ହତ୍ୟା ପରେ ମହିଳାଙ୍କୁ ୩୧ ଖଣ୍ଡ କରି ପୋତିଥିଲା ଅଭିଯୁକ୍ତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମୁରୁମଡିହି ଜଙ୍ଗଲରେ ମହିଳାଙ୍କୁ ହତ୍ୟା କରି ପୋତିବା ଘଟଣାର ନୂଆମୋଡ । ମୃତଦେହ ମିଳିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ତଦନ୍ତକାରୀ ଟିମ୍ । କାରଣ ହତ୍ୟା ଥିଲା ଏତେ ନିର୍ମମ ଯେ ଜାଣିଲେ ଆପଣଙ୍କ ଶରୀର ଶିହରୀ ଉଠିବ । ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ହତ୍ୟା କରିବା ପରେ ୩୧ ଖଣ୍ଡ କରି ପୋତିଥିଲା ।

ଆଜି ତଦନ୍ତକାରୀ ଟିମ୍ ମହିଳାଙ୍କୁ ପୋତା ଯାଇଥିବା ସ୍ଥାନକୁ ଖୋଲିଥିଲେ । ଉଦ୍ଦେଶ୍ୟ ଥିଲା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆଗକୁ ବଢ଼ାଯିବ । ମୃତଦେହ ପୋତା ଯାଇଥିବା ସ୍ଥାନ ଖୋଳା ଯାଇଥିଲା ଓ ମୃତଦେହ ବି ମିଳିଥିଲା । ହେଲେ ସମସ୍ତଙ୍କ ବିଶ୍ବାସର ବାହାରେ ମୃତଦେହ ଗୋଟିଏ ଶରୀରରେ ମିଳି ନଥିଲା । ୩୧ ଖଣ୍ଡ ହୋଇ ମିଳିଥିଲା । ଅର୍ଥାତ, ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ମୃତଦେହକୁ ଖଣ୍ଡ ଖଣ୍ଡ କରି ୩୧ ପିସ୍ କରିଥିଲା । ଏହାପରେ ତାକୁ ମାଟିରେ ପୋତି ଦେଇଥିଲା ।

ମୃତ ମହିଳା ଜଣଙ୍କ ତିଲାବାଈ ଗଣ୍ଡ ବୋଲି ଜଣାପଡ଼ିଛି । ପ୍ରେମ ବ୍ୟାପାରରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଏକ ଦମ୍ପତିଙ୍କୁ ଅଟକ ରଖିଛି । ମୃତଦେହ ମିଳିବା ପରେ ରାଇଘର ଏସଡିପିଓ  ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।