ଘର ଛାଡି ଯାଉଥିଲେ ସାବଧାନ! ବାହାରକୁ ଯିବା କଥା ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ

1 min read

ଭୁବନେଶ୍ବର: ଘର ଛାଡି ଯାଉଥିଲେ ସାବଧାନ। ବାହାରକୁ ଯିବା କଥା ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ ।  ସୋସିଆଲ ମିଡିଆରେ ବି ଫଟୋ ପୋଷ୍ଟ କରନ୍ତୁନି। ଗତ ମାସକରେ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରୁ ଲୁଟ ପରେ ଲୋକଙ୍କୁ ସତର୍କ କରାଇଛି କମିଶନରେଟ ପୋଲିସ । ପୋଲିସକୁ ଦୋଷ ନଦେଇ ନିଜେ  ସଚେତନ ହେବାକୁ ପରାମର୍ଶ ଦେଇଛି ପୋଲିସ ।

ଆପାର୍ଟମେଣ୍ଟରେ ରହୁଥିଲେ ହୋଇଯାଆନ୍ତୁ ସାବଧାନ। ଘର ଛାଡ଼ି ଯାଉଥିଲେ ରୁହନ୍ତୁ ସଜାଗ। ଆପଣଙ୍କ ଧନ ସମ୍ପତ୍ତି ଉପରେ ପଡିପାରେ ଲୁଟେରାଙ୍କ ନଜର । ପୋଲିସ ଦୋଷ ନଦେଇ ନିଜେ ସୁରକ୍ଷିତ ରହିବା ଦିଗରେ ସଚେତନ କଲେ କମିଶନର । ଇନ୍ଫୋସିଟି ଥାନା ଠାରୁ ମାତ୍ର ଶହେ ମିଟର ଦୂର ପଥରଗାଡ଼ିଆ ରୋଡରେ ଥିବା ଏ ହେଉଛି ରାଜବାଟିକା କମ୍ପ୍ଲେକ୍ସ ଆପାର୍ଟମେଣ୍ଟ । ଆଉ ଏ ହେଉଛି ଅକ୍ଟୋବର ୧୫ ତାରିଖ ରାତିର ସିସିଟିଭି ଭିଜୁଆଲ । ଖାକିକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆପାର୍ଟମେଣ୍ଟର ୩ ଟି ଫ୍ଲାଟ ନମ୍ବର H2 , I4, G4ରୁ ପାଖାପାଖି ୫ କୋଟି ଟଙ୍କାର ଆସବାବପତ୍ର ଲୁଟ କରିଥିଲେ ଲୁଟେରା । କାହାର ଝିଅ ବାହାଘର ପାଇଁ ସୁନା ଥିଲା ତ ଆଉ କାହାର ଜମି କିଣିବା ପାଇଁ ଥିବା ଟଙ୍କାକୁ ବ୍ୟାଗରେ ଭର୍ତ୍ତି କରି ଲୁଟି ନେଇଥିଲେ ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ପୋଲିସ, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ଛାନଭିନ ଚଳାଇଥିଲେ ସୁଧା ଫଳ ଶୂନ ।

ଗତ ମାସକରେ କେବଳ ରାଜବାଟୀକା ଆପାର୍ଟମେଣ୍ଟ ନୁହଁ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରେ କଳାକନା ବୁଲାଇଛନ୍ତି ଲୁଟେରା । ସିକ୍ୟୁରିଟି ଗାର୍ଡ ଓ ସିସିଟିଭିକୁ ସେମାନଙ୍କ ଖାତିର ନାହିଁ  । କେବଳ ପୋଲିସକୁ ଦୋଷ ନଦେଇ ଲୋକେ ନିଜେ ସଚେତନ ହୁଅନ୍ତୁ । ଘର ଛାଡ଼ି ବାହାରକୁ ଯିବା ବେଳେ ଅଜଣା ଲୋକଙ୍କୁ ନଜଣାଇବା ସହ ସୋସିଆଲ ମିଡିଆରେ ଫଟୋ ଆସିବା ପର୍ଯ୍ୟନ୍ତ ପୋଷ୍ଟ ନକରିବା ପାଇଁ ଟୁଇନ ସିଟି ବାସୀଙ୍କୁ ସଚେତନ କରିଛନ୍ତି ପୋଲିସ କମିଶନର।