ଟନେଲ ଟ୍ରାଜେଡି: ଶ୍ରମିକଙ୍କ ଉଦ୍ଧାରରେ ଲାଗିପାରେ ସମୟ, ବଡ଼ଦିନ ପୂର୍ବରୁ ସମସ୍ତେ ଫେରିବେ

ଉତ୍ତରକାଶୀ: ଉତ୍ତରକାଶୀ ଟନେଲ ଟ୍ରାଜେଡିକୁ ନେଇ ବଡ଼ ସୂଚନା । ଆନ୍ତର୍ଜାତିକ ଟନେଲ ବିଶେଷଜ୍ଞ ଆର୍ଣ୍ଣୋଲଡ ଡିକ୍ସ କହିଲେ, ବଡ଼ଦିନ ପୂର୍ବରୁ ସମସ୍ତ ଶ୍ରମିକ ସୁରକ୍ଷିତ ଘରକୁ ଫେରିବେ । ତେବେ ତାଙ୍କ ବୟାନକୁ ନେଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି । ଆର୍ଣ୍ଣୋଲଡ ବଡ଼ଦିନକୁ ନିଜ ବୟାନରେ ସାମିଲ କରିଥିବାରୁ ଏବେ ପ୍ରଶ୍ନ ଉଠୁଛି କ’ଣ ଆହୁରି ମାସେ ଲାଗିବ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ?

ଟନେଲ ଭିତରେ ୧୪ ଦିନ ହେଲା ଶ୍ରମିକମାନେ ଫସି ରହିଥିବା ବେଳେ କେବେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ତାକୁ ନେଇ କାହା ପାଖରେ କିଛି ସୂଚନା ନାହିଁ । ଏମିତି ସ୍ଥିତିରେ ସାରା ଦେଶରେ ଏକ ପ୍ରକାର ହତାଶା ଭାବ ଖେଳି ଯାଇଥିବା ବେଳେ ଟନେଲରେ ଡ୍ରିଲିଂ କରିବାକୁ ଯାଇଥିବା ଅଗର ମେସିନ ଅକାମୀ ହୋଇଯାଇଛି । ଫଳରେ ଏବେ ଅଗର ମେସିନ ବଦଳରେ ଆସନ୍ତାକାଲିଠାରୁ ଶ୍ରମିକମାନଙ୍କ ଜରିଆରେ ଖନନ କାମ କରାଯିବ । ସେପଟେ ଭର୍ଟିକଲ ଡ୍ରିଲିଂ କରାଯିବ । ସୁଡଙ୍ଗ ଉପରୁ ଏହି ଡ୍ରିଲିଂ କରାଯିବ । ଏଥିପାଇଁ ସୁଡଙ୍ଗ ଉପରକୁ ଖନନ ସରଞ୍ଜାମ ନିଆଯାଉଛି ।

ସୂଚନାଯୋଗ୍ୟ, ହରାଇଜେଣ୍ଟାଲ ଖନନରେ ପ୍ରାୟ ୪୮ ମିଟର ଖୋଳା ସରିଥିଲା । ଆଉ ମାତ୍ର ବାକି ରହି ଯାଇଥିଲା ୧୦ ମିଟର । ଯାହା ଦିନେ କି ଦୁଇଦିନ ମଧ୍ୟରେ ଶେଷ କରାଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି ସମସ୍ତେ ଆଶା ରଖିଥିଲେ । ହେଲେ ଅଗର ମେସିନ ମେଟାଲ କାଟିବାରେ ବିଫଳ ହେବା ପରେ ଏବେ ସ୍ଥିତି ପୁଣି ପୂର୍ବ ପରି ସନ୍ଦେହ ଘେରକୁ ଚାଲିଯାଇଛି ।

ସେପଟେ ଶ୍ରମିକଙ୍କୁ ପାଇପ ଯୋଗେ କିପରି ବାହାର କରାଯିବ ଏ ନେଇ ଅଭ୍ୟାସ କରିଛନ୍ତି ଏନଡିଆରଏଫ ଟିମ । ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟ ଦେଇ ଷ୍ଟ୍ରେଚରରେ ଶ୍ରମିକଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ଏଥିରେ ଜଣେ ଜଣେ କରି ଶ୍ରମିକଙ୍କୁ ବାହାରକୁ ଅଣାଯିବ ।