ଏସିଆ କପ୍: ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ, କୋହଲି-ରାହୁଲଙ୍କ ପରେ ଚମକିଲେ କୁଲଦୀପ

1 min read

କଲମ୍ବୋ: ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ । ଏସିଆ କପରେ ୨୨୮ ରନରେ ପାକିସ୍ତାନକୁ ହରାଇଛି ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ଏହି ରେକର୍ଡ ୧୪୦ ରନର ଥିଲା । ଯାହା କି ଭାରତ ୨୦୦୮ରେ ମୀରପୁର ଷ୍ଟାଡିୟମରେ ବନାଇଥିଲା । କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୫୬ ରନ୍ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ଏବଂ କେଏଲ୍ ରାହୁଲ ଶତକୀୟ ଇନିଂସ ଖେଳିଥିଲେ । ବିରାଟ କୋହଲି ୯୪ ଟି ବଲରେ ୧୨୨ ରନ୍ ଏବଂ କେଏଲ୍ ରାହୁଲ ୧୦୬ଟି ବଲରେ ୧୧ରନ୍ କରି ଅପରାଜିତ ରହିଥିଲେ ।

ଜବାବରେ ପାକିସ୍ତାନ ୩୨ ଓଭରରେ ୧୨୮/୮ ରନ୍ ହିଁ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନର ଦୁଇଜଣ ବ୍ୟାଟର ଆହତ କାରଣରୁ ପଡ଼ିଆକୁ ଓହ୍ଲାଇପାରିନଥିଲେ । କେବଳ ୮ ଜଣ ହିଁ ବ୍ୟାଟିଂ କରିଥିଲେ । ସେଥିପାଇଁ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା । ପାକିସ୍ତାନକୁ ନିଜ ଦିନିକିଆ ଇତିହାସରେ ଦ୍ୱିତୀୟଥର ସବୁଠୁ ବଡ଼ ପରାଜୟ ମିଳିଛି । ଦଳକୁ ଏହା ପୂର୍ବରୁ ୨୦୦୯ରେ କରାଚୀ ଷ୍ଟାଡିୟମରେ ଶ୍ରୀଲଙ୍କା ୨୩୪ରନରେ ପରାଜିତ କରିଥିଲା । ୩୫୭ରନର ବଡ଼ ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ଖରାପ ରହିଥିଲା । ଦଳ ୫ମ ଓଭର ଖେଳ ଚାଲୁଥିବାବେଳେ ଇମାମ-ଉଲ-ହକଙ୍କ ୱିକେଟ୍ ହରାଇଥିଲା ।

ଇମାମ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ଓଭର ବଢିବା ସହ ଦଳୀୟ ସ୍ଥିତି ଶୋଚନୀୟ ହେବାରେ ଲାଗିଥିଲା । କୌଣସି ବି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିବାରେ ସଫଳ ହୋଇନଥିଲେ । ପାକିସ୍ତାନ ପକ୍ଷରୁ ଫଖର ଜମନ ସର୍ବାଧିକ ୨୭ ରନ୍ କରିଥିଲେ । ସେହିପରି ଅଘା ସଲମାନ ଏବଂ ଇଫତିକାର ଅହମ୍ମଦ ୨୩ ଲେଖାଏଁ ରନ୍ କରିଥିଲେ । ଦଳ ୩୨ ଓଭରରେ ୮ ୱିକେଟ୍ ହରାଇ ୧୨୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଜଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲାଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଭାରତକୁ ସୁପର-୪ରେ ଦ୍ୱିତୀୟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବାର ଅଛି ।