ଭୁବନେଶ୍ୱର: ବିଳମ୍ୱିତ ରାତିରେ ପ୍ରେମୀ ଯୁଗଳଙ୍କ ଉନ୍ମତ୍ତ କାଣ୍ଡ । ଜାତୀୟ ରାଜପଥର ବିପରୀତ ଦିଗରେ ଚଳାଇଲେ ଗାଡ଼ି । ଜୀବନକୁ ବାଜି ଲଗାଇ ଦ୍ରୁତ ଗତିରେ ଚାଲିଥିଲା ଗାଡ଼ି । ସିଆରପି ଛକରୁ ତମାଣ୍ଡୋ ଛକ ପର୍ଯ୍ୟନ୍ତ ବିପରୀତ ଦିଗରେ ମଚାଇଲେ ଆତଙ୍କ । ଉଭୟ ମଦ୍ୟପାନ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସନ୍ଦେହ । ଗାଡ଼ିର ବେଗ ଆନୁମାନିକ ୭୦ରୁ ୭୫ ରହିଥିବା ସୂଚନା । ଉନ୍ମତ୍ତକାଣ୍ଡ ଦେଖି ରାଜପଥରେ ଆସୁଥିବା ଯାତ୍ରୀ ଭୟଭୀତ । ଜାତୀୟ ରାଜପଥରେ ପୋଲିସର ପେଟ୍ରୋଲିଂ ଓ ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ ।
ଏସିଆ କପ ସୁପର-୪ ଫାଇଟ୍, ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଡ଼ା ଟକ୍କର
କଲମ୍ବୋ: ଏସିଆ କପ ସୁପର ଫୋର ଫାଇଟ୍ । ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ମ୍ୟାଚ୍ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଦିନ ୩ଟାରେ ଖେଳାଯିବ ମ୍ୟାଚ୍ । ବିଜୟ ଧାରା ବଜାୟ ରଖିବାକୁ ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ । ସେହିପରି ଶ୍ରୀଲଙ୍କା ମଧ୍ୟ ମୁକାବିଲା କରିବାକୁ ପୂରା ପ୍ରସ୍ତୁତ । ଗତକାଲି ପାକିସ୍ତାନକୁ ୨୨୮ ରନର ବଡ଼ ବ୍ୟବଧାନରେ ହରାଇଥିଲା ଭାରତ । ବିରାଟ କୋହଲି ଓ କେ.ଏଲ ରାହୁଲ ଖେଳିଥିଲେ ଚମତ୍କାର ଇନିଂସ । ଉଭୟ ଦମଦାର ଶତକ ହାସଲ କରିଥିଲେ । ସେହିପରି ବୋଲିଂରେ ମଧ୍ୟ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା । ତେଣୁ ମ୍ୟାଚ ଜିତିବାକୁ ଚେଷ୍ଟା କରିବ ଭାରତ । ଆଜିର ମ୍ୟାଚ୍ ଜିତିଲେ ଭାରତର ଫାଇନାଲ୍ ଖେଳିବା ଏକପ୍ରକାର ସ୍ପଷ୍ଟ ହୋଇଯିବ ।
ସମ୍ବଲପୁରରେ ମହାନଦୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ
ସମ୍ବଲପୁର: ସମ୍ବଲପୁର ଚାଉଁରପୁର ମହାନଦୀ ଦ୍ଵିତୀୟ ସେତୁ ଉପରୁ ଜଣେ ବ୍ୟକ୍ତି ମହାନଦୀକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଆଜି ସକାଳ ପ୍ରାୟ ୭ଟା ସମୟରେ ଏହି ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ଚାଉଁରପୁର ବ୍ରିଜ଼ ମଧ୍ୟ ଉପରେ ଏକ ସ୍କୁଟି ସହ ଜୋତା ରହିଛି । ବ୍ରିଜ଼ ଉପରୁ ମହାନଦୀକୁ ଡେଇଁଥିବା ବ୍ୟକ୍ତିଙ୍କର ସ୍କୁଟି ଓ ଜୋତା ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାସ୍ଥଳକୁ ପୋଲିସ ଓ ଅଗ୍ନିଶମ ସେବା କେନ୍ଦ୍ରର ଟିମ ପହଂଚି ମହାନଦୀରେ ଖୋଜାଖୋଜି କରୁଛନ୍ତି । ତେବେ କେଉଁ କାରଣ ପାଇଁ ସେ ନଦୀକୁ ଡେଇଁଲେ ସେନେଇ ମଧ୍ୟ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ପରଚୟ ଜାଣିବାରେ ଲାଗିଛି । ଏପଟେ ଅଗ୍ନିଶମ ବିଭାଗ ପକ୍ଷରୁ ନଦୀରେ ବୋଟ୍ ସାହାଯ୍ୟରେ ଖୋଜାଖୋଜି ଚାଲିଛି ।
ଆସନ୍ତା ୪୮ ଘଣ୍ଟାରେ ଲଘୁଚାପର ରୂପନେବ ଘୂର୍ଣ୍ଣିବଳୟ, ୧୫ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା
ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା । ଆସନ୍ତା ୪୮ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପନେବ । ପ୍ରଭାବରେ ଆଜିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ । ୧୫ ତାରିଖ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ନୟାଗଡ, ବୌଦ୍ଧ, କନ୍ଧମାଳ, କଳହାଣ୍ଡି, କଟକ ଏବଂ ଅନୁଗୁଳ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା, ୧୫ ରେ ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟାର ପରିସ୍ଥିତି ଦେଖାଦେବ । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା କମିବା ସହ ଯାତାୟତରେ ବାଧା ସୃଷ୍ଟି ହେବ । କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର ପ୍ରଭାବ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ରହିବ ବୋଲି ଆକଳନ କରାଯାଇଛି
ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ପ୍ରଚାର କମିଟିର ଆଜି ବସିବ ପ୍ରଥମ ବୈଠକ
ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ପ୍ରଚାର କମିଟିର ଆଜି ବସିବ ପ୍ରଥମ ବୈଠକ । ବିଭିନ୍ନ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ପରିଚାଳନା, ପ୍ରଚାର ଆଦି ନିମନ୍ତେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏହି ବୈଠକରେ ହେବ ଆଲୋଚନା । ସାରା ଦେଶରେ ମିଳିତ ପ୍ରଚାର, ସଭା ଆଦି ନେଇ ବୈଠକରେ ନିର୍ଦ୍ଧାରଣ ହେବ ପ୍ଲାନ । ଇଣ୍ଡିଆ-ଭାରତ ବିବାଦ ଜାରି ରହିଥିବାବେଳେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ନିର୍ଦ୍ଧାରଣ ଉପରେ ଦୃଷ୍ଟି ରହିଛି । ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ବୈଠକ ବସିବା ପରେ ଏହା ହେଉଛି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ।
ଏହି ବୈଠକରେ କଂଗ୍ରେସର ଗୁରୁଦୀପ ସିଂ ସପ୍ପଲ, ଜେଡି ୟୁର ସଞ୍ଜୟ ଝା, ଶିବସେନାର ଅନୀଲ ଦେଶାଇ, ଆରଜେଡିର ସଞ୍ଜୟ ଯାଦବ, ଏନସିପିର ପି.ସି. ଚାକୋ, ଜେଏମଏମର ଚମ୍ପେଇ ସୋରେନ, ସମାଜବାଦୀ ପାର୍ଟିର କିରଣମୟ ନନ୍ଦ, ସିପିଏମର ଅରୁଣ କୁମାର, ସିପିଆଇର ବିନୟ ବିଶ୍ବାସ ପ୍ରମୁଖ ଯୋଗଦେବେ । ଲକ୍ଷ୍ମୌ, ଭୋପାଳ ଓ ଜୟପୁରରେ ଇଣ୍ଡିଆ ମେଣ୍ଟର ମିଳିତ ରାଲି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ମୁମ୍ବାଇରେ ହୋଇଥିବା ବୈଠକ ଅନୁସାରେ ପାଟନା, ନାଗପୁର, ଚେନ୍ନାଇ, ଗୁଆହାଟି ଓ ଦିଲ୍ଲୀରେ ରାଲି କରିବା ଲାଗି ନିଷ୍ପତ୍ତି ହୋଇଥିଲା ।
ଥମୁନି ସୁଦାନ ହିଂସା, କ୍ଷମତା ଲଢେଇରେ ମୃତ୍ୟୁସଂଖ୍ୟା ୪ ହଜାର ପାର୍
ନନ୍ଦିଘୋଷ ବ୍ୟୁରୋ: ଥମୁନି ସୁଦାନ ହିଂସା । ଘନୀଭୂତ ହେଉଛି ଲଢେଇ । କିଛି ମାସ ଧରି ଚାଲିଥିବା କ୍ଷମତା ଲଢେଇରେ ମୃତ୍ୟୁସଂଖ୍ୟା ୪ ହଜାର ପାର୍ ହୋଇଥିବାବେଳେ ଦେଶର ନିୟନ୍ତ୍ରଣକୁ ନେଇ ଏବେ ବି ସଂଶୟରେ ଦୁଇପକ୍ଷ । ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବାବେଳେ ପଡୋଶୀ ରାଷ୍ଟ୍ରରେ ଆଶ୍ରୟ ନେଲେଣି ୧୧ ଲକ୍ଷ ଲୋକ । ରବିବାର ହୋଇଥିବା ଡ୍ରୋନ ହମଲାରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ରାଜଧାନୀ ଖୋର୍ତୋମରେ ସ୍ଥିତି ହେଲାଣି ଭୟଙ୍କର ।
ଆହତମାନଙ୍କୁ ବାସେର ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେଜିଷ୍ଟାନ୍ସ କମିଟି ପକ୍ଷରୁ ମାନବିକ ସହାୟତା ଯୋଗାଇଦିଆଯାଉଛି । ଗତ ଏପ୍ରିଲ ମଧ୍ୟଭାଗରୁ ସୁଦାନରେ ଜେନେରାଲ ଆବଦେଲ ଫତାହ ବୁରହାନ ନେତୃତ୍ବାଧୀନ ସାମରିକ ବାହିନୀ ଓ ଜେନେରାଲ ମହମ୍ମଦ ହମଦାନ ଦାଗଲୋଙ୍କ ନେତୃତ୍ବାଧୀନ ଆରଏସଏଫ ପକ୍ଷରୁ ସଂଘର୍ଷ ଜାରି ରହିଛି । ଗୁଳିଗୋଳା ବିନିମୟ ଓ ଏୟାରଷ୍ଟ୍ରାଇକରେ ରାଜଧାନୀ ଖୋର୍ତମର ଅନେକ କୋଠା ହେଲାଣି ଛାରଖାର ।
ଶିଶୁ ଉପନ୍ୟାସ ‘କୁନିବଣି’ ଓ ‘ମୁଁ ବି ଆମ୍ବେଡ଼କର’ ଉନ୍ମୋଚିତ
ଭୁବନେଶ୍ୱର : ଶିଶୁ ସାହିତ୍ୟିକ ପ୍ରଶାନ୍ତ ମଙ୍ଗରାଜଙ୍କ ଲିଖିତ ଶିଶୁ ଉପନ୍ୟାସ ‘କୁନିବଣି’ ଏବଂ କନ୍ନଡ଼ ଭାଷାରୁ ତାଙ୍କ ଦ୍ୱାରା ଅନୂଦିତ ଶିଶୁ ଉପନ୍ୟାସ ‘ମୁଁ ବି ଆମ୍ବେଡ଼କର’ ପୁସ୍ତକ ଉନ୍ମୋଚିତ ହୋଇଛି। ରବିବାର ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀ ସଭାଗୃହରେ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଏହି ଦୁଇ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ସମ୍ମାନିତ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ବୀରେନ୍ଦ୍ର ମହାନ୍ତି, ବିଶେଷ ଅତିଥି ଭାବେ କନ୍ନଡ ଭାଷା ପାଇଁ ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଏଚ.ଏସ. ବ୍ୟାକୋଡ ଯୋଗ ଦେଇଥିଲେ।
ଉତ୍ସବ ଆରମ୍ଭରେ ବିଶିଷ୍ଟ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର୍ଯ୍ୟ ‘କୁନିବଣି’ ଏକ ଯୁଗସ୍ରଷ୍ଟା ଶିଶୁ ଉପନ୍ୟାସ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଲେଖକ ବୀରେନ୍ଦ୍ର ମହାନ୍ତି ଶିଶୁ ଉପନ୍ୟାସ ଅଧିକରୁ ଅଧିକ ଲିଖନ ପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷାବିତ ତଥା ଶିଶୁ ସାହିତ୍ୟିକ ସନାତନ ପଣ୍ଡା ଶିଶୁ ଉପନ୍ୟାସକୁ ବିଦ୍ୟାଳୟରେ ଅଧିକରୁ ଅଧିକ ପାଠକ ପ୍ରିୟ କରିବା ପାଇଁ ଆହ୍ଵାନ ଦେଇଥିବା ବେଳେ ମୁଖ୍ୟବକ୍ତା ତଥା ଶିଶୁ-ସାହିତ୍ୟିକ ଦାଶ ବେନହୁର ଶିଶୁ ସାହିତ୍ୟ ଆଜିକାଲି ପାଠକାଦୃତ ହେଉଥିବା ବ୍ୟକ୍ତ କରିଥିଲେ ଏବଂ ଏହା ପିଲାଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।
ସଭାମୁଖ୍ୟ ତଥା ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ଶିଶୁ ସାହିତ୍ୟ ଏବଂ ସମାଜ ଗଠନରେ ଶିଶୁ ଉପନ୍ୟାସର ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ‘କୁନିବଣି’ ଭଳି ଏକ ଭଲ ଉପନ୍ୟାସକୁ ଉପହାର ଦେବା ନିମନ୍ତେ ସମସ୍ତଙ୍କୁ କହିଥିଲେ। ବିଶେଷ ଅତିଥି ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଏଚ.ଏସ. ବ୍ୟାକୋଡ଼ ଆଞ୍ଚଳିକ ଭାଷାରେ ଶିଶୁ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଅନୁବାଦଧର୍ମୀ ଲିଖନ ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ କନ୍ନଡ ଭାଷାରୁ ଓଡ଼ିଆକୁ ପ୍ରଥମଥର ପାଇଁ ଶିଶୁ ଉପନ୍ୟାସ ଅନୁବାଦିତ ହୋଇଥିବାରୁ ଅନୁବାଦକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମୀକ୍ଷକ ଡକ୍ଟର ହେମନ୍ତ କୁମାର ଛୋଟରାୟ ଉନ୍ମୋଚିତ ଉପନ୍ୟାସ ଦ୍ୱୟ ଓଡ଼ିଆ ଶିଶୁ ସାହିତ୍ୟକୁ ସମୃଦ୍ଧ କରିବ ବୋଲି ମତପ୍ରକାଶ କରିଥିବାବେଳେ ‘କୁନିବଣି’କୁ ସମୀକ୍ଷା କରି ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି ତାହା ଶିଶୁ ପ୍ରିୟ ଓ ଶିଶୁ ଉପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବର ପ୍ରାରମ୍ଭରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଓ ସୁଶ୍ରୀ ନଳିନୀପ୍ରଭା ଦାଶଙ୍କ ସଂଯୋଜନାରେ ଶିଶୁ-କିଶୋର କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଶିଶୁ ସାହିତ୍ୟିକ ଡକ୍ଟର ଶରତ କୁମାର ବିଶ୍ଵାଳ ସଭାପତିତ୍ୱ କରିଥିଲେ। ୬୦ରୁ ଊର୍ଦ୍ଧ୍ଵ କବି ସ୍ଵରଚିତ ଶିଶୁ କବିତା ପାଠ କରିଥିଲେ। ଏହି ଅବସରରେ କନ୍ନଡ ଭାଷାର ଶିଶୁ ସାହିତ୍ୟିକ ତଥା ଆନ୍ତର୍ଜାତିକ ବନ୍ୟପ୍ରାଣୀ ଫଟୋଗ୍ରାଫର ଏଚ.ଏସ. ବ୍ୟାକୋଡ, ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାରପ୍ରାପ୍ତ ବିଜ୍ଞାନ ଲେଖକ ହିମାଂଶୁ ଶେଖର ଫତେସିଂହଙ୍କୁ ସମ୍ମାନିତ କରାଯାଇଥିଲା।
ଏଥିସହିତ ଶିଶୁ-ପ୍ରତିଭା ଶେଖର କୁମାର ସ୍ଵାଇଁ, ବିଜୟଲକ୍ଷ୍ମୀ ସାହୁ, କୁମାରୀ ରତ୍ନମଞ୍ଜରୀ ବାରିକଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ଏଚ.ଏସ. ବ୍ୟାକୋଡଙ୍କ କନ୍ୟା ଯମୁନେଶ୍ୱରୀ ଉନ୍ମୋଚିତ ପୁସ୍ତକର ମୂଳ କନ୍ନଡ଼ ବହିଟି ମୈତ୍ରୀ ମିଶନକୁ ପ୍ରଦାନ କରିଥିବା ବେଳେ, ମୈତ୍ରୀ ମିଶନ ତରଫରୁ ତାଙ୍କୁ ଓଡ଼ିଆ ଅନୁବାଦଟି ପ୍ରଦାନ କରାଯାଇଥିଲା । ଉନ୍ମୋଚିତ ବହି ଦୁଇଟିକୁ ନେଇ ଲେଖକ ପ୍ରଶାନ୍ତ କୁମାର ମଙ୍ଗରାଜ ନିଜ ଲେଖକୀୟ ଅନୁଭୂତି ବର୍ଣ୍ଣନା କରିଥିଲେ। କାର୍ଯକ୍ରମର ସଫଳତା ନିମନ୍ତେ ଶିଶୁ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯକ୍ରମଟିକୁ ‘ଶିଶୁ କିଶୋର ସୃଜନୀ-ସଖା ଆସର’ ତରଫରୁ ଆୟୋଜନ କରାଯାଇଥିଲା।
ଉଚ୍ଚସ୍ତରୀୟ କମିଟି ବୈଠକରେ ୯ଟି ପ୍ରକଳ୍ପକୁ ମଂଜୁରୀ
ଭୁବନେଶ୍ୱର: ହାଇ ଲେବୁଲ୍ କମିଟି ବୈଠକରେ ୯ଟି ପ୍ରକଳ୍ପକୁ ମଂଜୁରୀ । ୧ଲକ୍ଷ ୧ହଜାର ୮୦୪. ୪୩କୋଟିର ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି । ଜଗତସିଂହପୁର JSW ଉତ୍କଳ ଷ୍ଟିଲକୁ ସଂପ୍ରସାରଣ ପାଇଁ ମଂଜୁରୀ ପ୍ରଦାନ କରାଯାଇଛି । ସେହିଭଳି କଳିଙ୍ଗନଗର ଜିନ୍ଦଲ ଫେରସ ଲିମିଟେଡକୁ ମଂଜୁରୀ ପ୍ରଦାନ କରାଯାଇଛି । ଝାରସୁଗୁଡା MSP ମେଟାଲିକ୍ସ ପ୍ରକଳ୍ପ ଓ ଖୋର୍ଦ୍ଧା ଆଭାଦା ଇଲେକ୍ଟ୍ରୋ ପ୍ରା.ଲିଃକୁ ମଂଜୁରୀ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ବର୍ଜର ପେଣ୍ଟସ୍ ଇଣ୍ଡିଆ ଲିମିଟେଡକୁ ମଧ୍ୟ ମଂଜୁରୀ ମିଳିଛି । ପାରାଦୀପ L&T ଏନର୍ଜି ଗ୍ରୀନ ଟେକ୍ ଲିମିଟେଡକୁ ଓ ଭଦ୍ରକ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି । ଗଂଜାମ ପେଟ୍ରୋନେଟ୍ LNG ଲିମିଟେଡ ଓ କୋରାପୁଟ ତୋଷାଳି ସିମେଣ୍ଟ ପ୍ରା.ଲିଃକୁ ବି ଅନୁମତି ମିଳିଛି ।

