ଆଗାମୀ ୨୪ ଘଣ୍ଟାରେ ଲଘୁଚାପ, ଅକ୍ଟୋବର ୫ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତା ୨୯ ତାରିଖରୁ ତୁହାକୁ ତୁହା ଭିଜିବ ଓଡ଼ିଶା । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ୨୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି । ପ୍ରଭାବରେ ୨୯ରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ନନଷ୍ଟପ ବର୍ଷା ସମ୍ଭାବନା ରହିଛି ।

ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

କିଛି ଜିଲ୍ଲାରେ ୨୦୦ମିଲିମିଟର କିମ୍ବା ତା ଠାରୁ ଅଧିକ ବର୍ଷା ନେଇ ଆକଳନ କରାଯାଇଛି । ପାଗ ଅନୁକୁଳ ରହିଲେ ଲଘୁଚାପ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ । କିନ୍ତୁ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ସେପଟେ କାଲି ରାଜସ୍ଥାନ ପରେ ଆଜି ବିହାରର କିଛି ଅଞ୍ଚଳରୁ ମୌସୁମୀ ଫେରିବା ଆରମ୍ଭ ହେଉଛି ।

ସେପଟେ ବଙ୍ଗୋପସାଗରରେ ଏକାଧିକ ସିଷ୍ଟମ ଏବଂ ପାଣିପାଗ ନିୟାମକ ଥିବାରୁ ରାଜ୍ୟରେ ଦୁଇଦିନ ପ୍ରବଳ ବର୍ଷା ହେବ । ବର୍ଷା ସହ ବଜ୍ରପାତ ନେଇ ଆଜି ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।