ରାଉରକେଲା: ରାଉରକେଲାର କନକ ଅଳଙ୍କାର ଜୁଏଲର୍ସରେ ଜିଏସଟି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଛି । ରାଉରକେଲା ସହରର ମେନରୋଡ ଅଞ୍ଚଳରେ ଥିବା ଏହି ଜୁଏଲର୍ସ ଜିଏସଟି ଠକିଥିବା ଅଭିଯୋଗ ହୋଇଛି । ବିଲ୍ ଓ ରେଜିଷ୍ଟର ଜବତ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି ଜିଏସଟି ଟିମ୍ । ତେବେ କୌଣସି ପ୍ରକାରର ଅନିୟମିତତା ହୋଇନଥିବା ଜୁଏଲର୍ସ କର୍ତ୍ତୃପକ୍ଷ କହିଛନ୍ତି କୁହାଯାଇଛି ।
ରାଜ୍ୟକୁ ଫେରିଲା ଶୀତ, ଜାଣନ୍ତୁ କେଉଁଠି କେତେ ରହିଛି ତାପମାତ୍ରା
ଭୁବନେଶ୍ବର: ରାଜ୍ୟକୁ ଫେରିଲା ଶୀତ । ସିଜିନରେ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା । କନ୍ଧମାଳ ଜି.ଉଦୟଗିରିରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଲା ପାରଦ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି କମିବ ତାପମାତ୍ରା । ୧୩ ତାରିଖ ପର୍ଯ୍ୟନ୍ତ ରହିବ ଶୁଖିଲା ପାଗରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ । ରାଜ୍ୟରେ ତାପମାତ୍ରା ଖସିବା ଆରମ୍ଭ ହୋଇଛି । ଦେଶର ମଧ୍ୟଭାଗରେ ଏକ ଗୁରୁଚାପବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି । ୧୪ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଦୀପାବଳିରେ ପାଗ ଅନୁକୂଳ ରହିବ। ବର୍ଷା ହେବାର ଆଶଙ୍କା ନାହିଁ ।
ପୂର୍ବ ସିରିଆରେ ଅବସ୍ଥିତ ଇରାନଭିତ୍ତିକ ଏକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା
ନନ୍ଦିଘୋଷ ବ୍ୟୁରୋ : ସିରିଆ ଉପରେ ପୁଣି ଆମେରିକାର ଏୟାରଷ୍ଟ୍ରାଇକ । ପୂର୍ବ ସିରିଆରେ ଅବସ୍ଥିତ ଇରାନଭିତ୍ତିକ ଏକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକୀୟ ଯୁଦ୍ଧ ବିମାନ । ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ । ଏହି ହମଲାରେ ୯ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସିରିଆ ଉପରେ ଆମେରିକାର ଏହି ଆକ୍ରମଣ ଦ୍ବିତୀୟଥର ହୋଇଛି । ଆମେରିକୀୟ ସୈନ୍ୟଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ଏୟାରଷ୍ଟ୍ରାଇକ ହୋଇଥିବା କୁହାଯାଇଛି । ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇଆରଜିସିର ଫାସିଲିଟି ସେଣ୍ଟରରେ ଆମେରିକାର ଏଫ-୧୫ ବୋମାବର୍ଷୀ ବିମାନ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି । ଇସଲାମିକ ବିଦ୍ରୋହ ନିୟନ୍ତ୍ରଣ କରିବା ଲାଗି ବର୍ତ୍ତମାନ ଇରାକରେ ୨ ହଜାର ୫୦୦ ଓ ସିରିଆରେ ୯୦୦ ଆମେରିକୀୟ ସୈନ୍ୟ ରହିଛନ୍ତି । ତେଣେ ୟେମେନରେ ହାଉଥି ଗ୍ରୁପ ପକ୍ଷରୁ ଆମେରିକାର ଏକ ଏମକ୍ୟୁ-୯ ଡ୍ରୋନକୁ ଖସାଇଦିଆଯାଇଥିବା ସୂଚନା ମିଳିଛି । 
ଜାଣନ୍ତୁ ଦିଲ୍ଲୀରେ ଜେମିତି ସ୍ଥିତି : ଦିଲ୍ଲୀରେ ବେଲଗାମ ପ୍ରଦୂଷଣ, ସରକାର କୃତ୍ରିମ ବର୍ଷା କରିବାକୁ କରୁଛନ୍ତି ଯୋଜନା
ସେପଟେ ଗାଜା ସିଟିରେ ହମାସ ବାହିନୀ ଓ ଇସ୍ରାଏଲ ବାହିନୀ ମଧ୍ୟରେ ତୁମୁଳ ସଂଘର୍ଷ ଚାଲିଛି । ହମାସର ଶହ ଶହ କିଲୋମିଟର ବ୍ୟାପୀ ଟନେଲଗୁଡିକୁ ଧ୍ବଂସ କରାଯାଉଛି । ସୈନ୍ୟ, ଅସ୍ତ୍ରଶସ୍ତ୍ର ପରିବହନ, ଚୋରାଚାଲାଣରେ ବ୍ୟବହୃତ ହେଉଥିବା ୧୩୦ ଟନେଲକୁ ବର୍ତ୍ତମାନ ସୁଦ୍ଧା ଧ୍ବଂସ କରାଯାଇଛି । ତେଣେ ଗାଜା ଅନ୍ତର୍ଗତ ଜାବାଲିଆ ଶରଣାର୍ଥୀ ଶିବିରରେ ଇସ୍ରାଏଲ ହମଲାରେ ପ୍ରାଣ ହରାଇଛନ୍ତି ୧୯ ଜଣ । ସେପଟେ ଜୀବନ ବିକଳରେ ଗାଜାରୁ ହଜାର ହଜାର ଲୋକଙ୍କ ପଳାୟନ ଜାରି ରହିଛି ।
ଦିଲ୍ଲୀରେ ବେଲଗାମ ପ୍ରଦୂଷଣ, ସରକାର କୃତ୍ରିମ ବର୍ଷା କରିବାକୁ କରୁଛନ୍ତି ଯୋଜନା
ଦିଲ୍ଲୀ : ଦିଲ୍ଲୀରେ ବେଲଗାମ ପ୍ରଦୂଷଣ। ସାତ ଦିନ ହେଲାଣି ବାୟୁର ଗୁଣବତ୍ତା ମାନ ୪ଶହ ଉପରେ ରହୁଛି। ପ୍ରଦୂଷଣର ମୁକାବିଲା କରିବାକୁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର ।ଆସନ୍ତା ୨୦ ଏବଂ ୨୧ ତାରିଖରେ କୃତ୍ରିମ ବର୍ଷା କରିବାକୁ ଯୋଜନା ରହିଛି। ଏଥିଲାଗି କାନପୁର ଆଇଆଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ଅର୍ଥମନ୍ତ୍ରୀ ଅତିଶୀ । କୃତ୍ରିମ ବର୍ଷା ନେଇ ଆଇଆଇଟି ସଦସ୍ୟଙ୍କୁ ସବିଶେଷ ବିବରଣୀ ମାଗିଛନ୍ତି ଗୋପାଳ ରାୟ । ଆସନ୍ତାକାଲି ଏହି ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ। ତେବେ କୃତ୍ରିମ ବର୍ଷା ହେବା ଲାଗି ଆକାଶରେ କମରେ ୪୦ ପ୍ରତିଶତ ମେଘର ଆବଶ୍ୟକ ରହିଛି। ଆସନ୍ତା ୨୦ ଏବଂ ୨୧ ତାରିଖରେ ଦିଲ୍ଲୀରେ ମେଘୁଆ ପାଗ ରହିବା ସମ୍ଭାବନା ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ କୃତ୍ରିମ ବର୍ଷା ନେଇ କେନ୍ଦ୍ର ସହ ଆବଶ୍ୟକ ଅନୁମତି ନେଇ ଆଲୋଚନା କରାଯିବ।କୃତ୍ରିମ ବର୍ଷା ହେଲେ ରାଜଧାନୀବାସୀଙ୍କୁ ପ୍ରଦୂଷଣର ସାମାନ୍ୟ ଆଶ୍ବସ୍ତି ମିଳିପାରେ । 
ଦିଲ୍ଲୀ ଆଖପାଖ ରାଜ୍ୟ ଗୁଡିକରେ ଜମିରେ ପାଳ ପୋଡ଼ାଯିବା ଘଟଣା ବଢୁଥିବାରୁ ପ୍ରଦୂଷଣ ମଧ୍ୟ ସେହି ହିସାବରେ ବଢି ଚାଲିଛି। ଦିଲ୍ଲୀରେ ଯେକୌଣସି ମତେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ ରୋକିବା ନେଇ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ପାଳ ପୋଡାଯିବା କେମିତି ରୋକାଯାଇ ପାରିବ ସେଥିପ୍ରତି ଗୁରୁତ୍ବାରୋପ କରିଥିଲେ ସର୍ବୋଚ୍ଚ୍ ନ୍ୟାୟାଳୟ। ଆଜି ଦିଲ୍ଲୀ ପ୍ରଦୂଷଣକୁ ନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି।
ମୁମ୍ବାଇ ନାଁ କୋଲାକାତା, ଭାରତ କେଉଁଠି ଖେଳିବ ସେମିଫାଇନାଲ ମୁକାବିଲା ?
ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ବକପ ୨୦୨୩ ସେମିଫାଇନାଲ ପାଇଁ ୪ ଟିମ ମଧ୍ୟରୁ ୩ ଟିମ ନିଜର ସ୍ଥାନ ପକ୍କା କରିସାରିଛନ୍ତି । ଭାରତ, ଦକ୍ଷିଣଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସେମି ଟିକେଟ ହାସଲ କରିଥିବାବେଳେ ଚତୁର୍ଥ ସ୍ଥାନ ପାଇଁ ଜାରି ରହିଛି ଲଢ଼େଇ । ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ଏହି ରେସରେ ରହିଛନ୍ତି । ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିବା ଦଳ ଚତୁର୍ଥ ସ୍ଥାନରେ ରହିଥିବା ଦଳ ସହ ଖେଳିବ । ଏହି ନିୟମ ଅନୁସାରେ ଯଦି ଭାରତ ପ୍ରଥମ ସେମିଫାଇନାଲ ମୁମ୍ବାଇରେ ଖେଳିବ । ମାତ୍ର ଯଦି ନ୍ୟୁଜିଲାଣ୍ଡ ବଦଳରେ ସେମି ଫାଇନାଲରେ ପାକିସ୍ତାନ ପ୍ରବେଶ କରେ ତାହେଲେ ସବୁ କିଛି ଗଡ଼ବଡ଼ ହୋଇଯିବ । ମୁମ୍ବାଇରେ କୌଣସି ମ୍ୟାଚ ପାକିସ୍ତାନ ଖେଳିବ ନାହିଁ ବୋଲି ପୂର୍ବରୁ ପିସିବି ପକ୍ଷରୁ ଆଇସିସିକୁ ଅନୁରୋଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏଭଳି ଅନୁରୋଧ କରାଯାଇଛି । ତେବେ ପାକିସ୍ତାନ ଯଦି ସେମିରେ ଭାରତକୁ ଭେଟେ ତାହେଲେ ଦ୍ବିତୀୟ ସେମି ଫାଇନାଲ ପାଇଁ ରହିଥିବା ଷ୍ଟାଡିୟମ ଇଡେନ ଗାର୍ଡେନରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଏବଂ ଦ୍ବିତୀୟ ସେମି ଫାଇନାଲ ମୁମ୍ବାଇର ଓ୍ବାଖଡେରେ ଅନୁଷ୍ଠିତ ହେବ ।
ପାକିସ୍ତାନ ନିଜର ଶେଷ ମ୍ୟାଚରେ ଇଂଲଣ୍ଡକୁ ଭେଟିବ । ସେପଟେ ଗୁରୁବାର ଶ୍ରୀଲଙ୍କାକୁ ଭେଟୁଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରି ବିଜୟ ଆଶାରେ ରହିଛି । ଏହି ମ୍ୟାଚ ଯଦି ନ୍ୟୁଜିଲାଣ୍ଡ ଜିତେ ତାହେଲେ ପାକିସ୍ତାନ ସେମି ଆଶା ଏକପ୍ରକାର ମଉଳି ଯିବ । ଯଦି ପାକିସ୍ତାନ ଜିତେ ତଥାପି ନେଟ ରନରେଟକୁ ହିସବ କରି ପାକିସ୍ତାନ ଆଗରେ ଏକ ବଡ଼ ଲକ୍ଷ୍ୟ ରହିବ । ଇଂଲଣ୍ଡ ନିଜର ଶେଷ ମ୍ୟାଚରେ ଜିତିଥିବାବେଳେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଜିତିବା ସହ ସମ୍ମାନର ସହ ଚଳିତ ବିଶ୍ବକପରୁ ବିଦାୟ ନେବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଆଫଗାନିସ୍ତାନ ନିଜର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ସମାନା କରିବାକୁ ଯାଉଛି । ଏହି ମ୍ୟାଚରେ ଯଦି ଆଫଗାନିସ୍ତାନ ଆଶ୍ଚର୍ଯ୍ୟଜନକଭାବେ ବଡ଼ ରନ ବ୍ୟବଧାନରେ ଜିତେ ତାହେଲେ ଦଳ ସେମିଫାଇନାଲରେ ପ୍ରବେଶ କରିବ । ଆଫଗାନିସ୍ତାନ ନିଜର ଶେଷ ମ୍ୟାଚରେ ଏକ ନିଶ୍ଚିତ ବିଜୟ ମ୍ୟାଚକୁ ହାତ ଛଡ଼ା କରିଥିଲା । ମ୍ୟାକ୍ସଓ୍ବେଲଙ୍କ ଦମଦର ଦ୍ବିଶତକ ମାଧ୍ୟମରେ ପରାଜୟ ବରଣ କରିଥିଲା ଆଫଗାନିସ୍ତାନ ।
ଇମ୍ଫାଲରେ ଦୁଇ ଜଣଙ୍କ ଶବ ମିଳିବା ପରେ ବିଭିନ୍ନ ସ୍ଥାନରେ ଉତ୍ତେଜନା
ମଣୀପୁର : ପୁଣି ମଣିପୁରରେ ହିଂସା । ଇମ୍ଫାଲରେ ଦୁଇ ଜଣଙ୍କ ଶବ ମିଳିବା ପରେ ବିଭିନ୍ନ ସ୍ଥାନରେ ହୋଇଛି ଉତ୍ତେଜନା । ଇମ୍ଫାଲ ଓ୍ବେଷ୍ଟର ତାଇନପୋକପିରେ ଜଣେ ମହିଳାଙ୍କ ଗୁଳିବିଦ୍ଧ ଶରୀର ଠାବ ହୋଇଥିବାବେଳେ ଇମ୍ଫାଲ ଇଷ୍ଟରେ ଜଣେ ବ୍ୟକ୍ତିଙ୍କ ଗୁଳିବିଦ୍ଧ ଶରୀର ଠାବ ହୋଇଛି । ଗତ ମେ ମାସରୁ ରାଜ୍ୟରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ଦୁଇଟିଯାକ ମୃତଦେହ ଇମ୍ଫାଲର ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସକୁ ପୋଷ୍ଟମର୍ଟମ ଲାଗି ପଠାଯାଇଛି ।
ସେପଟେ ବିଭିନ୍ନ ସ୍ଥାନରୁ ଅପହୃତ ହୋଇଥିବା ୪ ଜଣଙ୍କ ସନ୍ଧାନ ଲାଗି ସେନା ଓ ଆସାମ ରାଇଫଲସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଅପହୃତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି ଏବଂ ତାଙ୍କ ମୃତଦେହ ଠାବ ହୋଇଛି ବୋଲି ଆଶଙ୍କା କରାଯାଉଛି । ଗତ ମେ ମାସରୁ ଜାରି ରହିଥିବା ହିଂସାରେ ମୃତ୍ୟୁ ସଂଖ୍ୟା ୧୮୦ ହୋଇଥିବା ସୂଚନା ମିଳିଛି ।
ପାକିସ୍ତାନୀ ମିଡିଆକୁ ସାମିଙ୍କ କଡ଼ା ଜବାବ , କହିଲେ..
ନୂଆଦିଲ୍ଲୀ: ଚଳିତ ବିଶ୍ବକପରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା କରାଯାଉଥିବାବେଳେ ପାକିସ୍ତାନୀ ଗଣମାଧ୍ୟମରେ ସମାଲୋଚନା କରାଯାଉଛି । ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ଭାରତର ପ୍ରଦର୍ଶନ ଏବଂ ବିଜୟକୁ ସହ୍ୟ କରିପାରୁନାହାନ୍ତି । ସମାଲୋଚନା କରିବା ସହ କହିଛନ୍ତି କି, ଭାରତୀୟ ବୋଲରମାନେ କାହିଁକି ଏଭଳି ଭଲ ପ୍ରଦର୍ଶନ କରୁଛନ୍ତି । ପିଚରେ କିଛି ଗଡ଼ବଡ଼ କରୁଛନ୍ତି । ଏପରିକି ଭାରତୀୟ ବୋଲରମାନେ ଯେତେବେଳେ ବୋଲିଂ କରନ୍ତି ସେତେବେଳେ ବଲ ପରିବର୍ତ୍ତନ କରାଯାଉଛି । ଭାରତୀୟ ବୋଲରଙ୍କୁ ଏଭଳି ବଲ ଦିଆଯାଉଛି କି, ଯେପରି ଏହା ଅଧିକ ସ୍ପିଡ୍ ହେବା ସହ ସ୍ବିଙ୍ଗ୍ ହେଉଛି । ମାତ୍ର ଏହି ସ୍ବତନ୍ତ୍ର ବଲ ବିଦେଶୀ ଖେଳାଳିଙ୍କୁ ଦିଆଯାଉନାହିଁ । ଯେଉଁ କାରଣରୁ ବଡ଼ ବଡ଼ ବିଦେଶୀ ବୋଲରମାନେ ମଧ୍ୟ ଭାରତୀୟ ପିଚରେ ମାତ ଖାଉଛନ୍ତି ।
ପାକିସ୍ତାନୀ ମିଡିଆର ଏଭଳି ସମାଲୋଚନାକୁ ନେଇ କଡ଼ା ଜବାବ ଦେଇଛନ୍ତି ଭାରତୀୟ ଦୃତ ବୋଲର ମହମ୍ମଦ ସାମି । ଇନଷ୍ଟାଗ୍ରାମରେ ସେ ଏକ ଷ୍ଟୋରୀ ମାଧ୍ୟମରେ ସମାଲେଚନା କରିଛନ୍ତି । ସେ ଲେଖିଛନ୍ତି କି, ଲଜ୍ଜା ବନ୍ଧୁ, ଖେଳ ଉପରେ ଧ୍ୟାନ ଦିଅନ୍ତୁ । ଫାଲତୁ ବକବାଜ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ଅନ୍ୟମାନଙ୍କ ସଫଳତାକୁ କିଛି ସମୟ ଉପଭୋଗ କରନ୍ତୁ । ଏହାସହ ଲେଖିଛନ୍ତି କି, ଏହା ହେଉଛି ଆଇସିସି ବିଶ୍ବକପ । ତୁମର ଲୋକାଲ ଟୁର୍ଣ୍ଣାମେଣ୍ଟ ନୁହେଁ । ଓ୍ବାସିମ ଭାଇ ତୁମ ଖେଳାଳିଙ୍କୁ ପୂର୍ବରୁ ଏକ୍ସପ୍ଲେନ କରିଛନ୍ତି । କିନ୍ତୁ ତୁମ ଖେଳାଳିମାନେ ତାଙ୍କୁ ବିଶ୍ବାସ କରୁନାହାନ୍ତି । ଏପରିକି ସାମି ପୋଷ୍ଟ କରିଥିବା ଷ୍ଟୋରୀରେ ଅନେକ ସ୍ଥାନରେ ହସୁଥିବାର ଇମୋଜି ମଧ୍ୟ ଦେଇଛନ୍ତି । ସାମିଙ୍କ ଏହି ଷ୍ଟୋରୀ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ଲାଇକ୍ କରିବା ସହ ପାକିସ୍ତାନ ଟିମ ସହ ଗଣମାଧ୍ୟମକୁ ନିନ୍ଦା କରିବା ଭଳି କମେଣ୍ଟମାନ ଦେଉଛନ୍ତି ।
କାହିଁକି ବଢ଼ୁଛି ପିଆଜ ଦର?
ଭୁବନେଶ୍ବର: ବଢ଼ି ଚାଲିଛି ପିଆଜ ଦର । ଚିନ୍ତାରେ ରହିଛନ୍ତି ଖାଉଟି। ଶତକ ଅଭିମୁଖେ ଏବେ ପିଆଜ ଦର । ତେବେ ହଠାତ ଏମିତି ପିଆଜର ଦରବୃଦ୍ଧି ହେବାର କାରଣ କଣ? ତାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସୂଚନା ଥାଉକି, ଓଡ଼ିଶା ପରି ଅନେକ ରାଜ୍ୟ ପିଆଜ ପାଇଁ ନାସିକ ଉପରେ ନିର୍ଭର କରନ୍ତି । ନାସିକରୁ ଯେଉଁ ପରିମାଣର ପିଆଜ ଆସିବା କଥା, ଆସୁନାହିଁ । ସେମାନେ କହୁଛନ୍ତି ଯେ ଭଲ ଅମଳ ହୋଇନି । କ’ଣ ସମସ୍ୟା ହୋଇଛି, କେନ୍ଦ୍ର ବିଚାରବିମର୍ଶ କରିବା ଦରକାର । ଦର ସାରା ଦେଶରେ ବଢୁଛି । ପିଆଜ ଆବଶ୍ୟକତା ଓ ଯୋଗାଣ ମେଳ ଖାଉନି । ତାକୁ ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଏହା ଭିତରେ କେନ୍ଦ୍ରରେ ବୈଠକ ହେବା ଖବର ପାଇଛୁ. ହେଲେ ସେପରି କିଛି ପ୍ରତିଫଳନ ହେଉନି । କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଦର ବଢୁଛି । ଆମେ ହୋର୍ଡିଂ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ଆଜି ରାତିରୁ ବିକ୍ରି ହେବ ବିଶ୍ୱକପର ସେମିଫାଇନାଲ ଓ ଫାଇନାଲ ଟିକେଟ୍
ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଗୁରୁବାର ରାତିରୁ ସେମିଫାଇନାଲ ଏବଂ ଫାଇନାଲ ସମେତ ବିଶ୍ୱକପ ନକ୍ ଆଉଟ୍ ଖେଳ ପାଇଁ ଏକ ଅନ୍ତିମ ସେଟ୍ ଟିକେଟ୍ ବିକ୍ରି ହେବ। ପ୍ରଥମ ସେମିଫାଇନାଲ ନଭେମ୍ବର ୧୫ ରେ ମୁମ୍ବାଇରେ ଏବଂ ଦ୍ୱିତୀୟ ନଭେମ୍ବର ୧୬ ରେ କୋଲକାତାରେ ଖେଳାଯିବ। ଫାଇନାଲ ନଭେମ୍ବର ୧୯ ରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେମି ଓ ଫାଇନାଲ ମ୍ୟାଚ ପାଇଁ ଟିକେଟ୍ ଆଜି ଅଫିସିଆଲ୍ ୱେବସାଇଟରେ ରାତି ୮ଟାରୁ ବିକ୍ରି ହେବ । ‘ticket.cricketworldcup.com’ ୱେବସାଇଟକୁ ଯାଇ କ୍ରିକେଟ ପ୍ରେମୀ ଟିକେଟ କିଣିପରିବେ।
ଭାରତ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଚତୁର୍ଥ ସ୍ଥାନ ପାଇଁ ଯୁଦ୍ଧ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଟକ୍କର ହେବ। ଯେଉଁମାନେ ଆଠଟି ଖେଳରୁ ଚାରିଟି ବିଜୟ ହାସଲ କରିଛନ୍ତି। ଆଜି ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ରହିଛି। ନ୍ୟୁଜିଲ୍ୟାଣ୍ଡ ଜଦି ଆଜିର ମ୍ୟାଚ ଜିତି ନିଏ ତେବେ ଚତୁର୍ଥ ସ୍ଥାନ ପାଇଁ ସେମିରେ ପ୍ରେବଶ କରିବାର ପ୍ରମୁଖ ଦାବିଦର ରହିବ।
ବିଶ୍ବକପ ୨୦୨୩: ସେମି ପାଇଁ ଆଜି ଶ୍ରୀଲଙ୍କା ସହ ଲଢ଼ୁଛି ନ୍ୟୁଜିଲାଣ୍ଡ
ସେମି ଆଶା ପକ୍କା କରିବାକୁ ଆଜି ଶ୍ରୀଲଙ୍କା ସହ ଲଢୁଛି ନ୍ୟୁଜିଲାଣ୍ଡ । ସେମିର ୪ର୍ଥ ଦଳ ଦୌଡ଼ରେ ଏବେ ରହିଛନ୍ତି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଯଦି ନିଜ ନିଜର ଶେଷ ମ୍ୟାଚ ଜିତନ୍ତି ତେବେ ନେଟ୍ ରନରେଟ ଅନୁସାରେ ୪ର୍ଥ ଦଳ ନିର୍ଦ୍ଧାରଣ ହେବ । ବର୍ତ୍ତମାନର ରନରେଟ ଅନୁସାରେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ଆଗୁଆ ରହିଛି । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ନ୍ୟୁଜିଲାଣ୍ଡ ନିଜର ଶେଷ ଲିଗ୍ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ।
ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାଜିତ କରିବା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ଖୁସି ଖବର ଆଣିଛି । ଉଭୟ ଟିମର ସେମିଫାଇନାଲ ଟିକେଟ ହାତେଇବା ଆଶା ଆହୁରି ଉଜ୍ଜିବୀତ ହୋଇଛି । ଆଜି ନ୍ୟୁଜିଲାଣ୍ଡ ବିଜୟୀ ହେଲେ ସେମିଫାଇନାଲ ରେସରେ ସବୁଠୁ ଆଗରେ ରହିବ ।
ମାତ୍ର ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ନିକଟରୁ ପରାଜିତ ହେଲେ ପାକିସ୍ତାନ ଶେଷ ମ୍ୟାଚରେ ଇଂଲଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିପାରିବ । କିନ୍ତୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମ୍ୟାଚରେ ବର୍ଷା ସମ୍ଭାବନା ରହିଛି, ଯଦି ବର୍ଷା ହୁଏ ତେବେ ନ୍ୟୁଜିଲାଣ୍ଡକୁ ଏକ ପଏଣ୍ଟ ମିଳିବ । ଯାହା ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ସମ୍ଭାବନାକୁ ଆହୁରି ବଳ ଯୋଗାଇବ ।
୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ । ତେବେ ଆଜି ଶ୍ରୀଲଙ୍କା ବିପକ୍ଷରେ ବୃହତ ବିଜୟ ହାସଲ କରି ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ କରିବାକୁ ଆଶା ରଖିଛି ନ୍ୟୁଜିଲାଣ୍ଡ ।
ତାମିଲନାଡୁରେ ବର୍ଷା ବିତ୍ପାତ , ଭୂସ୍ଖଳନ ପରେ ୫ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା
ଚେନ୍ନାଇ : ତାମିଲନାଡୁରେ ପ୍ରବଳ ବର୍ଷା । ଭୂସ୍ଖଳନ ପରେ କୋଏମ୍ବାଟୁର ରାସ୍ତା ଅବରୋଧ , ୫ଜିଲ୍ଲାରେ ସ୍କୁଲ ବନ୍ଦ । ତାମିଲନାଡୁରେ ଭୀଷଣ ବର୍ଷାରେ ଜନଜୀବନ ହୋଇଛି ଅସ୍ତବ୍ୟସ୍ତ । ଗୁରୁବାର କୁନଜପା ପଣାଇରେ ଭୂସ୍ଖଳନ ପରେ ରାସ୍ତା ଅବରୋଧ ହୋଇଛି । ତିରୁପୁର,ମଦୁରାଇ,ଥେନି,ଡିନିଡୁଗୁଲ ଏବଂ କିଛି ତାଲୁକରେ ସ୍କୁଲ ଦିନକ ପାଇଁ ବନ୍ଦ ରଖିଛନ୍ତି ସରକାର ।
ଭାରତୀୟ ପାଣିପାଗ ବିଭାଗ-ଆଇଏମଡିଙ୍କ ଆକଳନ ଅନୁସାରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାମିଲନାଡୁ ଓ କେରଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ହାଇଆଲର୍ଟ ଜାରି କରାଯାଇଛି ।ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପ୍ରର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଭୀଷଣ ବର୍ଷା ନେଇ ହାଇଆଲର୍ଟ ଜାରି କରାଯାଇଛି ।
କ୍ଷେତ୍ରୀୟ ମୌସୁମୀ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆସନ୍ତା ୨ଦିନ ପର୍ଯ୍ୟନ୍ତ ତାମିଲନାଡୁରେ ପୂର୍ବତଟ ମୌସୁମୀ ବାୟୁ ପବାହ ତୀବ୍ର ହେବା କାରଣରୁ ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ।

