ଝିଅ ସ୍ମୃତିରେ ବାପା ନିର୍ମାଣ କରୁଛନ୍ତି ଫିଲ୍ମ ‘ବୈଶାଳୀ ମ୍ୟାଡାମ୍‌’

ସୋର: ଜଣେ ଯୁବତୀଙ୍କ ସତ କାହାଣୀକୁ ନେଇ ଆସୁଛି ଏକ ଓଡ଼ିଆ ଫିଲ୍ମ । ଝିଅର ସ୍ମୃତିରେ ଫିଲ୍ମ ନିର୍ମାଣ କରୁଛନ୍ତି ତାଙ୍କ ବାପା । ଫିଲ୍ମର ନାଁ ରହିଛି ‘ବୈଶାଳୀ ମ୍ୟାଡାମ୍’ । ଜଣେ ଝିଅର ଜୀବନ ସଂଘର୍ଷକୁ ନେଇ ଫିଲ୍ମଟି ଆଗକୁ ବଢ଼ିଛି ।

ସୂଚନା ଅନୁସାରେ ଝିଅର ସ୍ମୃତିକୁ ତାଜା ରଖିବା ପାଇଁ ଏହି ଫିଲ୍ମ ନିର୍ମାଣ କରୁଛନ୍ତି ବାଲେଶ୍ୱର ଅଞ୍ଚଳର ଶ୍ରୀନାଥ ରଣା । ଶ୍ରୀନାଥଙ୍କର ଦୁଇ ଝିଅଙ୍କ ମଧ୍ୟରୁ ପ୍ରଥମ ଝିଅର ବାହାଘର ହୋଇଯାଇଛି । ଦ୍ୱିତୀୟ ଝିଅ ବୈଶାଳୀ ପରିବାରର ସମସ୍ତ ଦାୟିତ୍ବ ନେଇଥିଲେ । ସଂଘର୍ଷ କରି ବାହାନଗା ହାଇସ୍କୁଲରେ ଶିକ୍ଷୟିତ୍ରୀ ହୋଇଥିଲେ । ଶିକ୍ଷକତା ସହିତ ସମାଜସେବାରେ ନିୟୋଜିତ ଥିଲେ । ପୁଅ ଭଳି ପରିବାରର ସମସ୍ତ ଦାୟିତ୍ବ ନେଉଥିଲେ ବୈଶାଳୀ । ବୈଶାଳୀଙ୍କ ପାଇଁ ସବୁ କିଛି ଥିଲା ତାଙ୍କ ପରିବାର । ଏହାରି ଭିତରେ ରୋଗରେ ପଡ଼ିଛନ୍ତି ବୈଶାଳୀ ଓ ତାଙ୍କର ୨୭ ମାର୍ଚ୍ଚ ୨୦୨୨ରେ ମୃତ୍ୟୁ ଘଟିଛି । ଏହାପରେ ଶ୍ରୀନାଥ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଆଉ ଝିଅର ଏହି ସ୍ମୃତିକୁ ସାଇତି ରଖିବା ସହ ଝିଅର ତ୍ୟାଗକୁ ଅନ୍ୟଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ‘ବୈଶାଳୀ ମ୍ୟାଡାମ୍’ ।

ଗୋଟିଏ ଝିଅ ତା’ ବାପାମାଆଙ୍କ ପାଇଁ କେତେ ଜରୁରୀ ଫିଲ୍ମରେ ଆପଣ ଦେଖି ପାରିବେ । ଫିଲ୍ମରେ ଝିଅମାନଙ୍କ ତ୍ୟାଗ ଦେଖି ଆପଣଙକ ଆଖିରେ ବି ପାଣି ଆସିଯିବ । ସିନେମାର ଶୁଭ ମହୁରତ ବାହାନଗା ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି ।