୍ତି ସରକାର । ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଚାଲିଥିବା ଦୀର୍ଘ ଶୁଣାଣି କ୍ରମେ ଆଜି ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ କରିବା ସପକ୍ଷରେ ମତ ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ- ଜାମ୍ମୁ ଓ କାଶ୍ମୀର ଥିଲା ସ୍ବତନ୍ତ୍ର ପ୍ରସଙ୍ଗ ଏବଂ ତାହାକୁ ଦୁଇଭାଗ କରିବାର ଆବଶ୍ୟକତା ଥିଲା ।
ଗତ ମଙ୍ଗଳବାର ହୋଇଥିବା ଶୁଣାଣି ବେଳ ଜାମ୍ମୁ ଓ କାଶ୍ମୀରରେ ଗଣତନ୍ତ୍ର ପ୍ରତିଷ୍ଠା ଜରୁରୀ ବୋଲି କହିଥିଲେ ସୁପ୍ରିମକୋର୍ଟ । ସେଠାରେ ଗତ ୨୦୧୮ ପରଠାରୁ କୌଣସି ନିର୍ବାଚିତ ସରକାର ନାହାନ୍ତି । ଆଜିର ଶୁଣାଣି ସମୟରେ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟପାହ୍ୟା ମାନ୍ୟତା ଦେବା ଲାଗି ଏକ ସମୟ ସୀମା ଧାର୍ଯ୍ୟ କରିବାକୁ ଅଗ୍ରାହ୍ୟ କରିଥିଲେ । ଗତ ୨୦୧୯ରେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି କେନ୍ଦ୍ର ସରକାର ଜାମ୍ମୁ -କାଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିଥିଲେ । ଏହାକୁ ବିରୋଧ କରି ଅନେକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ।
OCCRP କିଏ ? ଯିଏ ଆଦାନୀ ଗୃପର କରିଛି ନୂଆ ଖୁଲାସା
ନନ୍ଦିଘୋଷ ବ୍ୟୁରୋ : ଆଦାନୀ ଗୃପକୁ ଅନିୟମିତତା ବୋଲି ଆମେରିକୀୟ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ପରେ OCCRP ବର୍ତ୍ତମାନ ଆଦାନୀ ଗ୍ରୁପରେ ଏକ ନୂଆ ଖୁଲାସା କରିଛି। ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟ ପ୍ରକଳ୍ପ (ଓସିସିଆରପି) ଆଦାନୀ ଗ୍ରୁପ ଉପରେ ଏକ ନୂଆ ମାମଲା ଆଣିଛି । ଏହି ରିପୋର୍ଟ ଦାବି କରିଛି ଯେ ଆଦାନୀ ଗ୍ରୁପ୍ ଗୁପ୍ତ ଭାବରେ ନିଜର ଅଂଶଧନ କ୍ରୟ କରି ଷ୍ଟକ୍ ଏକ୍ସଚେଞ୍ଜରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଛି। ଏଥିରେ ମରିସସରେ ଆଦାନୀ ଗ୍ରୁପ୍ ଦ୍ୱାରା କରାଯାଇଥିବା କାରବାରର ସବିଶେଷ ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଗ୍ରୁପ୍ କମ୍ପାନୀଗୁଡିକ ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ଗୁପ୍ତ ଭାବରେ ସେମାନଙ୍କ ଅଂଶଧନ କିଣିଛନ୍ତି। ତେବେ ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟ ପ୍ରକଳ୍ପର ଅଭିଯୋଗକୁ ଅସ୍ୱୀକାର କରି ଆଦାନୀ ଗ୍ରୁପ୍ ଏକ ବିବୃତ୍ତି ଜାରି କରିଛି। କହିଛି ଯେ, ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟ ପ୍ରକଳ୍ପ (OCCRP) ହେଉଛି ଅନୁସନ୍ଧାନକାରୀ ସାମ୍ବାଦିକମାନଙ୍କର ଏକ ବିଶ୍ୱସ୍ତରୀୟ ନେଟୱାର୍କ | OCCRP ୨୦୦୬ ରେ ପ୍ରତିଷ୍ଠିତ ହୋଇଥିଲା | OCCRP ଏସିଆ, ୟୁରୋପ, ଆଫ୍ରିକା ଏବଂ ଲାଟିନ୍ ଆମେରିକାରେ ୨୪ ଟି ଅଣ-ଲାଭ ପରୀକ୍ଷା କେନ୍ଦ୍ର ଦ୍ୱାରା ଗଠିତ | OCCRP ବିଲିୟନେୟାର ନିବେଶକ ଜର୍ଜ ସୋରୋସ୍ ଏବଂ ରକଫେଲର୍ ବ୍ରଦର୍ସ ଫଣ୍ଡ ପରି ଲୋକଙ୍କଠାରୁ ଅର୍ଥ ଗ୍ରହଣ କରେ | 
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜର୍ଜ ସୋରୋସଙ୍କୁ ମୋଦୀ ସରକାରଙ୍କ କଠୋର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଏ। ସେମାନେ ସମୟ ସମୟରେ ମୋଦୀ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ଜର୍ଜ ତାଙ୍କ ସଂସ୍ଥା, ଓପନ୍ ସୋସାଇଟି ଫାଉଣ୍ଡେସନ ମାଧ୍ୟମରେ OCCRP କୁ ପାଣ୍ଠି ଦିଅନ୍ତି | ଏହା ବ୍ୟତୀତ ଏହି ଗୋଷ୍ଠୀ ଫୋର୍ଡ ଫାଉଣ୍ଡେସନ, ରକଫେଲର ବ୍ରଦର୍ସ ଫଣ୍ଡ ଏବଂ ଓକ ଫାଉଣ୍ଡେସନରୁ ମଧ୍ୟ ଅର୍ଥ ଗ୍ରହଣ କରିଥାଏ | ସଂଗଠିତ ଅପରାଧକୁ ଆଧାର କରି ରିପୋର୍ଟ ପ୍ରକାଶ କରିଥିବା ଦାବି କରିଛି OCCRP | ମିଡିଆ ହାଉସ୍ ସହିତ ସହଭାଗିତା ମାଧ୍ୟମରେ ଏହା ପ୍ରବନ୍ଧଗୁଡିକ ପ୍ରକାଶ କରେ | ଏହି ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ମଧ୍ୟ ଘରୋଇ ଆର୍ଥିକ ବଜାରରେ ସମ୍ଭାବ୍ୟ ପ୍ରଭାବ ପକାଇବା ଉପରେ ଭାରତୀୟ ନିୟାମକ ଏଜେନ୍ସିଗୁଡ଼ିକ ତୀକ୍ଷ୍ଣ ନଜର ରଖିଛନ୍ତି। ବିବାଦ ସହିତ ଆମେରିକୀୟ ବିଲିୟନେୟାର ଜର୍ଜ ସୋରୋସଙ୍କର ଏକ ଦୀର୍ଘ ସମ୍ପର୍କ ରହିଛି | ସେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ନୁହେଁ ବରଂ ସେ ଋଷିଅାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବିବାଦୀୟ ବିବୃତ୍ତି ମଧ୍ୟ ଦେଇଛନ୍ତି। ବିଭିନ୍ନ ଦେଶର ରାଜନୀତି ଏବଂ ବ୍ୟବସାୟକୁ ପ୍ରଭାବିତ କରିବା ପାଇଁ ସୋରନ୍ ତାଙ୍କ ସମ୍ପତ୍ତି ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ସୌମ୍ୟ ଜଣେ ଅଭ୍ୟାସଗତ ମିଛୁଆ’, ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ନିଜ ଖବରକାଗଜକୁ ବ୍ୟବହାର କରନ୍ତି
ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅନୁଭବ ପଟ୍ଟନାୟକଙ୍କ ଟାର୍ଗେଟ୍। ସୌମ୍ୟ ପଟ୍ଟନାୟକ ଜଣେ ଅଭ୍ୟାସଗତ ମିଛୁଆ । ଖବରକାଗଜରେ ଲେଖିଲେ, କିନ୍ତୁ ପ୍ରମାଣ କରିପାରିଲେନି। ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସୌମ୍ୟ ନିଜ ଖବରକାଗଜକୁ ବ୍ୟବହାର କରନ୍ତି । ମନ୍ତ୍ରୀ ହୋଇ ପାରିନାହାନ୍ତି ବୋଲି ଏଭଳି ରାଗ ଶୁଝାଉଥିବା ଅନୁଭବ କହିଛନ୍ତି । ନବୀନଙ୍କ ଆଶୀର୍ବାଦରେ ଖଣ୍ଡପଡ଼ା ବିଧାୟକ ହୋଇଛନ୍ତି ସୌମ୍ୟ । ହେଲେ ବିଧାୟକ ନିର୍ବାଚନ ପରଠୁ ଖଣ୍ଡପଡ଼ା ଆସୁନାହାନ୍ତି। କୋଭିଡ ସଙ୍କଟ କି ପଞ୍ଚାୟତ ନିର୍ବାଚନରେ ବି ତାଙ୍କର ଦେଖା ମିଳିଲାନି। ଠକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ବନ୍ଧୁତା କରିଛନ୍ତି ସୌମ୍ୟ । ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଅପରାଧୀଙ୍କୁ ନିଜ ଖବରକାଗଜ ମାଧ୍ୟମରେ ପ୍ରମୋସନ୍ କରୁଛନ୍ତି। ଏହା ସୌମ୍ୟଙ୍କର କି ପ୍ରକାର ନୈତିକତା ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ। ସତସାହସ ଥିଲେ ବିଧାୟକ ପଦରୁ ଇସ୍ତଫା ଦେବାକୁ ସୌମ୍ୟଙ୍କୁ ଆହ୍ବାନ ଦେଇଛନ୍ତି ଅନୁଭବ। ଅଭ୍ୟାସଗତ ମିଛୁଆଙ୍କ କଥାରେ ଓଡ଼ିଶାବାସୀ ଭ୍ରମିତ ହେବେନି ବୋଲି ସେ କହିଛନ୍ତି ।

