ପୁଣି ଅଶାନ୍ତ ମଣିପୁର, ଦୁଇ ବିଦ୍ୟାର୍ଥୀଙ୍କର ଅସ୍ବାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା

ଇମ୍ଫାଲ: ପୁଣି ଅଶାନ୍ତ ମଣିପୁର । ହିଂସା, ବିଦ୍ରୋହର ନିରାପଦ ଚରାଭୁଁଇ ପାଲଟିଛି ପୂରା ରାଜ୍ୟ । ୬ ମାସ ପାଇଁ ସମ୍ପୂର୍ଣ୍ଣ ରାଜ୍ୟକୁ ଅଶାନ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ କୌଣସି ପ୍ରକାର ବିଦ୍ରୋହ ଓ ବିକ୍ଷୋଭ କରିପାରିବେ ନାହିଁ ଲୋକେ  । ସ୍ଥିତି ସୁଧାରିବା ପାଇଁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର  ।

୧୯ଟି ଥାନା ଅଞ୍ଚଳ ଛାଡ଼ି ଅନ୍ୟ ସବୁ ସ୍ଥାନକୁ ଅଶାନ୍ତ ଘୋଷଣା କରାଯାଇଛି । ଦୁଇ ଜଣ ବିଦ୍ୟାର୍ଥୀଙ୍କର ଅସ୍ବାଭାବିକ ମୃତ୍ୟୁକୁ ନେଇ ପୂରା ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି  । ସେମାନଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଆକ୍ରୋଷ ଦେଖିବାକୁ ମିଳିଛି  । ଗତକାଲି ଛାତ୍ରଛାତ୍ରୀ ମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ବିରୋଧରେ ନାରା ଦେଇଥିଲେ ଛାତ୍ରଛାତ୍ରୀ । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବା ବେଳେ ଲୋକଙ୍କ ଜୀବନ ଅସୁରକ୍ଷିତ ବୋଲି ନାରା ଦେଇଥିଲେ ଛାତ୍ରଛାତ୍ରୀ । ମଣିପୁରରେ ଏଭଳି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସୁରକ୍ଷାବାହିନୀ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ ।

ଜୁଲାଇ ୬ରୁ ଦୁଇ ବିଦ୍ୟାର୍ଥୀ ନିଖୋଜ ଥିଲେ  । ପୋଲିସ ତନାଘନା କରିବା ପରେ ମଧ୍ୟ ସେମାନେ ମିଳିନଥିଲେ । ପରେ ସେମାନଙ୍କର ମୃତଦେହ ସୋସିଆଲ ମିଡିଆରେ ଘୁରିବୁଲିଥିଲା । ଦେଖୁ ଦେଖୁ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ନିଆଁ ଜଳିଥିଲା । ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଗୋଟିଏ ଫଟୋରେ ଦୁଇଜଣ ବନ୍ଧୁକ ଧାରୀ ଲୋକ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ ସାରା ରାଜ୍ୟରେ ଛାତ୍ରଛାତ୍ରୀ ମାନେ ନିଜର ସୁରକ୍ଷାକୁ ନେଇ ଆକ୍ରୋଶ ଦେଖାଇବା ସହ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର କରିଥିଲେ ।

ଦୁଇ ମୃତକଙ୍କ ଶବ ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ । ସ୍ଥିତି ଅଣାୟତ ହେବାରୁ ରାଜ୍ୟ ସରକାର ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ତେବେ ମଣିପୁରର କେଉଁ ସ୍ଥାନରେ ସେମାନଙ୍କୁ ହତ୍ୟା କରାଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।