ଆସନ୍ତା ୪୮ ଘଣ୍ଟାରେ ଲଘୁଚାପର ରୂପନେବ ଘୂର୍ଣ୍ଣିବଳୟ, ୧୫ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା

ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା । ଆସନ୍ତା ୪୮ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପନେବ । ପ୍ରଭାବରେ ଆଜିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ । ୧୫ ତାରିଖ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ନୟାଗଡ, ବୌଦ୍ଧ, କନ୍ଧମାଳ, କଳହାଣ୍ଡି, କଟକ ଏବଂ ଅନୁଗୁଳ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା, ୧୫ ରେ ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟାର ପରିସ୍ଥିତି ଦେଖାଦେବ । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା କମିବା ସହ ଯାତାୟତରେ ବାଧା ସୃଷ୍ଟି ହେବ । କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର ପ୍ରଭାବ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ରହିବ ବୋଲି ଆକଳନ କରାଯାଇଛି