ମୁମ୍ବାଇରେ ବିରୋଧୀଙ୍କ ମହାମେଳି, ୨୪ ପାଇଁ ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ

ମୁମ୍ବାଇ: ୨୦୨୪ ପାଇଁ ରୋଡମ୍ୟାପ୍ । ୨୮ ଦଳ ୬୨ ନେତା । ମୁମ୍ବାଇରେ ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ୍ । ବିରୋଧୀ ମହାମେଣ୍ଟର ଆଜି ତୃତୀୟ ବୈଠକ । ପାଟନା ବୈଠକରେ ଏକାଠି ଲଢ଼ିବାକୁ ସହମତ ହୋଇଥିବା ବେଳେ ବେଙ୍ଗାଲୁରୁ ବୈଠକରେ ମେଣ୍ଟର ନାମକରଣ ହୋଇଥିଲା । ଆଜି ତୃତୀୟ ବୈଠକ ବସୁଥିବା ବେଳେ ମେଣ୍ଟ ପକ୍ଷରୁ କିଏ ହେବେ ପ୍ରଧାନମନ୍ତ୍ରୀ ଚେହେରା, ମହାମେଣ୍ଟର ନୂଆ ଲୋଗୋ ଓ ପତାକାକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ । ଏହାସହ ମେଣ୍ଟର ସଂଯୋଜକ ଟିମ୍ ଓ ସମନ୍ବୟ କମିଟିକୁ ନେଇ ଦୁଇ ଦିନିଆ ବୈଠକରେ ନିଷ୍ପତ୍ତି ନିଆଯାଇପାରେ ।

ମୁମ୍ବାଇ ବୈଠକ ପରେ ମେଣ୍ଟର ଆଗାମୀ ରଣନୀତିକୁ ନେଇ ଚିତ୍ର ସ୍ପଷ୍ଟ ହେବା ସମ୍ଭାବନା ରହିଛି । ବିରୋଧୀ ମେଣ୍ଟରେ ସାମିଲ ଦଳଗୁଡ଼ିକ ୪୫୦ ଲୋକସଭା ଆସନ ଚିହ୍ନଟ କରିଥିବା ବେଳେ ଏନଡିଏ ବିପକ୍ଷରେ ଗୋଟିଏ ପ୍ରାର୍ଥୀ ଦେବାକୁ ଯୋଜନା ରଖିଛନ୍ତି । ଆଜି ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ଯାଏଁ ବୈଠକ ବସିବ । ରାତି ୮ଟାରେ ଶିବସେନା ଉଦ୍ଧବ ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେ ଏକ ରାତ୍ରିଭୋଜର ଆୟୋଜନ କରିବେ । ଆସନ୍ତାକାଲି ଦିନ ୧୦ଟାରୁ ୨ଟା ଯାଏଁ ମେଣ୍ଟ ବୈଠକ ଚାଲିବ । ଅପରାହ୍ନ ସାଢ଼େ ତିନିଟାରେ ବିରୋଧୀ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ । ସେପଟେ ମେଣ୍ଟ ଦଳର ନେତାମାନେ ମୁମ୍ବାଇରେ ପହଞ୍ଚୁଥିବା ବେଳେ ସହରସାରା ନେତାମାନଙ୍କ ପୋଷ୍ଟର ଲଗାଯାଇଛି ।