ମିଲେଟ୍ ସହ ଯୋଡ଼ିହେବ ବିଶ୍ବ : ଆଜିଠୁ ଭୁବନେଶ୍ବରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

ଭୁବନେଶ୍ୱର :  ମହକିବ ମାଣ୍ଡିଆ, ମିଲେଟ୍ ସହ ଯୋଡ଼ିହେବ ବିଶ୍ବ । ଆଜିଠୁ ଭୁବନେଶ୍ବରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ । ସମ୍ମିଳନୀର ବିଷୟବସ୍ତୁ ରହିଛି ଆଧୁନିକ ଯୁଗର ଆହ୍ବାନ ନିମନ୍ତେ ପ୍ରାଚୀନ ଶସ୍ୟ ମିଲେଟସ୍ । ଓଡ଼ିଶା ମିଲେଟ୍ ମିଶନକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରୁଛି ।

ଭୁବନେଶ୍ବରର ଜନତା ମଇଦାନରେ ଆୟୋଜନ ହେଉଛି ବିରାଟ କାର୍ଯ୍ୟକ୍ରମ । ପୂରାଦେଶ ପାଇଁ ସମ୍ମିଳନୀରେ ମିଲେଟ୍ ପଲିସି ରୋଡମ୍ୟାପ୍ ପ୍ରସ୍ତୁତ ହେବ । ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ସହ ଘରେଘରେ ମିଲେଟ୍ ବ୍ୟବହାର ବୃଦ୍ଧି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଲକ୍ଷ୍ୟ ରଖିଛି । ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ରାଉଣ୍ଡ ଟେବୁଲ ବୈଠକ, ବିଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ୍ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ ।

ଜାତିସଂଘର ବିଭିନ୍ନ ସଂସ୍ଥା, କୃଷି ସଂଗଠନ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ, ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ । ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍, ଖାତନାମା ସେଫ୍ ବିକାଶ ଖାନ୍ନା ପ୍ରମୁଖ ସାମିଲ ହେବେ । ୨୦୧୭ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଲେଟ ମିଶନ ଆରମ୍ଭ କରିଛି । ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ ସଂପ୍ରସାରଣ କରାଯାଇଛି ମିଲେଟ୍ ଚାଷ । ଦିନକୁ ଦିନ ମିଲେଟ ମିଶନ ସଫଳତାର ସିଡ଼ି ଚଢୁଛି । ଆଗମୀ ଦିନରେ ଏହି ପଲିସି ରୋଡମ୍ୟାପ୍ ବେଶ୍ ସହାୟକ ହେବ ।