ଆଠଗଡ଼: ବାବା ଧବଳେଶ୍ବରଙ୍କ ପୀଠରେ ଚାଲିଛି ପଞ୍ଚୁକ ବ୍ରତ । ବାବାଙ୍କ ପାଖରେ ଲାଗି ହୋଇଛି ପ୍ରସିଦ୍ଧ ଗଜ ଭୋଗ । ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ୧୦୮ ସୁବାସିତ ଜଳ ଆଣି ସ୍ନାନ କରାଯାଇ ଖେଚୁଡି ଭୋଗ ଓ ଘର୍ଷଣ ପରେ ମହାସ୍ନାନ କରାଯାଇ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇଥିଲା । ଏହାପରେ ଗଜଭୋଗ ଲାଗି କରା ଯାଇଥିଲା। ପୂଜକଙ୍କ ପରିବାର ପକ୍ଷରୁ ଚାଉଳ, ମୁଗ, ଗୁଡ, ନଡିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣର ଏହି ଗଜଭୋଗ ପ୍ରସ୍ତୁତି କରାଯାଇଥାଏ । ଏହି ଗଜ ଭୋଗକୁ ପାଇବା ପାଇଁ ଭକ୍ତ ବର୍ଷ ତମାମ ଅପେକ୍ଷା କରି ରହିଥାଏ ।
କେରଳରେ ମ୍ୟୁଜିକ୍ କନସର୍ଟ ବେଳେ ଦଳାଚକଟା, ୪ ଛାତ୍ରଙ୍କ ମୃତ୍ୟୁ
କୋଚି: କେରଳର କୋଚିରେ ବଡ଼ ଧରଣର ଅଘଟଣ । କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଆୟୋଜିତ ମ୍ୟୁଜିକ୍ କନସର୍ଟରେ ଦଳାଚକଟା । ଦଳାଚକଟାରେ ୪ ଛାତ୍ରଙ୍କ ମୃତ୍ୟୁ । ଏକାଧିକ ଛାତ୍ରଛାତ୍ରୀ ଆହତ ।
ଘଟଣା ସମ୍ପର୍କରେ ସୂଚନା ଦେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ନିଖିତା ଗାନ୍ଧୀଙ୍କ ସଂଗୀତ ସମାରୋହ ସମୟରେ ଏହି ଅଘଟଣ ଘଟିଛି । ବିଶ୍ୱବିଦ୍ୟାଳୟ ପରିସରରେ ଖୋଲା ଆକାଶ ଅଡିଟୋରିୟମରେ ସଂଗୀତ କନସର୍ଟ ଆୟୋଜିତ ହୋଇଥିଲା । ଆହତଙ୍କ ଚିକିତ୍ସା ପାଇଁ କଲାମାସେରି ମେଡିକାଲ କଲେଜରେ ବ୍ୟବସ୍ଥା କରାଯାଇଛି । ନିଖିତା ଗାନ୍ଧୀଙ୍କ ସଂଗୀତ ସମାରୋହ ଚାଲିଥିବା ବେଳେ ଯେଉଁ ଛାତ୍ରମାନେ ପଛରେ ଛିଡ଼ା ହୋଇ ମ୍ୟୁଜିକ ଶୁଣୁଥିଲେ ହଠାତ୍ ବର୍ଷା ହେବାରୁ ସେମାନେ ସବୁ ଷ୍ଟେଜ୍ ଫ୍ରଣ୍ଟକୁ ଦଉଡିବାକୁ ଲାଗିଲେ । ଏଥିପାଇଁ ଦଳଚକଟା ହୋଇଥିବା ସୂଚନା ମିଳିଛି ।
ଝିଅ ସ୍ମୃତିରେ ବାପା ନିର୍ମାଣ କରୁଛନ୍ତି ଫିଲ୍ମ ‘ବୈଶାଳୀ ମ୍ୟାଡାମ୍’
ସୋର: ଜଣେ ଯୁବତୀଙ୍କ ସତ କାହାଣୀକୁ ନେଇ ଆସୁଛି ଏକ ଓଡ଼ିଆ ଫିଲ୍ମ । ଝିଅର ସ୍ମୃତିରେ ଫିଲ୍ମ ନିର୍ମାଣ କରୁଛନ୍ତି ତାଙ୍କ ବାପା । ଫିଲ୍ମର ନାଁ ରହିଛି ‘ବୈଶାଳୀ ମ୍ୟାଡାମ୍’ । ଜଣେ ଝିଅର ଜୀବନ ସଂଘର୍ଷକୁ ନେଇ ଫିଲ୍ମଟି ଆଗକୁ ବଢ଼ିଛି ।
ସୂଚନା ଅନୁସାରେ ଝିଅର ସ୍ମୃତିକୁ ତାଜା ରଖିବା ପାଇଁ ଏହି ଫିଲ୍ମ ନିର୍ମାଣ କରୁଛନ୍ତି ବାଲେଶ୍ୱର ଅଞ୍ଚଳର ଶ୍ରୀନାଥ ରଣା । ଶ୍ରୀନାଥଙ୍କର ଦୁଇ ଝିଅଙ୍କ ମଧ୍ୟରୁ ପ୍ରଥମ ଝିଅର ବାହାଘର ହୋଇଯାଇଛି । ଦ୍ୱିତୀୟ ଝିଅ ବୈଶାଳୀ ପରିବାରର ସମସ୍ତ ଦାୟିତ୍ବ ନେଇଥିଲେ । ସଂଘର୍ଷ କରି ବାହାନଗା ହାଇସ୍କୁଲରେ ଶିକ୍ଷୟିତ୍ରୀ ହୋଇଥିଲେ । ଶିକ୍ଷକତା ସହିତ ସମାଜସେବାରେ ନିୟୋଜିତ ଥିଲେ । ପୁଅ ଭଳି ପରିବାରର ସମସ୍ତ ଦାୟିତ୍ବ ନେଉଥିଲେ ବୈଶାଳୀ । ବୈଶାଳୀଙ୍କ ପାଇଁ ସବୁ କିଛି ଥିଲା ତାଙ୍କ ପରିବାର । ଏହାରି ଭିତରେ ରୋଗରେ ପଡ଼ିଛନ୍ତି ବୈଶାଳୀ ଓ ତାଙ୍କର ୨୭ ମାର୍ଚ୍ଚ ୨୦୨୨ରେ ମୃତ୍ୟୁ ଘଟିଛି । ଏହାପରେ ଶ୍ରୀନାଥ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଆଉ ଝିଅର ଏହି ସ୍ମୃତିକୁ ସାଇତି ରଖିବା ସହ ଝିଅର ତ୍ୟାଗକୁ ଅନ୍ୟଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ‘ବୈଶାଳୀ ମ୍ୟାଡାମ୍’ ।
ଗୋଟିଏ ଝିଅ ତା’ ବାପାମାଆଙ୍କ ପାଇଁ କେତେ ଜରୁରୀ ଫିଲ୍ମରେ ଆପଣ ଦେଖି ପାରିବେ । ଫିଲ୍ମରେ ଝିଅମାନଙ୍କ ତ୍ୟାଗ ଦେଖି ଆପଣଙକ ଆଖିରେ ବି ପାଣି ଆସିଯିବ । ସିନେମାର ଶୁଭ ମହୁରତ ବାହାନଗା ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି ।
ହନ୍ତାଳଗୁଡା ଘାଟି ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା
ଭୁବନେଶ୍ବର: ମାଲକାନଗିରି ହନ୍ତାଳଗୁଡା ଘାଟି ଦୁର୍ଘଟଣାର ସମସ୍ତ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ଘୋଷଣା । ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ଘୋଷଣା କରାଯାଇଛି ।
ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାରେ ଆହତ ୮ ଜଣଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତାହତ ସମସ୍ତ ଶ୍ରମିକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳରେ ।

