ଭୁବନେଶ୍ବର: ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା । ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ଢେଙ୍କାନଳ, ଯାଜପୁର, ବାଲେଶ୍ବର, ଭଦ୍ରକ, ପୁରୀ, ଖର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ।
ମସ୍କ ଦେଲେ ଖୁସି ଖବର, ବିନା ଫୋନ ନମ୍ବରରେ Xରୁ କରିହେବ କଲ୍
ନନ୍ଦିଘୋଷ ବ୍ୟୁରୋ: ଏଣିକି ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଏକ୍ସ ୟୁଜର୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଏକ୍ସରେ ଉଭୟ ଭିଡିଓ ଓ ଅଡିଓ କଲ ସୁବିଧା ଆରମ୍ଭ ହେବ । ଖାସ କଥା ହେଉଛି ଏଥିପାଇଁ ମୋବାଇଲ ନମ୍ବରର ଆବଶ୍ୟକତା ପଡିବ ନାହିଁ । IOS, ଆଣ୍ଡ୍ରଏଡ, ମ୍ୟାକ୍ ଓ କମ୍ପ୍ୟୁଟରରେ ବି ଏହି ସୁବିଧା ଉପଲବ୍ଧ ହେବ ।
ସେପ୍ଟେମ୍ବର ମାସ ଆରମ୍ଭରୁ ଏକ୍ସରେ ଭଏସ ଓ ଭିଡିଓ କଲର ସୁବିଧା ମିଳିବା ନେଇ ଆଶା କରାଯାଉଛି । ମିଡିଆ ରିପୋର୍ଟ ମୁତାବକ, ୟୁଜର୍ସଙ୍କ ମେସେଜ ସେକ୍ସନରେ ଅଡିଓ ବା ଭିଡିଓ କଲର ଅପସନ୍ ରହିବ । ହେଲେ ଏହି ଫିଚର କାହା ପାଇଁ ଉପଲବ୍ଧ ହେବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଟୁଇଟର ମୁଖ୍ୟ ଏଲନ ମସ୍କ ।
ସାରାବିଶ୍ବରେ ସୋସିଆଲ ମିଡିଆକୁ ନୂଆ ରୂପ ଦେବାକୁ କମ୍ପାନୀ ପ୍ରୟାସ କରୁଛି । ଏକ୍ସ ଗ୍ଲୋବାଲ ଆଡ୍ରେସ ବୁକ ହେବ ବୋଲି ମସ୍କ କହିଛନ୍ତି । ମସ୍କ ଟ୍ବିଟରକୁ କିଣିବା ପରଠୁ ପର୍ଯ୍ୟାୟ କ୍ରମେ ପରିବର୍ତ୍ତନ ଚାଲିଛି । ୟୁଜର୍ସଙ୍କ ପାଖରେ ଗ୍ରହଣୀୟତା ଲାଗି ନୂଆ ନୂଆ ଫିଚର୍ସ ଆପଣାଉଛି କମ୍ପାନୀ ।
ଜନ୍ମଦିନରେ ଦିବ୍ୟାଙ୍ଗଙ୍କୁ ଦୋକାନ ଉପହାର ଦେଲେ ଯୁବ ବ୍ୟବସାୟୀ
କୋଣାର୍କ: ଜନ୍ମଦିନରେ ଦିବ୍ୟାଙ୍ଗଙ୍କୁ ଉପହାର। ତେଜରାତି ଦୋକାନ ଉପହାର ଦେଲେ ଯୁବ ବ୍ୟବସାୟୀ। ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିବାର ଇଚ୍ଛାକୁ ପ୍ରଶଂସା । ଦୋକାନ ପାଇ ବେଶ୍ ଖୁସି ଦିବ୍ୟାଙ୍ଗ । ରୋଜଗାର ପାଇଁ ଗୋଟେ ତେଜରାତି ଦୋକାନ ଉପହାର ଦେଇ ଚର୍ଚ୍ଚାରେ ପୁରୀ ନିମାପଡାର ଯୁବ ବ୍ୟବସାୟୀ ବିକ୍ରମ କେଶରୀ ସାମଲ। ସେଲିବ୍ରେସନରେ ହଜାର ହଜାର ଟଙ୍କା ଖର୍ଚ୍ଚ ନକରି ସେ ବାସ୍ତବ ଖୁସିକୁ ଦେଇଥିଲେ ଗୁରୁତ୍ବ ।
ଯଦି ତାଙ୍କ ପାଇଁ ଅନ୍ୟର ମୁହଁରେ ହସ ଫୁଟୁଛି ତେବେ ସେଇଟା ତାଙ୍କ ପାଇଁ ବଡ ଉପହାର ବୋଲି ଭାବିଥିଲେ। ଗୋପ ବ୍ଲକ ମୁରୁଡ଼ା ଗାଁର ଦିବ୍ୟାଙ୍ଗ ଅଭିମନ୍ୟୁ ମହାନ୍ତିଙ୍କୁ ସେ ଲକ୍ଷାଧିକ ଟଙ୍କାର ଏକ ତେଜରାତି ଦୋକାନ ଦେଇଛନ୍ତି । ଗାଁ ଲୋକଙ୍କ ସହ ମିଶି ଦୋକାନର ଉଦଘାଟନ ହୋଇଥିଲା ।
ପିଲାଦିନୁ ଗୋଟିଏ ହାତ କାମ କରୁନଥିବା ବେଳେ କାମ କରି ପତ୍ନୀ ଓ ଦୁଇ ଝିଅଙ୍କ ପ୍ରତିପୋଷଣ କରିବା ଅଭିମନ୍ୟୁଙ୍କ ପକ୍ଷେ କଷ୍ଟକର ଥିଲା । ଏବେ ଏହି ନୂଆ ଦୋକାନରୁ ସେ ଭଲ ଦୁଇ ପଇସା ରୋଜଗାର କରି ପରିବାରକୁ ହସ ଖୁସିରେ ଚଳେଇବେ ବୋଲି ଆଶା ରଖିଛନ୍ତି । ସେପଟେ ଯୁବ ବ୍ୟବସାୟୀ ଅନ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସେନେଇ ବିକ୍ରମଙ୍କୁ ବିଭିନ୍ନ ମହଲରୁ ମିଳିଛି ପ୍ରଶଂସା।
ବିଞ୍ଝାରପୁରରେ ବର୍ଷାରେ ଭିଜି ଲୋକଙ୍କ ସହ ମିଶିଲେ 5T ସଚିବ
ବିଞ୍ଝାରପୁର: ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀ ପରେ ବିଞ୍ଝାରପୁର ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ପ୍ରଥମେ ବରୁଣେଶ୍ବର ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି 5T ସଚିବ । ବେଢା ପରିକ୍ରମା ପରେ ମନ୍ଦିରର ଉନ୍ନତିକରଣ ନେଇ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି । ଅତିଶୀଘ୍ର ମନ୍ଦିରର ବିକାଶ କରାଯିବ ବୋଲି କହିଛନ୍ତି 5T ସଚିବ । ପରେ ମନ୍ଦିର ପଡିଆରେ ବିରାଟ ଜନ ସମାବେଶରେ ଯୋଗଦେଇଥିଲେ ଭିକେ ପାଣ୍ଡିଆନ୍।
ବର୍ଷାରେ ଭିଜି ଭିଜି ଲୋକଙ୍କ ସହ ମିଶିଛନ୍ତି ଭିକେ ପାଣ୍ଡିଆନ୍ । ବର୍ଷା ହେବାରୁ ଖୁସି ଲାଗୁଛି । ଭଗବାନଙ୍କ ଆର୍ଶୀବାଦରେ ଏମିତି ବର୍ଷା ହେଉ । ଆପଣଙ୍କ ମାନଙ୍କ ଭଲପାଇବା ଯୋଗୁ ମୁଁ ଓଦା ହୋଇଗଲି ବୋଲି କହିଛନ୍ତି 5T ସଚିବ। ଯାଜପୁର ଜିଲ୍ଲାର ସବୁ ସ୍କୁଲ ଓ କଲେଜ 5T ରେ ସାମିଲ ହୋଇଛି । ବରୁଣେଶ୍ବର କଲେଜକୁ ଗତକାଲି ମୁଖ୍ୟମନ୍ତ୍ରୀ 5Tରେ ସାମିଲ କରିଛନ୍ତି । ଆପଣଙ୍କ ପିଲା ମାନଙ୍କ ସ୍ବପ୍ନ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି । 5T ରୂପାନ୍ତରଣ ଏକ ଆନ୍ଦୋଳନରେ ପରିଣତ ହୋଇଥିବା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ପରେ ଲୋକଙ୍କ ଠାରୁ ଦୁଇ ଶହରୁ ଅଧିକ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ ।
ମନ୍ଦିରଧର୍ମାନୁଷ୍ଠାନକୁ ନେଇ ଥିବା ଅଭିଯୋଗକୁ ନେଇ ୭ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ ବୋଲି କହିଛନ୍ତି 5T ସଚିବ । ପିଇବା ପାଣି ପାଇଁ ଥିବା ସମସ୍ୟାର ଶୀଘ୍ର ସମାଧାନ କରାଯିବ । ସବୁ କାମ ଗୁଡିକ ସ୍ବଚ୍ଛତାର ସହ କରିବା ପାଇଁ ପରାମର୍ଶ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ପାନୀୟ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୧୫ କୋଟି ମଞ୍ଜୁର କରିଥିବା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।
ରାଜନଗରରେ ପୁଣି ଜଣଙ୍କୁ ଟାଣିନେଲା କୁମ୍ଭୀର
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୁଣି ଜଣଙ୍କୁ ଟାଣିନେଲା କୁମ୍ଭୀର। ବ୍ରାହ୍ମଣୀ ନଦୀକୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଅଭୟ ରାଉତଙ୍କୁ କୁମ୍ଭୀର ଟାଣି ନେଇଛି । ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ । ୨ ମାସ ମଧ୍ୟରେ ୪ ଜଣଙ୍କୁ କୁମ୍ଭୀର ଟାଣି ନେଇଛି । ଅଞ୍ଚଳରେ କୁମ୍ଭୀର ଆତଙ୍କ ବୃଦ୍ଧି ପାଉଥିବା ବେଳେ ବନ ବିଭାଗ ତରଫରୁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନଥିବା ଲୋକ ଅଭିଯୋଗ କରିଛନ୍ତି । ବାରମ୍ବାର କୁମ୍ଭୀର ଆକ୍ରମଣ କରୁଥିବାରୁ ନଈକୂଳିଆ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି ।
ଧର୍ମଶାଳାରେ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କଲେ 5T ସଚିବ
ବଡ଼ଚଣା: ବଡ଼ଚଣା ପରେ 5T ସଚିବ ଭି.କେ ପାଣ୍ଡିଆନ ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ । ଏଠାରେ ଆୟୋଜିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମହୋତ୍ସବ ପଡ଼ିଆରେ ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ହୋଇଥିଲା । ମିଶନ ଶକ୍ତି ମହିଳା, କମ୍ୟୁନିଟି ଷ୍ଟାଫ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ପ୍ରତିନିଧି ଓ ଚାଷୀମାନେ ଅଭିଯୋଗ ଶୁଣାଣି ଶିବିରରେ ସାମିଲ ହୋଇଥିଲେ । ଏହି ଅବସରରେ ଅଭିଯୋଗପତ୍ର ଗ୍ରହଣ କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ । ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।
ଓଡ଼ିଶା ସ୍ବାର୍ଥକୁ ଅଣଦେଖା କରୁଛନ୍ତି ଧର୍ମେନ୍ଦ୍ର: ସସ୍ମିତ ପାତ୍ର
ଭୁବନେଶ୍ବର: ଓଡ଼ିଶା ସ୍ବାର୍ଥକୁ ଅଣଦେଖା । କେବଳ ପ୍ରାୟୋଜିତ ସୋସିଆଲ ମିଡିଆ ପ୍ରଚାରରେ ମାତିଛନ୍ତି କେନ୍ଦ୍ରମନ୍ତ୍ରୀ । ନିଜ ହତାଶ ଭାବର କରୁଛନ୍ତି ପରିପ୍ରକାଶ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।
କେନ୍ଦ୍ରୀୟ ସଂସ୍ଥାରେ ଓଡ଼ିଆ ପିଲାଙ୍କୁ ଚାକିରି ନାହିଁ । ଏମସିଏଲ, ଆଇଓସିଏଲ, ନାଲକୋରେ ମିଳୁନି ଓଡ଼ିଆ ପିଲାଙ୍କୁ ନିଯୁକ୍ତି । ଓଡ଼ିଆ ପିଲାଙ୍କ ବଦଳରେ ବିହାର ଓ ମଧ୍ୟପ୍ରଦେଶ ପିଲାଙ୍କୁ ଏହି ସବୁ ସଂସ୍ଥାରେ ମିଳୁଛି ଚାକିରି । ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସ୍ୱାର୍ଥକୁ କେବେ ଗୁରୁତ୍ୱ ଦେଇନାହାନ୍ତି ବୋଲି କହିଛନ୍ତି ସସ୍ମିତ ପାତ୍ର । କେନ୍ଦ୍ର ନିକଟରେ ଓଡ଼ିଶାବାସୀ ଓ ରାଜ୍ୟ ସ୍ବାର୍ଥ କଥା ଉଠାଇନାହାନ୍ତି । ସମ୍ବଲପୁର-କଟକ ଜାତୀୟ ରାଜପଥ କାମ ନିମ୍ନମାନର ହେଉଛି । ଆଦିବାସୀଙ୍କ ପାଇଁ ୭ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଏଯାଏ ମିଳୁନି । ଏନେଇ ବିଜେପି ସାଂସଦ ଦିଲ୍ଲୀରେ ଷଡ଼ଯନ୍ତ୍ର କରିଛନ୍ତି । ସେହିପରି କ୍ଲିନ ଏନର୍ଜୀ ସେସ୍ ବାବଦରେ ୬୦ ହଜାର କୋଟି ଟଙ୍କା ଆଦାୟ ହୋଇଛି ହେଲେ ଓଡ଼ିଶାକୁ ଟଙ୍କାଟିଏ ବି ମିଳିନଥିବା କହିଛନ୍ତି ସସ୍ମିତ ପାତ୍ର । ଢ଼େଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର ପ୍ରଦୂଷଣରେ ଜର୍ଜରିତ ହେଲାଣି । ଓଡ଼ିଶା ସ୍ୱାର୍ଥ ପାଇଁ କେନ୍ଦ୍ର ନିକଟରେ ଦାବି ରଖିବାକୁ ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି ସସ୍ମିତ ପାତ୍ର ।
ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଲେ ମୋଦି ସରକାର, ସେପ୍ଟେମ୍ବର ୧୮ରୁ କାର୍ଯ୍ୟଦିବସ
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ । କେନ୍ଦ୍ର ସରକାର ୫ ଦିବସୀୟ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହା ହେବ ୧୭ତମ ଲୋକସଭାର ୧୩ତମ ଅଧିବେଶନ । ସେହିପରି ରାଜ୍ୟସଭାର ଏହା ହେବ ୨୬୧ତମ ଅଧିବେଶନ ।
ଚଳିତ ବର୍ଷ ମୌସୁମୀ ଅଧିବେଶନ ଠିକ ଭାବେ ଚାଲିପାରି ନଥିବାରୁ ଅଧିକାଂଶ କାର୍ଯ୍ୟ ଦିବସ ବାଧାପ୍ରାପ୍ତ ହୋଇଥିଲା । ଏଥର ସ୍ବତନ୍ତ୍ର ଅଧିବେଶନରେ ୧୦ରୁ ଅଧିକ ମହତ୍ତ୍ବପୂର୍ଣ୍ଣ ବିଲ୍ ଉପସ୍ଥାପନା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
ଆସନ୍ତା ସେପ୍ଟେମ୍ବର ୯ ଓ ୧୦ରେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜି ୨୦ ଶିଖର ସମ୍ମିଳନୀର କିଛି ଦିନ ପରେ ଏହା ଆୟୋଜିତ ହେବ । ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ୫ଟି କାର୍ଯ୍ୟଦିବସ ରହିବ ।
ସମ୍ବିଧାନର ୪୪ତମ ସଂଶୋଧନ ଅଧିନିୟମର ଅନୁଚ୍ଛେଦ ୩୫୨ (୮) ଅନୁସାରେ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ଆୟୋଜନ ହୋଇଥାଏ । ଯଦି ଲୋକସଭାରେ ଅତି୍ କମରେ ଦଶ ଜଣ ସଦସ୍ୟ ରାଷ୍ଟ୍ରପତି (ଯଦି ଲୋକସଭା ଅଧିବେଶନରେ ନାହାନ୍ତି) ବା ଅଧ୍ୟକ୍ଷ (ଯଦି ଲୋକସଭା ଅଧିବେଶନରେ ଅଛନ୍ତି)ଙ୍କୁ ଲେଖନ୍ତି ତେବେ ଲୋକସଭାର ବିଶେଷ ଅଧିବେଶନ ଡକାଯାଇଥାଏ ।
ସୁପ୍ରିମକୋର୍ଟରେ ଜାମ୍ମୁ ଓ କାଶ୍ମୀର ମାମଲାର ଶୁଣାଣି, ନିର୍ବାଚନ ପାଇଁ କେନ୍ଦ୍ର ପ୍ରସ୍ତୁତ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ । ଜାମ୍ମୁ ଓ କାଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ସରକାର । ତେବେ ନିର୍ବାଚନ ନେଇ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ନିର୍ଭର କରୁଛି ବୋଲି କହିଛନ୍ତି ସରକାର । ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଚାଲିଥିବା ଦୀର୍ଘ ଶୁଣାଣି କ୍ରମେ ଗୁରୁବାର ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ କରିବା ସପକ୍ଷରେ ମତ ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ- ଜାମ୍ମୁ ଓ କାଶ୍ମୀର ଥିଲା ସ୍ବତନ୍ତ୍ର ପ୍ରସଙ୍ଗ ଏବଂ ତାହାକୁ ଦୁଇଭାଗ କରିବାର ଆବଶ୍ୟକତା ଥିଲା । ଗତ ମଙ୍ଗଳବାର ହୋଇଥିବା ଶୁଣାଣି ବେଳେ ଜାମ୍ମୁ ଓ କାଶ୍ମୀରରେ ଗଣତନ୍ତ୍ର ପ୍ରତିଷ୍ଠା ଜରୁରୀ ବୋଲି କହିଥିଲେ ସୁପ୍ରିମକୋର୍ଟ । ସେଠାରେ ଗତ ୨୦୧୮ପରଠାରୁ କୌଣସି ନିର୍ବାଚିତ ସରକାର ନାହାନ୍ତି । ଆଜିର ଶୁଣାଣି ସମୟରେ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟପାହ୍ୟା ମାନ୍ୟତା ଦେବା ଲାଗି ଏକ ସମୟ ସୀମା ଧାର୍ଯ୍ୟ କରିବାକୁ ଅଗ୍ରାହ୍ୟ କରିଥିଲେ । ଗତ ୨୦୧୯ରେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି କେନ୍ଦ୍ର ସରକାର ଜାମ୍ମୁ -କାଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିଥିଲେ ।
ଆସିବ କ୍ୟାନସର ମହୌଷଧି, ମାତ୍ର ୭ମିନିଟରେ ହେବ ଚିକିତ୍ସା
ନନ୍ଦିଘୋଷ ବ୍ୟୁରୋ: ଆସିବ କ୍ୟାନସର ମହୌଷଧି । ମାତ୍ର ୭ମିନିଟରେ ହେବ ଚିକିତ୍ସା । କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଥମ ଇଞ୍ଜେକସନ ଆଣିବ ବ୍ରିଟେନର ଜାତୀୟ ସ୍ବାସ୍ଥସେବା NHS । ଏହି ଇଞ୍ଜେକସନ କ୍ୟାନସର ଆକ୍ରାନ୍ତରଙ୍କ ଚିକିତ୍ସା ସମୟ ଅନେକ ମାତ୍ରାରେ ହ୍ରାସ କରିବ । କର୍କଟ ରୋଗୀକୁ ଶୀଘ୍ର ସୁସ୍ଥ କରିବାରେ ଟେସେଣ୍ଟ୍ରିକ ଇଞ୍ଜେକସନ ସହାୟକ ହେବ । ଔଷଧ ଏବଂ ସ୍ବାସ୍ଥ୍ୟ ସେବା ଉତ୍ପାଦ ନିୟାମକ ଏଜେନ୍ସିର ଅନୁମୋଦନ ପରେ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି ବୋଲି ବ୍ରିଟେନ ନ୍ୟାସନାଲ ହେଲଥ ସର୍ଭିସ ପକ୍ଷରୁ କୁହାଯାଇଛି । ଇମ୍ୟୁନୋଥେରାପି, ଆଟେଜୋଲିଜୁମାବ ଚିକିତ୍ସିତ ହେଉଥିବା ଶହ ଶହ ଯୋଗ୍ୟ ରୋଗୀଙ୍କୁ ଚର୍ମ ତଳେ ଏହି ଇଞ୍ଜେକ୍ସନ ଦିଆଯିବ ବୋଲି NHS ପକ୍ଷରୁ କୁହାଯାଇଛି । ଏହି ଇଞ୍ଜେକସନକୁ ଅନୁମୋଦନ ମିଳିବା ଫଳରେ କର୍କଟ ଆକ୍ରାନ୍ତଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଗୋଟିଏ ଦିନରେ ଅଧିକ ରୋଗୀଙ୍କ ଚିକିତ୍ସା କରିବାରେ ମେଡିକାଲ ଟିମ୍ ସକ୍ଷମ ହେବ ବୋଲି ଓ୍ବେଷ୍ଟ ସୁଫୋଲ୍କ NHS ଫାଉଣ୍ଡେସନ ଟ୍ରଷ୍ଟର ପରାମର୍ଶଦାତା ଅଙ୍କୋଲୋଜିଷ୍ଟ ଡାକ୍ତର ଆଲେକଜାଣ୍ଡାର ମାର୍ଟିନ କହିଛନ୍ତି ।

