spot_img
Home Blog Page 2580

ସାତ ବର୍ଷ ପରେ ଭାରତ ଆସିଲା ପାକିସ୍ତାନ୍ ଟିମ୍, ହାଇଦ୍ରାବାଦରେ ଖେଳିବ ମ୍ୟାଚ

ହାଇଦ୍ରାବାଦ: ବିଶ୍ବକପ୍ ପାଇଁ ସାତ ବର୍ଷ ପରେ ଭାରତ ଆସିଲା ପାକିସ୍ତାନ୍ ଟିମ୍ । ବାବର ଆଜାମଙ୍କ ଦଳ ହାଇଦ୍ରାବାଦରେ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ଏହା ପରେ ୬ ସେପ୍ଟେମ୍ବରରେ ବିଶ୍ବକପରେ ନେଦରଲ୍ୟାଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ । ବାବର ଆଜାମଙ୍କ ଦଳ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ ସହିତ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ହାଇଦ୍ରାବାଦରେ 6 ସେପ୍ଟେମ୍ବରରେ ଖେଳାଯିବ । ୧୦ ଅକ୍ଟୋବରରେ ହାଇଦ୍ରାବାଦରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଦଳ ଦ୍ବିତୀୟ ବିଶ୍ବକପ ମ୍ୟାଚ୍ ଖେଳିବ ।  ତୃତୀୟ ମ୍ୟାଚ୍ ୧୪ ଅକ୍ଟୋବରରେ ଭାରତୀୟ ଦଳ ବିପକ୍ଷରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ତେବେ ପାକିସ୍ତାନ ଟିମ୍ ଭାରତ ଆସିବେକି ନାହିଁ ଚର୍ଚ୍ଚା ହେଉଥିଲା  । ଭିସା ମିଳିବାରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲା ପାକିସ୍ତାନ କ୍ରିକେଟ୍‌ ବୋର୍ଡ ।

ଆଜିଠୁ ପୁଣି ବର୍ଷା: ବଜ୍ରପାତ ଏବଂ ବର୍ଷା ନେଇ ୧୭ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ପୁଣି ବର୍ଷା । ଭିଜିବ ଉପାନ୍ତରୁ ଉପକୂଳ । କାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ ଲଘୁଚାପ । ପ୍ରଭାବରେ ଆଜିଠୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ ।

ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । କାଲିଠୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ, ବାଲେଶ୍ବର, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ବଜ୍ରପାତ ବର୍ଷା ନେଇ ୧୭ ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

୩୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।

ପୁଣି ଅଶାନ୍ତ ମଣିପୁର, ଦୁଇ ବିଦ୍ୟାର୍ଥୀଙ୍କର ଅସ୍ବାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା

ଇମ୍ଫାଲ: ପୁଣି ଅଶାନ୍ତ ମଣିପୁର । ହିଂସା, ବିଦ୍ରୋହର ନିରାପଦ ଚରାଭୁଁଇ ପାଲଟିଛି ପୂରା ରାଜ୍ୟ । ୬ ମାସ ପାଇଁ ସମ୍ପୂର୍ଣ୍ଣ ରାଜ୍ୟକୁ ଅଶାନ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ କୌଣସି ପ୍ରକାର ବିଦ୍ରୋହ ଓ ବିକ୍ଷୋଭ କରିପାରିବେ ନାହିଁ ଲୋକେ  । ସ୍ଥିତି ସୁଧାରିବା ପାଇଁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର  ।

୧୯ଟି ଥାନା ଅଞ୍ଚଳ ଛାଡ଼ି ଅନ୍ୟ ସବୁ ସ୍ଥାନକୁ ଅଶାନ୍ତ ଘୋଷଣା କରାଯାଇଛି । ଦୁଇ ଜଣ ବିଦ୍ୟାର୍ଥୀଙ୍କର ଅସ୍ବାଭାବିକ ମୃତ୍ୟୁକୁ ନେଇ ପୂରା ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି  । ସେମାନଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଆକ୍ରୋଷ ଦେଖିବାକୁ ମିଳିଛି  । ଗତକାଲି ଛାତ୍ରଛାତ୍ରୀ ମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ବିରୋଧରେ ନାରା ଦେଇଥିଲେ ଛାତ୍ରଛାତ୍ରୀ । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବା ବେଳେ ଲୋକଙ୍କ ଜୀବନ ଅସୁରକ୍ଷିତ ବୋଲି ନାରା ଦେଇଥିଲେ ଛାତ୍ରଛାତ୍ରୀ । ମଣିପୁରରେ ଏଭଳି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସୁରକ୍ଷାବାହିନୀ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ ।

ଜୁଲାଇ ୬ରୁ ଦୁଇ ବିଦ୍ୟାର୍ଥୀ ନିଖୋଜ ଥିଲେ  । ପୋଲିସ ତନାଘନା କରିବା ପରେ ମଧ୍ୟ ସେମାନେ ମିଳିନଥିଲେ । ପରେ ସେମାନଙ୍କର ମୃତଦେହ ସୋସିଆଲ ମିଡିଆରେ ଘୁରିବୁଲିଥିଲା । ଦେଖୁ ଦେଖୁ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ନିଆଁ ଜଳିଥିଲା । ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଗୋଟିଏ ଫଟୋରେ ଦୁଇଜଣ ବନ୍ଧୁକ ଧାରୀ ଲୋକ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ ସାରା ରାଜ୍ୟରେ ଛାତ୍ରଛାତ୍ରୀ ମାନେ ନିଜର ସୁରକ୍ଷାକୁ ନେଇ ଆକ୍ରୋଶ ଦେଖାଇବା ସହ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର କରିଥିଲେ ।

ଦୁଇ ମୃତକଙ୍କ ଶବ ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ । ସ୍ଥିତି ଅଣାୟତ ହେବାରୁ ରାଜ୍ୟ ସରକାର ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ତେବେ ମଣିପୁରର କେଉଁ ସ୍ଥାନରେ ସେମାନଙ୍କୁ ହତ୍ୟା କରାଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ଠୁ ହାରି ସିରିଜ କବଜା କଲା ଭାରତ

ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ । ୬୬ ରନରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ୩୫୩ ରନର ଟାର୍ଗେଟକୁ ପିଛାକରି ୨୮୬ରନରେ ଅଲଆଉଟ ହୋଇଗଲା ରୋହିତ ବାହିନୀ । ଫଳରେ ଶେଷ ଦିନିକିଆ ହାରିବା ସହିତ ୩ଟିକିଆ ସିରିଜକୁ ୨-୧ରେ ଜିତିନେଇଛି ଭାରତ । ଶେଷ ଦିନିକିଆରେ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲେ ଅଷ୍ଟ୍ରେଲିଆ ।

ମିଚେଲ ମାର୍ସ, ଷ୍ଟିଭ୍ ସ୍ମିତ ଓ ଡେଭିଡ ଓ୍ବାର୍ଣ୍ଣରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବିଶାଳ ସ୍କୋର କରିଥିଲା ଅଷ୍ଟ୍ରେଲିଆ । ମିଚେଲ ୯୬ରନ କରିଥିବାବେଳେ ସ୍ମିଥ ୭୪, ଓ୍ବାର୍ଣ୍ଣର ୫୬ ଓ ମାର୍ନସ ୭୨ ରନ କରିଥିଲେ । ଫଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୩୫୨ ରନ କରିଥିଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ବୁମରାହ ସର୍ବାଧିକ ୩ ଓ୍ବିକେଟ ନେଇଥିବାବେଳେ କୂଲଦୀପ ଯାଦବ ୨ଟି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ଲେଖାଏ ଓ୍ବିକେଟ ନେଇଥିଲେ ।

୩୫୩ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । ଆରମ୍ଭକୁ କ୍ୟାପଟେନ ରୋହିତ ଶର୍ମା ଧୁଆଁଧାର ବ୍ୟାଟିଂ କରିଥିଲେ । ହେଲେ ମାସ୍କଓ୍ବେଲଙ୍କ ହାତରେ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ । ୫୭ ବଲରେ ୮୧ ରନ କରି ଆଉଟ ହୋଇଥିଲେ ରୋହିତ । ପରେ ନିୟମିତ ବ୍ୟବଧାନରେ ଟିମ୍ ଇଣ୍ଡିଆର ଓ୍ବିକେଟ ଗଡ଼ିଥିଲା । ବିରାଟ କୋହଲି ୬୧ ବଲରେ ୫୬ ରନ କରିଥିବାବେଳେ ଶ୍ରେୟସ ଆୟାର ୪୮, କେଏଲ ରାହୁଲ ୨୬ ଓ ରବୀନ୍ଦ୍ର ଜାଡେଜା ୩୫ ରନ କରିଥିଲେ । ୪୯ ଓଭର ୪ଟି ବଲକରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା ଟିମ୍ ଇଣ୍ଡିଆ ।

ଗିରିଶୋଲା ନିକଟରୁ କାନାରା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ତପନ ଠାବ

ବଡମ୍ବା: ଠାବ ହେଲେ ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ । ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରୁ ତପନଙ୍କୁ ଠାବ କରିଛି ପୋଲିସ । ମୋବାଇଲ ଟ୍ରାକିଂ ଓ ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରି ତପନଙ୍କୁ ଠାବ କରାଯାଇଛି । ତାଙ୍କ ଠାରୁ ଏକ ବାଇକ ଜବତ ହୋଇଛି । ପରେ ଗୋଳନ୍ଥରା ଥାନାରେ ପଚରାଉଚରା କରାଯାଇଥିଲା । ତପନ ନିଖୋଜ ହେବାର କାରଣ ସ୍ପଷ୍ଟ ହୋଇ ନଥିବାବେଳେ କାମରେ ଚାପ ଯୋଗୁ ସେ ପଳାଇଥିବା ସନ୍ଦେହ କରାଯାଉଛି ।

ପରିବାର ଲୋକଙ୍କ ଉପସ୍ଥିତିରେ ବୈଦେଶ୍ବର ଥାନା ପୋଲିସକୁ ତପନଙ୍କୁ ହସ୍ତାନ୍ତର କରାଯାଇଛି । ବୈଦେଶ୍ବର ଥାନା ପୋଲିସ ପରିବାର ଲୋକଙ୍କ ସହିତ ତପନଙ୍କୁ ନେଇ ଥାନାକୁ ଆସୁଛି । ନିଖୋଜ ହେବା ପଛର ସତ ଜାଣିବାକୁ ତପନଙ୍କୁ ପଚରାଉଚରା କରାଯିବ । ସ୍ବାମୀଙ୍କୁ ଠାବ କରାଯିବା ପରେ ଖୁସି ପ୍ରକାଶ କରିଛନ୍ତି ସ୍ତ୍ରୀ । ଗତ ସୋମବାରଠୁ ନିଖୋଜ ଥିଲେ ତପନ ।

ଗତ ସୋମବାର ଶ୍ବଶୁର ଘର ବ୍ରହ୍ମପୁରାରୁ ବାଇକ ଯୋଗେ ବଡମ୍ବା ଫେରୁଥିଲେ । ବଡମ୍ବାରେ ପହଞ୍ଚିବାକୁ ବିଳମ୍ବ ହେବାରୁ କଳାପଥର କାନାରା ବ୍ୟାଙ୍କରେ ବଡମ୍ବା କାନାରା ବ୍ୟାଙ୍କ ଲଗ ଇନ କରି ୯ଟା୪୫ରେ ବାହାରି ଯାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ଫୋନ ସୁଇଚ ଅଫ ଦେଖାଇବା ସହିତ କୌଣସି ପତ୍ତା ମିଳିନଥିଲା। ବୈଦେଶ୍ବର ଥାନା ନାଟେରୀ ଛକ ନିକଟରେ ତପନଙ୍କ ଫୋନ୍ ସୁଇଚ ଅପ ହୋଇଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ସେହିପରି ପତନି ଛକରେ ସିସିଟିଭିରେ ଫୁଟେଜରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ତେବେ ବାସ୍ତବରେ ତିନିଦିନ ହେଲା କୁଆଡ଼େ ଯାଇଥିଲେ ସେନେଇ ଅନୁଧ୍ୟାନ କରାଯାଉଛି ।

ମଧ୍ୟପ୍ରଦେଶରେ ନାବାଳିକା ଦୁଷ୍କର୍ମ, ଅର୍ଧନଗ୍ନ ହୋଇ ରାସ୍ତାରେ ଅଢେଇ ଘଣ୍ଟା ବୁଲିଲେ ପୀଡିତା

0

ଭୋପାଳ: ନିର୍ଦ୍ଦୟତାର ନିଛକ ଉଦାହରଣ । ମଣିଷ ପାଲଟିଲା ପଶୁ । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କୁ ସେବା ବଦଳରେ ଦୂରେଇଗଲେ ମଣିଷ । ମଧ୍ୟପ୍ରଦେଶର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା । ମଧ୍ୟପ୍ରଦେଶ ଉଜ୍ଜୟିନୀ ଠାରୁ ୧୫ କିଲୋମିଟର ଦୂର ବାଦ ନଗର ରୋଡରେ ଜଣେ ୧୨ ବର୍ଷ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ପୀଡିତାଙ୍କର ରକ୍ତସ୍ରାବ ହେଉଥିବାବେଳେ ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ଘର ଘର ବୁଲି ସହାୟତା ମାଗୁଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ମାତ୍ର ତାଙ୍କୁ କେହି ସହାୟତାର ହାତ ବଢାଇ ନଥିଲେ ।  ଶେଷରେ ନାବାଳିକା ଜଣକ ଏକ ଆଶ୍ରମରେ ପହଞ୍ଚିଥିଲେ । ଆଶ୍ରମର ବାବା ଦୟାପରବଶ ହୋଇ ନାବାଳିକାଙ୍କୁ ଏକ ଗାମୁଛାରେ ଆବରଣ କରିବା ସହ ହସ୍ପିଟାଲକୁ ନେଇଥିଲେ ।

ନାବାଳିକା ଜଣଙ୍କ ମେଡିକାଲ ଟେଷ୍ଟ ହେବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ପ୍ରମାଣିତ ହୋଇଥିଲା । ପୋଲିସ ପୋକ୍ସୋ ଆଇନ ଆଧାରରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନଙ୍କୁ ଧରିବା ଲାଗି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି କହିଛନ୍ତି ଉଜ୍ଜୟିନୀ ପୋଲିସ ମୁଖ୍ୟ ସଚିନ ଶର୍ମା । ନାବାଳିକାଙ୍କ ଘର ପ୍ରୟାଗରାଜ ବୋଲି ସୂଚନା ମିଳିଛି । ୨୦୧୯ରୁ ୨୦୨୧ ମଧ୍ୟରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ସର୍ବାଧିକ ମହିଳା ଓ ବାଳିକା ନିଖୋଜ ହୋଇଥିବା ଜଣାଯାଇଛି ।

ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋର ତଥ୍ୟ ଅନୁସାରେ ମଧ୍ୟପ୍ରଦେଶରେ ୨୦୨୧ରେ ୬ ହଜାର ୪୬୨ଟି ଦୁଷ୍କର୍ମ ଘଟଣା ଘଟିଛି । ସେଥିରୁ ୫୦ ଭାଗ ହେଉଛି ନାବାଳିକା ଦୁଷ୍କର୍ମ ।

ରାଉରକେଲା ଛାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଇଅରଫୋନ୍ ପାଇଁ ସାଙ୍ଗକୁ ପଥରରେ ଛେଚି ହତ୍ୟା

ରାଉରକେଲା: ସାଙ୍ଗ ସାଜିଲେ ସଇତାନ । ସାମାନ୍ୟ ଇଅରଫୋନ୍ ପାଇଁ ପଥରରେ ଛେଚି ହତ୍ୟା କଲେ । ରାଉରକେଲାରେ ଘଟିଥିବା ଛାତ୍ର ହତ୍ୟାକାଣ୍ଡ ସୃଷ୍ଟି କରିଛି ଚାଞ୍ଚଲ୍ୟ । ବାଲୁଘାଟ ଵସ୍ତିର ଦଶମ ଶ୍ରେଣୀର ଛାତ୍ର ରୁଦ୍ର ପାଢୀଙ୍କ ମୃତଦେହ ଗତକାଲି ହେକେଟ ରୋଡ ଵୁଦା ମୁଳରୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ରଘୁନାଥପାଲି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଆଜି ଏହି ହତ୍ୟା କାଣ୍ଡରେ ସମୃକ୍ତ ଥିବା ନବମ ଶ୍ରେଣୀର ଦୁଇ ଛାତ୍ରଙ୍କୁ କୋର୍ଟ ଚାଲାଣ କରିବା ପରେ ବାଳ ସୁଧାର ଗୃହକୁ ପଠାଇଛି ପୋଲିସ । ହତ୍ୟାକାରୀଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଦୁଇଟି ପଥର , ଦୁଇଟି ସାଇକେଲ,ଗୋଟିଏ ମୋବାଇଲ ଫୋନ ଜଵତ କରାଯାଇଛି । ପରେ ହେକେଟ ରୋଡର ସ୍ଥିତ କ୍ରାଇମସ୍ପଟରେ ପହଞ୍ଚି ଅଧିକ ତଦନ୍ତ କରିଛି ପୋଲିସ ।

ବ୍ଲ୍ୟୁଟୁଥ୍ ଇଅର ଫୋନକୁ କେନ୍ଦ୍ରକରି ତିନି ସାଙ୍ଗଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ପରେ ଦୁଇ ନାଵାଳକ ମିଶି ଆଉ ଜଣେ ନାବଳକଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି । ସେପଟେ ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଛି ପରିବାର । ମା’ , ବାପା, ଜେଜେ ମା’ ପୁଅକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି । ରୁଦ୍ରର ମୃତ୍ୟୁ ଖବର ଶୁଣିବା ପରେ ସାହି ମଧ୍ୟ ଶୁନଶାନ ହୋଇପଡିଛି ।

ପୁରୀ ସମୁଦ୍ରରେ ଭାସିଗଲେ ଝାଡଖଣ୍ଡ ସିଏମଓର କର୍ମଚାରୀ

ପୁରୀ: ସମୁଦ୍ରରେ ଗାଧେଇବା ସମୟରେ ବୁଡ଼ିଯାଇ ଯୁବକ ମୃତ  । ଝାଡଖଣ୍ଡ ସିଏମଓରେ କାର୍ଯ୍ୟରତ ଥିଲେ ଯୁବକ  । ମୃତ ଯୁବକ ହେଲେ ବିଶାଲ ଓରାମ  । ରାଞ୍ଚି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୧ଜଣଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଅପରାହ୍ନରେ ବେଳାଭୂମିରେ ଗାଧେଇବା ସମୟରେ ଘଟିଲା ଅଘଟଣ  ।

ଗାଧେଇବା ସମୟରେ ଵିଶାଲ ଭାସିଯାଇଥିଲେ  । ପରେ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା  । ଅଗ୍ନିଶମ ବିଭାଗ ପକ୍ଷରୁ ରେସକ୍ୟୁ ଅପରେସନ କରାଯାଇଥିଲା  । ହେଲେ ଉଦ୍ଧାର ହେବା ବେଳକୁ ସେ ମୃତ ଥିବା ଜଣାପଡିଥିଲା । ଏକ ଅପମୃତ୍ୟୁ ମାମଲା ଥାନାରେ ରୁଜୁ ହେବା ସହ ଅଧିକ ତଦନ୍ତ କରାଯାଉଛି ।

ଆଗାମୀ ୨୪ ଘଣ୍ଟାରେ ଲଘୁଚାପ, ଅକ୍ଟୋବର ୫ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତା ୨୯ ତାରିଖରୁ ତୁହାକୁ ତୁହା ଭିଜିବ ଓଡ଼ିଶା । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ୨୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି । ପ୍ରଭାବରେ ୨୯ରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ନନଷ୍ଟପ ବର୍ଷା ସମ୍ଭାବନା ରହିଛି ।

ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

କିଛି ଜିଲ୍ଲାରେ ୨୦୦ମିଲିମିଟର କିମ୍ବା ତା ଠାରୁ ଅଧିକ ବର୍ଷା ନେଇ ଆକଳନ କରାଯାଇଛି । ପାଗ ଅନୁକୁଳ ରହିଲେ ଲଘୁଚାପ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ । କିନ୍ତୁ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ସେପଟେ କାଲି ରାଜସ୍ଥାନ ପରେ ଆଜି ବିହାରର କିଛି ଅଞ୍ଚଳରୁ ମୌସୁମୀ ଫେରିବା ଆରମ୍ଭ ହେଉଛି ।

ସେପଟେ ବଙ୍ଗୋପସାଗରରେ ଏକାଧିକ ସିଷ୍ଟମ ଏବଂ ପାଣିପାଗ ନିୟାମକ ଥିବାରୁ ରାଜ୍ୟରେ ଦୁଇଦିନ ପ୍ରବଳ ବର୍ଷା ହେବ । ବର୍ଷା ସହ ବଜ୍ରପାତ ନେଇ ଆଜି ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ମଦ୍ୟପ ଶିକ୍ଷକଙ୍କ ଅଭାବନୀୟ କାଣ୍ଡ, ଛାତ୍ରଙ୍କୁ ପିଟିପିଟି କରିଦେଲେ ଅଚେତ

କେନ୍ଦ୍ରାପଡା: ଶିକ୍ଷକଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର।  ଆଳି ଥାନା ଚନ୍ଦନନଗର ହାଇସ୍କୁଲର ଶିକ୍ଷକ ଗୋପବନ୍ଧୁ ବେହେରା ଜଣେ ଛାତ୍ରଙ୍କୁ ନିଶାସକ୍ତ ଅବସ୍ଥାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଫଳରେ ଛାତ୍ର ଜଣଙ୍କ ହାତରେ ଗଭୀର ଆଘାତ ଲାଗିଛି। ସେ ଗୁରୁତର ଅବସ୍ଥାରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି।

ଦଶମ ଶ୍ରେଣୀ ଛାତ୍ର ଶୁଭମ ବାରିକ ଶିକ୍ଷକ ଜଣଙ୍କ ମଦ ପିଉଥିବାର ଦେଖିବାକୁ ପାଇଥିଲେ। ଛାତ୍ର ଜଣଙ୍କ ସାରଙ୍କୁ ମଦ ପିଉଛନ୍ତି ବୋଲି ପଚାରିବାରୁ ଶିକ୍ଷକ ଜଣଙ୍କ ଉତକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ଛାତ୍ରଙ୍କୁ ନିର୍ଧୁମ ପିଟିଥିଲେ। ଫଳରେ ଛାତ୍ର ଜଣଙ୍କ ଅଚେତ ହୋଇପଡିଥିଲେ। ଏନେଇ ସଂପୃକ୍ତ ଶିକ୍ଷକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୋବାଇଲ ସୁଇସ ଅଫ ଥିବାରୁ ତାଙ୍କ ପତିକ୍ରୟା ମିଳିପାରିନାହିଁ। ଅନ୍ୟ ପଟେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।