୨୬/୧୧ ମୁମ୍ବାଇ ଆକ୍ରମଣ: ମନେ ପଡ଼ିଲେ ଆଜି ବି ଶିହରୀ ଉଠେ ଛାତି

1 min read

ଭୁବନେଶ୍ବର: ୨୬/୧୧ ଟେରର ଆଟାକ୍ । ୧୫ ବର୍ଷ ତଳେ ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ରଚିଥିଲେ ତାଣ୍ଡବ । ମୁମ୍ବାଇର ଛାତି ଥରାଇ ଦେଇଥିଲେ ୧୦ ଆତଙ୍କବାଦୀ । ସମୁଦ୍ର ପଥ ଦେଇ ପାକିସ୍ତାନରୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ଏହି ସଦସ୍ୟ । ନଭେମ୍ବର ୨୬ରୁ ୨୯ ମଧ୍ୟରେ ମୁମ୍ବାଇର ୧୨ଟି ଜାଗାରେ ବମିଂ ଓ ଗୁଳିମାଡ଼ ହୋଇଥିଲା । ଶତ୍ରୁଦେଶର ଯୋଜନା ସମ୍ପର୍କରେ ସାମାନ୍ୟ ସୁରାକ ପାଇପାରି ନଥିଲା ଭାରତୀୟ ଗୁଇନ୍ଦା ।

୪ ଦିନ ଧରି ରକ୍ତର ଖେଳ, ଗୁଳିଗୋଳା ମାଡ, ବୋମା ବିସ୍ଫୋରଣରେ ଥରି ଉଠିଥିଲା ମାୟାନଗରୀ । ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହୋଇଥିଲା ଆକ୍ରମଣ । ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରଲେଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ ।

ଏହି ଆକ୍ରମଣରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୩ ଶହରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ୯ ଆତଙ୍କବାଦୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ ବର୍ଷୀୟ ପାକିସ୍ତାନୀ ଆତଙ୍କବାଦୀ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଟେରର ଆଟାକ ବେଳେ ୮୦ ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶି ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ୨୧ ନଭେମ୍ବର ୨୦୧୨ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।