ଥମୁନି ସୁଦାନ ହିଂସା, କ୍ଷମତା ଲଢେଇରେ ମୃତ୍ୟୁସଂଖ୍ୟା ୪ ହଜାର ପାର୍

ନନ୍ଦିଘୋଷ ବ୍ୟୁରୋ: ଥମୁନି ସୁଦାନ ହିଂସା । ଘନୀଭୂତ ହେଉଛି ଲଢେଇ । କିଛି ମାସ ଧରି ଚାଲିଥିବା କ୍ଷମତା ଲଢେଇରେ ମୃତ୍ୟୁସଂଖ୍ୟା ୪ ହଜାର ପାର୍ ହୋଇଥିବାବେଳେ ଦେଶର ନିୟନ୍ତ୍ରଣକୁ ନେଇ ଏବେ ବି ସଂଶୟରେ ଦୁଇପକ୍ଷ । ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବାବେଳେ ପଡୋଶୀ ରାଷ୍ଟ୍ରରେ ଆଶ୍ରୟ ନେଲେଣି ୧୧ ଲକ୍ଷ ଲୋକ । ରବିବାର ହୋଇଥିବା ଡ୍ରୋନ ହମଲାରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ରାଜଧାନୀ ଖୋର୍ତୋମରେ ସ୍ଥିତି ହେଲାଣି ଭୟଙ୍କର ।

ଆହତମାନଙ୍କୁ ବାସେର ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେଜିଷ୍ଟାନ୍ସ କମିଟି ପକ୍ଷରୁ ମାନବିକ ସହାୟତା ଯୋଗାଇଦିଆଯାଉଛି । ଗତ ଏପ୍ରିଲ ମଧ୍ୟଭାଗରୁ ସୁଦାନରେ ଜେନେରାଲ ଆବଦେଲ ଫତାହ ବୁରହାନ ନେତୃତ୍ବାଧୀନ ସାମରିକ ବାହିନୀ ଓ ଜେନେରାଲ ମହମ୍ମଦ ହମଦାନ ଦାଗଲୋଙ୍କ ନେତୃତ୍ବାଧୀନ ଆରଏସଏଫ ପକ୍ଷରୁ ସଂଘର୍ଷ ଜାରି ରହିଛି । ଗୁଳିଗୋଳା ବିନିମୟ ଓ ଏୟାରଷ୍ଟ୍ରାଇକରେ ରାଜଧାନୀ ଖୋର୍ତମର ଅନେକ କୋଠା ହେଲାଣି ଛାରଖାର ।