ମଧ୍ୟପ୍ରଦେଶରେ ନାବାଳିକା ଦୁଷ୍କର୍ମ, ଅର୍ଧନଗ୍ନ ହୋଇ ରାସ୍ତାରେ ଅଢେଇ ଘଣ୍ଟା ବୁଲିଲେ ପୀଡିତା

ଭୋପାଳ: ନିର୍ଦ୍ଦୟତାର ନିଛକ ଉଦାହରଣ । ମଣିଷ ପାଲଟିଲା ପଶୁ । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କୁ ସେବା ବଦଳରେ ଦୂରେଇଗଲେ ମଣିଷ । ମଧ୍ୟପ୍ରଦେଶର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା । ମଧ୍ୟପ୍ରଦେଶ ଉଜ୍ଜୟିନୀ ଠାରୁ ୧୫ କିଲୋମିଟର ଦୂର ବାଦ ନଗର ରୋଡରେ ଜଣେ ୧୨ ବର୍ଷ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ପୀଡିତାଙ୍କର ରକ୍ତସ୍ରାବ ହେଉଥିବାବେଳେ ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ଘର ଘର ବୁଲି ସହାୟତା ମାଗୁଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ମାତ୍ର ତାଙ୍କୁ କେହି ସହାୟତାର ହାତ ବଢାଇ ନଥିଲେ ।  ଶେଷରେ ନାବାଳିକା ଜଣକ ଏକ ଆଶ୍ରମରେ ପହଞ୍ଚିଥିଲେ । ଆଶ୍ରମର ବାବା ଦୟାପରବଶ ହୋଇ ନାବାଳିକାଙ୍କୁ ଏକ ଗାମୁଛାରେ ଆବରଣ କରିବା ସହ ହସ୍ପିଟାଲକୁ ନେଇଥିଲେ ।

ନାବାଳିକା ଜଣଙ୍କ ମେଡିକାଲ ଟେଷ୍ଟ ହେବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ପ୍ରମାଣିତ ହୋଇଥିଲା । ପୋଲିସ ପୋକ୍ସୋ ଆଇନ ଆଧାରରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନଙ୍କୁ ଧରିବା ଲାଗି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି କହିଛନ୍ତି ଉଜ୍ଜୟିନୀ ପୋଲିସ ମୁଖ୍ୟ ସଚିନ ଶର୍ମା । ନାବାଳିକାଙ୍କ ଘର ପ୍ରୟାଗରାଜ ବୋଲି ସୂଚନା ମିଳିଛି । ୨୦୧୯ରୁ ୨୦୨୧ ମଧ୍ୟରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ସର୍ବାଧିକ ମହିଳା ଓ ବାଳିକା ନିଖୋଜ ହୋଇଥିବା ଜଣାଯାଇଛି ।

ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋର ତଥ୍ୟ ଅନୁସାରେ ମଧ୍ୟପ୍ରଦେଶରେ ୨୦୨୧ରେ ୬ ହଜାର ୪୬୨ଟି ଦୁଷ୍କର୍ମ ଘଟଣା ଘଟିଛି । ସେଥିରୁ ୫୦ ଭାଗ ହେଉଛି ନାବାଳିକା ଦୁଷ୍କର୍ମ ।