spot_img
Home Blog Page 2564

ରାଜ୍ୟରେ ଖସୁଛି ତାପମାତ୍ରା, ଧୀରେଧୀରେ ବଢୁଛି ଶୀତ

ଭୁବନେଶ୍ୱର : ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ । ରାଜ୍ୟରେ ତାପମାତ୍ରା ଖସିବା ଆରମ୍ଭ ହୋଇଛି । ଦେଶର ମଧ୍ୟଭାଗରେ ଏକ ଗୁରୁଚାପବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି ।

ଅନେକ ସ୍ଥାନରେ ୧-୨ ଡିଗ୍ରୀ ତାପମାତ୍ରା ହ୍ରାସ ହୋଇଥିବା ବେଳେ ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖାଦେଉଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।

୧୪ ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ଡିଗ୍ରୀ ତାପମାତ୍ରା କମିବା ସମ୍ଭାବନା ରହିଛି । ସେପଟେ ଦୀପାବଳିରେ ପାଗ ଅନୁକୂଳ ରହିବ। ବର୍ଷା ହେବାର ଆଶଙ୍କା ନାହିଁ ।

ମିଲେଟ୍ ସହ ଯୋଡ଼ିହେବ ବିଶ୍ବ : ଆଜିଠୁ ଭୁବନେଶ୍ବରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

ଭୁବନେଶ୍ୱର :  ମହକିବ ମାଣ୍ଡିଆ, ମିଲେଟ୍ ସହ ଯୋଡ଼ିହେବ ବିଶ୍ବ । ଆଜିଠୁ ଭୁବନେଶ୍ବରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ । ସମ୍ମିଳନୀର ବିଷୟବସ୍ତୁ ରହିଛି ଆଧୁନିକ ଯୁଗର ଆହ୍ବାନ ନିମନ୍ତେ ପ୍ରାଚୀନ ଶସ୍ୟ ମିଲେଟସ୍ । ଓଡ଼ିଶା ମିଲେଟ୍ ମିଶନକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରୁଛି ।

ଭୁବନେଶ୍ବରର ଜନତା ମଇଦାନରେ ଆୟୋଜନ ହେଉଛି ବିରାଟ କାର୍ଯ୍ୟକ୍ରମ । ପୂରାଦେଶ ପାଇଁ ସମ୍ମିଳନୀରେ ମିଲେଟ୍ ପଲିସି ରୋଡମ୍ୟାପ୍ ପ୍ରସ୍ତୁତ ହେବ । ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ସହ ଘରେଘରେ ମିଲେଟ୍ ବ୍ୟବହାର ବୃଦ୍ଧି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଲକ୍ଷ୍ୟ ରଖିଛି । ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ରାଉଣ୍ଡ ଟେବୁଲ ବୈଠକ, ବିଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ୍ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ ।

ଜାତିସଂଘର ବିଭିନ୍ନ ସଂସ୍ଥା, କୃଷି ସଂଗଠନ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ, ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ । ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍, ଖାତନାମା ସେଫ୍ ବିକାଶ ଖାନ୍ନା ପ୍ରମୁଖ ସାମିଲ ହେବେ । ୨୦୧୭ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଲେଟ ମିଶନ ଆରମ୍ଭ କରିଛି । ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ ସଂପ୍ରସାରଣ କରାଯାଇଛି ମିଲେଟ୍ ଚାଷ । ଦିନକୁ ଦିନ ମିଲେଟ ମିଶନ ସଫଳତାର ସିଡ଼ି ଚଢୁଛି । ଆଗମୀ ଦିନରେ ଏହି ପଲିସି ରୋଡମ୍ୟାପ୍ ବେଶ୍ ସହାୟକ ହେବ ।

ସମେଲେଇ ପୀଠର ନବକଳେବର : ସକାଳୁ ସକାଳୁ 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ସମଲେଶ୍ବରୀଙ୍କ ମନ୍ଦିର ସମୀକ୍ଷା

ସମ୍ୱଲପୁର :  ଶେଷ ପର୍ଯ୍ୟାୟରେ ମାଆ ସମଲେଶ୍ବରୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ । ଝଟକିଲାଣି ବେଢା, ପ୍ରସ୍ତୁତ ହେଲାଣି ହେରିଟେଜ୍ କରିଡର । ଆସନ୍ତାମାସ ସୁଦ୍ଧା ମନ୍ଦିରର ରୂପାନ୍ତରଣ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ସକାଳୁସକାଳୁ ପୀଠ ପରିସରରେ ପହଞ୍ଚି ରୂପାନ୍ତରଣର ଅନୁଧ୍ୟାନ କରିଛନ୍ତି 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

ସକାଳ ୬ଟାରୁ ମାଆ ସମଲେଶ୍ବରୀଙ୍କ ପୀଠରେ ପହଞ୍ଚି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ପାଣ୍ଡିଆନ । ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି । ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂ ସ୍ଥଳୀ, ପୋଡିୟମ, ଧାଡି ପରିଚାଳନା ବ୍ୟବସ୍ଥା, କ୍ଲକ ରୁମ ସହ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି ।

ଭେଣ୍ଡିଂ ଜୋନ, ସୂଚନା କେନ୍ଦ୍ର, ତୀର୍ଥଯାତ୍ରୀ ସୁବିଧା, ମନ୍ଦିର ସୁବିଧା କେନ୍ଦ୍ର କାମ ଜାରି ରହିଛି । ମନ୍ଦିର ରୂପାନ୍ତରଣର ୭୦ ପ୍ରତିଶତରୁ ଅଧିକ ଶେଷ ହେଲାଣି । ପ୍ରତି କାମକୁ ଦେଖିବା ସହ ଏହାର ଗୁଣାବତ୍ତା ସମ୍ପର୍କରେ ଆଲୋଚନା କରିବା ସହ ନୂଆବର୍ଷ ପୂର୍ବରୁ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭିକେ ପାଣ୍ଡିଆନ ।

ପୁଣି କ୍ୟାମ୍ପସରେ ରାଗିଂ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ପୁଣି କ୍ୟାମ୍ପସରେ ରାଗିଂ । ଛାତ୍ର ମାନୁନାହାଁନ୍ତି ନିୟମକାନୁନ । କୋଏମ୍ବାଟୁର ପିଏସଜି କଲେଜରେ ରାଗିଂ ଅଭିଯୋଗ  । ଘଟଣାରେ ୭ଜଣଙ୍କୁ ଗିରଫ କରିଛି ପୋଲିସ । ପିଏସଜି କଲେଜ  ଅଫ ଟେକନୋଲୋଜିର ୭ଜଣ ସିନିୟର ଛାତ୍ର ସେହି କଲେଜର ଜୁନିୟର ଛାତ୍ରଙ୍କୁ ବ୍ଲାକମେଲିଂ କରିବା ସହ ମାରପିଟ କରିଥିବା ଅଭିଯୋଗ ହୋଇଛି । ପୀଡିତ ଜଣକ ହେଉଛନ୍ତି  ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର । କିଛି ଦିନ ଧରି କିଛି ସିନିୟର ଛାତ୍ର ତାଙ୍କୁ ଲଗାତାର ରାଗିଂ କରିବା ସହିତ ବେଲ୍ଟରେ ପିଟୁଥିଲେ । ନିର୍ଯାତନାରେ ଅତିଷ୍ଠ ହୋଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଛାତ୍ର । ଖବର ପାଇ ଘଟଣାର ତଦନ୍ତ କରୁଛି ପୋଲିସ । ସେପଟେ କଲେଜ ପ୍ରଶାସନ ପକ୍ଷରୁ ଦୋଷୀକୁ ଉଚିତ୍ ଶାସ୍ତି ଦିଆଯିବା ପାଇଁ ସମସ୍ତ ପ୍ରକାର ସହାୟତା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ।

 

ପୁଣି ଟ୍ରେନ୍ ଲାଇନଚ୍ୟୁତ

ସମ୍ବଲପୁର: ସମ୍ବଲପୁର ସରଲାରେ ମେମୁ ପାସେଞ୍ଜର ଲାଇନଚ୍ୟୁତ । ଗୋରୁ ସାମ୍ନାକୁ ଚାଲି ଆସିବାରୁ ଲାଇନଚ୍ୟୁତ ହୋଇଛି ଝାରସୁଗୁଡା-ସମ୍ବଲପୁର ମେମୁ ଟ୍ରେନ । ଦୁର୍ଘଟଣାରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । କେହି ମୃତାହତ ହୋଇନଥିବା ସୂଚନା ରହିଛି । ଏବେ ରେଳ ଧାରଣାରେ ମରାମତି କାମ ଚାଲିଛି । ଦୁଇ ଘଣ୍ଟା ମଧ୍ୟରେ ମରାମତି କାମ ଶେଷ ହୋଇଯିବ ବୋଲି ବରିଷ୍ଠ ଅଧିକାରୀଙ୍କ ଦ୍ବାରା କୁହାଯାଇଛି ।

ଘର ଛାଡି ଯାଉଥିଲେ ସାବଧାନ! ବାହାରକୁ ଯିବା କଥା ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ

ଭୁବନେଶ୍ବର: ଘର ଛାଡି ଯାଉଥିଲେ ସାବଧାନ। ବାହାରକୁ ଯିବା କଥା ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ ।  ସୋସିଆଲ ମିଡିଆରେ ବି ଫଟୋ ପୋଷ୍ଟ କରନ୍ତୁନି। ଗତ ମାସକରେ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରୁ ଲୁଟ ପରେ ଲୋକଙ୍କୁ ସତର୍କ କରାଇଛି କମିଶନରେଟ ପୋଲିସ । ପୋଲିସକୁ ଦୋଷ ନଦେଇ ନିଜେ  ସଚେତନ ହେବାକୁ ପରାମର୍ଶ ଦେଇଛି ପୋଲିସ ।

ଆପାର୍ଟମେଣ୍ଟରେ ରହୁଥିଲେ ହୋଇଯାଆନ୍ତୁ ସାବଧାନ। ଘର ଛାଡ଼ି ଯାଉଥିଲେ ରୁହନ୍ତୁ ସଜାଗ। ଆପଣଙ୍କ ଧନ ସମ୍ପତ୍ତି ଉପରେ ପଡିପାରେ ଲୁଟେରାଙ୍କ ନଜର । ପୋଲିସ ଦୋଷ ନଦେଇ ନିଜେ ସୁରକ୍ଷିତ ରହିବା ଦିଗରେ ସଚେତନ କଲେ କମିଶନର । ଇନ୍ଫୋସିଟି ଥାନା ଠାରୁ ମାତ୍ର ଶହେ ମିଟର ଦୂର ପଥରଗାଡ଼ିଆ ରୋଡରେ ଥିବା ଏ ହେଉଛି ରାଜବାଟିକା କମ୍ପ୍ଲେକ୍ସ ଆପାର୍ଟମେଣ୍ଟ । ଆଉ ଏ ହେଉଛି ଅକ୍ଟୋବର ୧୫ ତାରିଖ ରାତିର ସିସିଟିଭି ଭିଜୁଆଲ । ଖାକିକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆପାର୍ଟମେଣ୍ଟର ୩ ଟି ଫ୍ଲାଟ ନମ୍ବର H2 , I4, G4ରୁ ପାଖାପାଖି ୫ କୋଟି ଟଙ୍କାର ଆସବାବପତ୍ର ଲୁଟ କରିଥିଲେ ଲୁଟେରା । କାହାର ଝିଅ ବାହାଘର ପାଇଁ ସୁନା ଥିଲା ତ ଆଉ କାହାର ଜମି କିଣିବା ପାଇଁ ଥିବା ଟଙ୍କାକୁ ବ୍ୟାଗରେ ଭର୍ତ୍ତି କରି ଲୁଟି ନେଇଥିଲେ ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ପୋଲିସ, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ଛାନଭିନ ଚଳାଇଥିଲେ ସୁଧା ଫଳ ଶୂନ ।

ଗତ ମାସକରେ କେବଳ ରାଜବାଟୀକା ଆପାର୍ଟମେଣ୍ଟ ନୁହଁ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରେ କଳାକନା ବୁଲାଇଛନ୍ତି ଲୁଟେରା । ସିକ୍ୟୁରିଟି ଗାର୍ଡ ଓ ସିସିଟିଭିକୁ ସେମାନଙ୍କ ଖାତିର ନାହିଁ  । କେବଳ ପୋଲିସକୁ ଦୋଷ ନଦେଇ ଲୋକେ ନିଜେ ସଚେତନ ହୁଅନ୍ତୁ । ଘର ଛାଡ଼ି ବାହାରକୁ ଯିବା ବେଳେ ଅଜଣା ଲୋକଙ୍କୁ ନଜଣାଇବା ସହ ସୋସିଆଲ ମିଡିଆରେ ଫଟୋ ଆସିବା ପର୍ଯ୍ୟନ୍ତ ପୋଷ୍ଟ ନକରିବା ପାଇଁ ଟୁଇନ ସିଟି ବାସୀଙ୍କୁ ସଚେତନ କରିଛନ୍ତି ପୋଲିସ କମିଶନର।

 

ସ୍ବପ୍ନ ସାକାର କରୁଛି ଷ୍ଟାର୍ଟଅପ୍ ଓଡ଼ିଶା

ଭୁବନେଶ୍ବର: ପାଠପଢା ସମୟରୁ ଉଦ୍ୟୋଗୀ ହେବାର ସୁଯୋଗ । ଉଦ୍ୟୋଗୀ ହେବା ନେଇ କଲେଜ ଛାତ୍ରଛାତ୍ରୀଙ୍କ ନୂଆ ଆଇଡିଆ ଓ ନୂଆ ଭାବନାକୁ ସାଉଁଟିବା ପାଇଁ ଚାଲିଛି ଷ୍ଟାର୍ଟ ଅପ୍ ଯାତ୍ରା । ସେପ୍ଟେମ୍ବର ୧୧ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଏହି ଯାତ୍ରା ବିଭିନ୍ନ ଜିଲ୍ଲାର କଲେଜରେ ପହଞ୍ଚିଛି । ରାଜ୍ୟରେ ୫ହଜାର ନୂଆ ଆଇଡିଆ ସଂଗ୍ରହ କରି ଊଦୀୟମାନ ଉଦ୍ୟୋଗୀ ସୃଷ୍ଟି କରିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର  । ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦିଆଯାଉଥିବାରୁ ଛାତ୍ରୀଙ୍କ ଉପରେ ଅଧିକ ଫୋକସ କରାଯାଇଛି ।

ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ । ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ଓଡ଼ିଶା ଜାତୀୟ ହାରଠାରୁ ଅନେକ ଆଗରେ । ପାଠପଢା ବେଳୁ ଉଦ୍ୟୋଗୀ ହେବାର ସ୍ବପ୍ନକୁ ସାକାର କରୁଛି ଷ୍ଟାର୍ଟଅପ୍ ଓଡ଼ିଶା । ସେପ୍ଟେମ୍ବର ୧୧ରୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଷ୍ଟାର୍ଟ-ଅପ୍ ଯାତ୍ରା ଏବେ ସବୁ ଜିଲ୍ଲାର ଅନେକ କଲେଜରେ ପହଞ୍ଚିଛି । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଷ୍ଟାର୍ଟ-ଅପ୍ ପାଇଁ ଆଇଡ଼ିଆ ଖୋଜା କ୍ୟାମ୍ପରେ ଅନେକ ଉତ୍ସାହ । ଏକାଡ଼େମିକ ପାଠ ସହ ନିଜ ଭିତରେ ଥିବା ନୂଆ ଚିନ୍ତାଧାରା, ଭାବନାକୁ ଉଦ୍ୟୋଗ ରୂପ ଦେବା ପାଇଁ ସହାୟତାର ହାତ ବଢାଇଛି ଷ୍ଟାର୍ଟ-ଅପ୍ ଓଡ଼ିଶା । ରାଜ୍ୟ ସରକାରଙ୍କ ବଳିଷ୍ଠ ନୀତି, ନୂଆ ଉଦ୍ୟୋଗ ପାଇଁ ମାସିକିଆ ପ୍ରୋତ୍ସାହନ, ପୁଞ୍ଜି ବିନିଯୋଗର ରାସ୍ତା ସାଙ୍ଗକୁ ମାର୍କେଟିଙ୍ଗ ପାଇଁ ସ୍ବତନ୍ତ୍ର ଖସଡ଼ା ଷ୍ଟାର୍ଟଅପ୍ ଓଡ଼ିଶାକୁ ସାରା ଦେଶରେ ଅଗ୍ରଣୀ କରିପାରିଛି ।

୨୦୨୫ ସୁଦ୍ଧା ରାଜ୍ୟରେ ୫ ହଜାର ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ଷମ ହେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ମୋବାଇଲ୍ ଭ୍ୟାନ୍ କ୍ୟାମ୍ପ ଦ୍ବାରା ସଂଗୃହୀତ ନୂଆ ଆଇଡିଆକୁ ସିଲେକସନ୍ କମିଟି ଅନୁଶୀଳନ କରି ସର୍ଟ୍ଲିଷ୍ଟ କରୁଛି । ୬୦ଟି ବୁଟ୍କ୍ୟାମ୍ପ୍ ଜରିଆରେ ଉଦ୍ୟୋଗୀ ଚୟନ ହେବାକୁ ଥିବା ବେଳେ କ୍ୟାମ୍ପ ଲାଗିଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ । ୨୦ଟି ସର୍ବଶ୍ରେଷ୍ଠ ନୂଆ ଚିନ୍ତନକୁ ଭୁବନେଶ୍ବର ଓ-ହବ୍ରେ ଇନ୍କ୍ୟୁବେସନ୍ ପାଇଁ ଅଣାଯିବ । କଲେଜ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୧୦ଟି ଅଭିନବ ସ୍ବତନ୍ତ୍ର ଷ୍ଟାର୍ଟ୍ ଅପ୍ ଆଇଡିଆକୁ ୩ ଲକ୍ଷ ଲେଖାଏଁ ନଗଦ ପୁରସ୍କାର ଦିଆଯିବ ।

୩୩ ପ୍ରତିଶତ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହା ଏବେ ୪୧ ପ୍ରତିଶତରେ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ଅଧିକ । ୪ଲକ୍ଷ ବର୍ଗଫୁଟର ୨୭ଟି ଇନକ୍ୟୁବେଟରରେ ଏକାବେଳେ ୫ଶହ ଉଦ୍ୟୋଗୀ କାମ କରିବାର ସୁଯୋଗ ଦେଇଛନ୍ତି ସରକାର । ବିଶ୍ବବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ଆଇଡ଼ିଆକୁ ବାସ୍ତବ ରୂପ ଦେବା ପାଇଁ ଇକୋ-ସିଷ୍ଟମ କରାଯାଇଛି । ନୂଆ ଷ୍ଟାର୍ଟ୍ ଅପ୍ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଜମି ଓ ବ୍ୟାଙ୍କ ଋଣ ସହାୟତା ପ୍ରଦାନ ନେଇ ଓ-ହବ୍ ସବୁ ପ୍ରକାର ସହଯୋଗ ଯୋଗାଇ ଆସୁଛି । ଏବେ ସୁଦ୍ଧା ୧୭୭୩ ଜଣ ଷ୍ଟାର୍ଟଅପ୍ ଉଦ୍ୟୋଗୀ ସୃଷ୍ଟି ହୋଇସାରିଛନ୍ତି ।

କାହିଁକି ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଲେ ନୀତିଶ କୁମାର

ପାଟନା: ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ବିହାର ସିଏମ ନୀତୀଶ କୁମାର । ଖୋଦ ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣରେ ମହିଳାଙ୍କ ଭୂମିକାକୁ ନେଇ ଦେଇଥିବା ଟିପପଣୀ ଏବେ ଦେଶରେ ଜାଳିଛି ନିଆଁ । ସ୍ଥିତି ଏପରି ହେଲା ଯେ ଖୋଦ ବିଧାନସଭାରେ କ୍ଷମା ମାଗିଛନ୍ତି ଜାତୀୟ ରାଜନୀତିର ହେଭିଓ୍ବେଟ ନେତା ।

ଜାଣିଶୁଣି କହିଲେ ନା କହୁକହୁ କହିଦେଲେ? ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିବାଦୀୟ ବୟାନ ନେଇ ସାରା ଦେଶରେ ଝଡ଼ । ପଡୁଛି ଉଠୁଛି ଜାତୀୟ ରାଜନୀତି । ସ୍ଥିତି ଏପରି ହେଲା ଯେ କ୍ଷମା ମାଗିଲେ ସିନିଅର ପଲିଟିସିଆନ । ଗତକାଲି ବିହାର ବିଧାନସଭାରେ ନୀତୀଶ ଜନସଂଖ୍ୟା ହ୍ରାସ ସମ୍ପର୍କରେ ମହିଳାଙ୍କ ଉପରେ ଏପରି କିଛି ଟିପ୍ପଣୀ ଦେଇଥିଲେ ଯାହାକୁ ନେଇ ତେଜିଥିଲା କଥା କଟାକଟି । ବିବୃତିକୁ ନେଇ ଝଡ ସୃଷ୍ଟି ହୋଇଥିବାବେଳେ ନୀତୀଶଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ସେ କହିଛନ୍ତି- ବିଦ୍ୟାଳୟରେ ସେକ୍ସ ଏଜୁକେସନ ପ୍ରସଙ୍ଗରେ ନୀତୀଶ କହିଥିଲେ । ଏହି ବିଷୟକୁ ଅନ୍ୟମାନେ ଭିନ୍ନାର୍ଥରେ ଗ୍ରହଣ କରିଛନ୍ତି । ବାସ୍ତବରେ ସ୍କୁଲରେ ସେକ୍ସ ଏଜୁକେସନ ଦିଆଯିବାର ଆବଶ୍ୟକତା ରହିଛି । ସେପଟେ ଏହି ପ୍ରସଙ୍ଗରେ ନୀତୀଶଙ୍କ ଉପରେ ବର୍ଷିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ।

ଏବେ ଆସନ୍ତୁ ନଜର ପକାଇବା ମହିଳାଙ୍କ ସମ୍ପର୍କରେ କଣ କହିଥିଲେ ନୀତୀଶ । ସେ କହିଥିଲେ- ଜଣେ ଶିକ୍ଷିତ ମହିଳା ହିଁ ଅନ୍ତରଙ୍ଗ ପ୍ରକ୍ରିୟାରୁ କିଭଳି ଗର୍ଭଧାରଣରୁ ନିବୃତ୍ତ ରହିହେବ ତାହା ସେ ଜାଣିଛନ୍ତି । ଜନ୍ମହାର ବୃଦ୍ଧି କ୍ଷେତ୍ରରେ ସ୍ବାମୀଙ୍କ ଭୂମିକା ଅଧିକ ହୋଇଥାଏ । ଜଣେ ମହିଳା ଜାଣିଥାନ୍ତି ସେ କିଭଳି ଗର୍ଭଧାରଣ କରିବେ ନାହିଁ । ପୂର୍ବରୁ ବିହାରରେ ପ୍ରଜନନ ହାର ଥିଲା ୪.୩ । ଏବେ ତାହା ୨.୯କୁ ଖସିଛି । ଖୁବ୍ ଶୀଘ୍ର ଏହା ୨ରେ ପହଞ୍ଚିବ ବୋଲି କହିଥିଲେ ନୀତୀଶ ।

ବିହାର ବିଧାନସଭାରେ ଆଗତ ହୋଇଛି ଜାତିଗତ ସର୍ଭେ ରିପୋର୍ଟ । ଏସସି, ଏସଟି, ଓବିସି ଓ ଅଧିକ ପଛୁଆ ବର୍ଗଙ୍କ ସଂରକ୍ଷଣ ସୀମା ୫୦ ରୁ ୬୫ ପ୍ରତିଶତକୁ ବଢାଇବା ଲାଗି ସରକାର ଆଣିଛନ୍ତି ପ୍ରସ୍ତାବ । ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର କ୍ରେଡିଟ ନେବାକୁ ନେଇ ନୀତୀଶଙ୍କୁ ବିରୋଧୀ କରିଛନ୍ତି ଅଧିକ ଟାର୍ଗେଟ ।

୨୦୨୪ ନିର୍ବାଚନରେ ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବିଜେଡି

ଭୁବନେଶ୍ବର: ୨୦୨୪ ନିର୍ବାଚନରେ ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବିଜେଡି। ସିଟ୍ ସଂଖ୍ୟା ବୃଦ୍ଧି ପାଇବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ। ବିକାଶ କାମରେ ଲୋକେ ଖୁସି  ଓ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଅତୁଟ ରହିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ। ପଶ୍ଚିମ ଓଡ଼ିଶାରେ ଉଭୟ ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ୨୦୧୯ ଅପେକ୍ଷା ଦଳ ଭଲ ପ୍ରଦର୍ଶନ କରିବ। ଅନ୍ୟପଟେ ବିଜେଡି ସଂଗଠନକୁ ତୃଣମୂଳସ୍ତରରୁ ମଜବୁତ କରି ଆଗକୁ ବଢିଚାଲିଛି। ଏହା ଦଳକୁ ବଡ଼ ସଫଳତା ଦେବ ବୋଲି ଆକଳନ କରିଛନ୍ତି ବିଜେଡି ନେତା।

୨୦୨୪ ହେବ ରେକର୍ଡର ବର୍ଷ। ନିର୍ବାଚନୀ ରାଜନୀତିର ସବୁ ରେକର୍ଡ ଭାଙ୍ଗିବେ ନବୀନ। ବଡ଼ ବିଜୟ ହାସଲ କରିବ ବିଜେଡି, ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ। ଅନଙ୍ଗ କହିଲେ, ବିକାଶରେ ଲୋକେ ଖୁସି। ବିଜେଡି ପ୍ରତି ରହିଛି ଅତୁଟ ଆସ୍ଥା। ବିକାଶ ଦେବ ବିଜେଡିକୁ ବଡ଼ ବିଜୟ। ବିକାଶମୂଳକ କାମରେ ଖୁସି ଅଛନ୍ତି ଓଡ଼ିଶାବାସୀ। ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ପୁଣି ନବୀନ, ପୁଣି ବିଜେଡି। ୨୦୨୪ରେ ବିଜେଡିର ସିଟ ସଂଖ୍ୟା ବୃଦ୍ଧି ହେବା ସହ ଭୋଟହାର ବି ବଢିବ ବୋଲି ଆକଳନ କରିଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ।

ନବୀନ ପଟ୍ଟନାୟକ ୨୪ରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସହ ନିର୍ବାଚନୀ ରାଜନୀତିର ସବୁ ପୁରୁଣା ରେକର୍ଡ ଭାଙ୍ଗିବେ। ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଅତୁଟ ରହିଥିବାରୁ ୨୦୦୦ମସିହାରୁ ବିଜୟ ଧାରା ଜାରି ରହିଛି ଓ ଆଗକୁ ବି ରହିବ ବୋଲି ଅନଙ୍ଗ କହିଛନ୍ତି। ଏହାସହ ୨୦୧୯ ଅପେକ୍ଷା ୨୦୨୪ରେ ପଶ୍ଚିମ ଓଡ଼ିଶାରେ ବିଜେଡି ଅଧିକ ସିଟ୍ ଜିତିବ ବୋଲି ସେ ଆକଳନ କରିଛନ୍ତି। ୨୦୧୯ରେ ବିଜେଡି ୧୨ଟି ସଂସଦୀୟ କ୍ଷେତ୍ର ସହ ୧୧୩ ବିଧାନସଭା ଆସନ ଦଖଲ କରିଥିଲା। ୨୪ରେ ନିଜର ଏହି ରେକର୍ଡ ଦଳ ଭାଙ୍ଗିବ ବୋଲି ବରିଷ୍ଠ ନେତା ଆକଳନ କରୁଛନ୍ତି।

୧୯୯୦ ମସିହାରେ ଜନତା ଦଳ ୧୨୩ ସିଟରେ ଦଖଲ କରିଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଏହି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବିଜେଡି ତୃଣମୂଳସ୍ତରରୁ କାମ ଆରମ୍ଭ କରିଦେଇଛି। ମିଶନ ୨୧ରୁ ୨୧ ସଂସଦୀୟ ସିଟ ଦଖଲ କରିବାକୁ ଦଳ ଟାର୍ଗେଟ ରଖିଛି। ଦଳର ବରିଷ୍ଠ ଓ ଯୁବନେତା ଦଳକୁ ବଡ଼ ବିଜୟ ଦେବାକୁ ଗ୍ରାଉଣ୍ଡରେ ସଂଗଠନ କାମକୁ ଜୋରଦାର କରିଛନ୍ତି।

ଆଗକୁ ସବୁ କ୍ଷେତ୍ରରେ ଓଡ଼ିଶା ୧ନମ୍ବର ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ରୂପାନ୍ତରିତ ଓଡ଼ିଶା ପୂରା ଦେଶରେ ରାଜ୍ୟକୁ ନୂଆ ପରିଚୟ ଦେଇଛି। ବିଜେଡି ସାଂସଦ, ବିଧାୟକ, ବରିଷ୍ଠ ରାଜନେତାଙ୍କ ସହ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ସର୍ଭେ ରିପୋର୍ଟରେ ୨୪ ନିର୍ବାଚନରେ ବିଜେଡି ବଡ଼ ସଫଳତା ପାଇବା ନେଇ ଆକଳନ କରିଛନ୍ତି ।

ରାଜ୍ୟରେ ବଢୁଛି ରପ୍ତାନୀ ଅଭିବୃଦ୍ଧି ହାର, ରେକର୍ଡ କରିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ବଢୁଛି ରପ୍ତାନୀ ଅଭିବୃଦ୍ଧି ହାର । ଗତ ପାଞ୍ଚ ବର୍ଷରେ ଏହା ୬୪ ପ୍ରତିଶତ ବଢିଛି । ଷ୍ଟେଟ ଏକ୍ସପୋର୍ଟ ଆଓ୍ବାର୍ଡ ବିତରଣ ଅବସରରେ ଏହି ତଥ୍ୟ ରଖିଛି ଏମଏସଏମଇ ବିଭାଗ । ରପ୍ତାନୀରେ ଉଡ଼ାଣ ଭରିବାକୁ ଡିସେମ୍ବରରୁ ଭୁବନେଶ୍ବର ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଏୟାର କାର୍ଗୋ ସେବା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ମେଟାଲ, ମିନେରାଲ, କେମିକାଲ ଇଞ୍ଜିନିୟରିଂ ପରି କ୍ଷେତ୍ରରେ ଭଲ ରପ୍ତାନୀ ଚାଲିଛି ।

ରପ୍ତାନୀରେ ରେକର୍ଡ କରିବ ଓଡ଼ିଶା । ସାରଥି ସାଜିବ ବିଜୁ ପଟ୍ଟନାୟକ ବିମାନ ବନ୍ଦର । ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଏୟାର କାର୍ଗୋ ସେବା । ଡିସେମ୍ବର ପ୍ରଥମ ସପ୍ତାହରୁ ଭୁବନେଶ୍ବର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ରପ୍ତାନି ଓ ଆମଦାନୀ କାର୍ଗୋ ସେବା ଆରମ୍ଭ ହେବ । ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ଡିଜିସିଏ ସେଫଟି ଠାରୁ ନଭେମ୍ବର ଶେଷ ସୁଦ୍ଧା ଲାଇସେନ୍ସ ଆଣିବା ପରେ ସେବା ଆରମ୍ଭ ହେବ । ସେହିପରି ପାରାଦ୍ବୀପ ବନ୍ଦରରେ କଣ୍ଟେନର କାର୍ଗୋ ସେବାକୁ ବ୍ୟାପକ କରାଯିବ ।

ଗତ ପାଞ୍ଚ ବର୍ଷରେ ରପ୍ତାନି କ୍ଷେତ୍ରରେ ଓଡ଼ିଶାରେ ୬୪ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୧୮-୧୯ରେ ୪୮ ହଜାର ୧୧୭.୬୦ କୋଟି ରପ୍ତାନୀ ଥିବାବେଳେ ୨୦୨୨-୨୩ରେ ଏହା ୯୫ ହଜାର ୭୭୩.୯୫ କୋଟିରେ ପହଞ୍ଚିଛି । ୨୦୧୯-୨୦ରେ ୫୧ ହଜାର ୭୪୨.୩୦ କୋଟି, ୨୦୨୦-୨୧ରେ ୮୦ ହଜାର ୪୧୯.୩୩ କୋଟି ଓ ୨୦୨୧-୨୨ରେ ୧ ଲକ୍ଷ ୩୨ ହଜାର ୪୦୫.୧୧ କୋଟିର ରପ୍ତାନୀ ହୋଇଥିବା ଏମଏସଏମଇ ବିଭାଗ କହିଛି । ଆଗାମୀ ପାଞ୍ଚ ବର୍ଷରେ 3.5 ଲକ୍ଷ କୋଟି ରପ୍ତାନି ଲକ୍ଷ୍ୟ ରଖାଯାଇ ଉଦ୍ୟୋଗୀମାନଙ୍କ ପାଇଁ ଏୟାର କାର୍ଗୋ ପରି ନୂତନ ସୁଯୋଗ ସୃଷ୍ଟି କରାଯାଉଛି ।

ରପ୍ତାନୀରେ ନୂଆ ନୂଆ ରେକର୍ଡରେ ରାଜ୍ୟ ସରକାରଙ୍କ ବଡ଼ ଭୂମିକା ରହିଛି । ଭିତ୍ତିଭୂମି ସହ ବାଣିଜ୍ୟ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି କରି ପାରିଛି ଏମଏସଏମଇ ବିଭାଗ । ଯେଉଁଥି ପାଇଁ ଷ୍ଟେଟ ଏକ୍ସପୋର୍ଟ ଆଓ୍ବାର୍ଡ ବିତରଣ ସମାରୋହରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଓସିଏଲ୍, ଭେଦାନ୍ତ ପରି କଂପାନୀଙ୍କୁ ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ବର୍ଷରୁ ରପ୍ତାନୀ କ୍ଷେତ୍ରରେ ବଡ଼ ଶିଳ୍ପ ଓ ଏମଏସଏମଇକୁ ଭିନ୍ନ ଭିନ୍ନ ପୁରସ୍କାର ପ୍ରଦାନ କରାଯିବ ।

ଅଭିବୃଦ୍ଧିକୁ ଆହୁରି ଦୃତ ଗତିରେ ବଢାଇବାକୁ ଓଡ଼ିଶା କେମିକାଲ ହବ୍ ହେବାକୁ ଯାଉଛି । ଆଇଓସିଏଲ୍ ସହ ୬୦ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହାର ଭିତ୍ତିଭୂମି ଓ ଜମି ଅଧିଗ୍ରହଣ ପରି ସମସ୍ତ ସହଯୋଗ ପ୍ରଦାନ କରି ଚାଲିଛନ୍ତି ରାଜ୍ୟ ସରକାର ।