ଜନ୍ମଦିନରେ ଦିବ୍ୟାଙ୍ଗଙ୍କୁ ଦୋକାନ ଉପହାର ଦେଲେ ଯୁବ ବ୍ୟବସାୟୀ

କୋଣାର୍କ: ଜନ୍ମଦିନରେ ଦିବ୍ୟାଙ୍ଗଙ୍କୁ ଉପହାର। ତେଜରାତି ଦୋକାନ ଉପହାର ଦେଲେ ଯୁବ ବ୍ୟବସାୟୀ। ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିବାର ଇଚ୍ଛାକୁ ପ୍ରଶଂସା । ଦୋକାନ ପାଇ ବେଶ୍ ଖୁସି ଦିବ୍ୟାଙ୍ଗ । ରୋଜଗାର ପାଇଁ ଗୋଟେ ତେଜରାତି ଦୋକାନ ଉପହାର ଦେଇ ଚର୍ଚ୍ଚାରେ ପୁରୀ ନିମାପଡାର ଯୁବ ବ୍ୟବସାୟୀ ବିକ୍ରମ କେଶରୀ ସାମଲ। ସେଲିବ୍ରେସନରେ ହଜାର ହଜାର ଟଙ୍କା ଖର୍ଚ୍ଚ ନକରି ସେ ବାସ୍ତବ ଖୁସିକୁ ଦେଇଥିଲେ ଗୁରୁତ୍ବ ।

ଯଦି ତାଙ୍କ ପାଇଁ ଅନ୍ୟର ମୁହଁରେ ହସ ଫୁଟୁଛି ତେବେ ସେଇଟା ତାଙ୍କ ପାଇଁ ବଡ ଉପହାର ବୋଲି ଭାବିଥିଲେ। ଗୋପ ବ୍ଲକ ମୁରୁଡ଼ା ଗାଁର ଦିବ୍ୟାଙ୍ଗ ଅଭିମନ୍ୟୁ ମହାନ୍ତିଙ୍କୁ ସେ ଲକ୍ଷାଧିକ ଟଙ୍କାର ଏକ ତେଜରାତି ଦୋକାନ ଦେଇଛନ୍ତି । ଗାଁ ଲୋକଙ୍କ ସହ ମିଶି ଦୋକାନର ଉଦଘାଟନ ହୋଇଥିଲା ।

ପିଲାଦିନୁ ଗୋଟିଏ ହାତ କାମ କରୁନଥିବା ବେଳେ କାମ କରି ପତ୍ନୀ ଓ ଦୁଇ ଝିଅଙ୍କ ପ୍ରତିପୋଷଣ କରିବା ଅଭିମନ୍ୟୁଙ୍କ ପକ୍ଷେ କଷ୍ଟକର ଥିଲା । ଏବେ ଏହି ନୂଆ ଦୋକାନରୁ ସେ ଭଲ ଦୁଇ ପଇସା ରୋଜଗାର କରି ପରିବାରକୁ ହସ ଖୁସିରେ ଚଳେଇବେ ବୋଲି ଆଶା ରଖିଛନ୍ତି । ସେପଟେ ଯୁବ ବ୍ୟବସାୟୀ ଅନ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସେନେଇ ବିକ୍ରମଙ୍କୁ ବିଭିନ୍ନ ମହଲରୁ ମିଳିଛି ପ୍ରଶଂସା।