କେନ୍ଦ୍ରାପଡାକୁ କେନ୍ଦ୍ର ରେଳ ବିଭାଗର ଚରମ ଅବହେଳା, ଗଡି ପାରିଲାନି ପାସେଞ୍ଜର ଟ୍ରେନ

1 min read

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଗଡି ପାରିଲାନି ପାସେଞ୍ଜର ଟ୍ରେନ । କେନ୍ଦ୍ରାପଡ଼ା ଜିଲ୍ଲାରେ ରେଳଗାଡି ପାଇଁ ସ୍ୱପ୍ନ ଥିବାବେଳେ କେତେକାଂଶରେ ଏହା ଗତ ୨୦୨୦ ମସିହା ଠାରୁ ପୁରଣ ହୋଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଆଜିଯାଏ କେନ୍ଦ୍ରାପଡ଼ାବାସୀ ରେଳ ଦେଖିଲେ ସିନା ହେଲେ ରେଳଗାଡିରେ ବସିବା ସମ୍ଭବ ହୋଇପାରିଲାନି।

କେନ୍ଦ୍ରାପଡାକୁ କେନ୍ଦ୍ର ରେଳ ବିଭାଗର ଚରମ ଅବହେଳା । ବର୍ଷବର୍ଷର ଆନ୍ଦୋଳନ ଓ ରାଜ୍ୟ ସରକାରଙ୍କ ଦାବି ପରେ ମଧ୍ୟ ଗଡିପାରିଲାନି ଯାତ୍ରୀବାହୀ ରେଳ । କେନ୍ଦ୍ରାପଡା ଦେଇ ୨୦୨୦ ମସିହାରେ ହରିଦାସପୁର-ପାରାଦ୍ୱୀପ ଗଡିଥିଲା ପ୍ରଥମ ମାଲବାହୀ ରେଳଗାଡି। ମାର୍ଶାଘାଇ ନୂଆଗାଁ ଷ୍ଟେସନରେ ସାଧାରଣ ଲୋକ ଏହି ଟ୍ରେନକୁ ଅଟକାଇ କରିଥିଲେ ଆନ୍ଦୋଳନ । ଜିଲ୍ଲାରେ ପ୍ରଥମେ ମାଲବାହୀ ରେଳ ଗଡ଼ିବା ପରେ ଯାତ୍ରୀବାହୀ ଟ୍ରେନ ଚଳାଯାଉ ବୋଲି ଦାବି କରିଥିଲେ। ତେବେ ବହୁ ବାଦବିବାଦ ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ମିଳିତ ଆଲୋଚନା ପରେ ଖୁବଶୀଘ୍ର ଜିଲ୍ଲାରେ ଯାତ୍ରୀବାହୀ ରେଳ ଚଳାଚଳ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଏହାରି ଭିତରେ ମାଲବାହୀ ରେଳ ଚଳାଚଳକୁ ଦୀର୍ଘ ସାଢେ ୩ ବର୍ଷ ପୁରିଯାଇଥିଲା ବେଳେ ଯାତ୍ରୀବାହୀ ରେଳ ଦେଖିବା ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଇଛି ।

ହରିଦାସପୁର-ପାରାଦ୍ୱୀପ ରେଳପଥଟି ଦୀର୍ଘ ୮୨ କିଲୋମିଟରର ହୋଇଥିବା ବେଳେ ଏହି ରେଳପଥ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ୪୫ କିଲୋମିଟର ଯାଇଛି। ଅନ୍ୟପଟେ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଅର୍ଥନୀତି ଏହି ରେଳପଥ ଯୋଗୁଁ ସୁଦୃଢ଼ ହେଉଥିବା ବେଳେ କେନ୍ଦ୍ରାପଡ଼ାବାସୀ କିନ୍ତୁ କୌଣସି ଲାଭ ପାଉ ନାହାନ୍ତି। ଯାତ୍ରୀବାହି ରେଳ ଚାଲିବା ପାଇଁ ଯାହା ଯାହା ଆବଶ୍ୟକ ରହିଛି ସବୁ ପୁରୁଣ ହୋଇଛି। ରେଳ ବିଭାଗର କ୍ରମାଗତ ଅବହେଳାକୁ ନେଇ  କେନ୍ଦ୍ର ସରକାରଙ୍କ ବିରୋଧରେ କେନ୍ଦ୍ରାପଡାବାସୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଥିଲେ ମଧ୍ୟ ଫଳ ଶୂନ।