spot_img
Home Blog Page 2482

ଆଖି ବୁଜିଲେ ‘CID’ ଫେମ୍ ଦିନେଶ ଫଡନିସ୍

ମୁମ୍ବାଇ: ଶେଷରେ ଆଖି ବୁଜିଲେ ‘CID’ ଫେମ୍ ଦିନେଶ ଫଡନିସ୍ । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ଦିନେଶଙ୍କ ମୃତ୍ୟୁ ଖବର ତାଙ୍କ ଫ୍ୟାନଙ୍କୁ ଶକ୍ତ ଧକ୍କା ଦେଇଛି ।

ଦିନେଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଗତ ରବିବାରଠୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିବା ସୂଚନା ମିଳିଥିଲା । କିନ୍ତୁ ପରେ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ତାଙ୍କ ଲିଭର ସଂକ୍ରମଣ ହୋଇ ପୁରାପୁରି ନଷ୍ଟ ହୋଇଯାଇଛି । ବହୁ ଦିନରୁ ଦିନେଶ ଅସୁସ୍ଥ ଥିଲାବେଳେ ତାଙ୍କର ଅର୍ଗାନ ଫେଲିୟର ହେବା ଯୋଗୁ ତାଙ୍କୁ ବଞ୍ଚାଇ ରଖିବା କଷ୍ଟକର ହୋଇପଡ଼ିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।

ରାତି ପ୍ରାୟ ୧୨ଟା ବେଳେ ଦିନେଶ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବୋଲି ‘CID’ରେ ତାଙ୍କ କୋ ଆକ୍ଟର ଦୟାନନ୍ଦ ସେଟ୍ଟି ସୂଚନା ଦେଇଛନ୍ତି । ଆଜି ମୁମ୍ବାଇରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଶେଷକୃତ୍ୟ ବେଳେ CIDର ପୂରା ଷ୍ଟାରକାଷ୍ଟ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ସୋନି ଟିଭିରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରିୟ ସିରିଏଲ CID ଲୋକଙ୍କ ମନ ଜିଣିଥିଲା । ଏଥିରେ ଫ୍ରେଡ଼ି ଚରିତ୍ରରେ ଅଭିନୟ କରିଥିଲେ ଦିନେଶ । CID ଟେଲିକାଷ୍ଟ ବନ୍ଦ ହୋଇଯିବା ପରେ ଅଭିନୟ ଦୁନିଆରୁ ଗାଏବ ହୋଇଯାଇଥିଲେ ଦିନେଶ ।  ଏହା ପରେ ସେ ମରାଠୀ ଫିଲ୍ମର ସ୍କ୍ରିପ୍ଟ ରାଇଟର ହୋଇଥିଲେ । ଏବେ ଦିନେଶଙ୍କ ମୃତ୍ୟୁ ଖବର ଟିଭି ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।

ବାତ୍ୟା ପ୍ରଭାବରେ ଚେନ୍ନାଇରେ ବ୍ୟାପକ କ୍ଷତି

ଚେନ୍ନାଇ: ଚେନ୍ନାଇରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ବାତ୍ୟା ମିଗଜୋମ୍। ପ୍ରବଳ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ପ୍ରବଳ ବର୍ଷା ପାଇଁ ୪ଜିଲ୍ଲା ଚେନ୍ନାଇ, କାଞ୍ଚିପୁରମ୍, ଥିଉଭେଲର ଓ ଚେଙ୍ଗାଲପେଟରେ ଆସନ୍ତାକାଲି ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ବର୍ଷା ବିତ୍ପାତରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ବିମାନବନ୍ଦର ରନଓ୍ବେରେ ପାଣି ପଶିବାରୁ ବିମାନ ଚଳାଚଳ ବନ୍ଦ ଥିଲା ।

ମଙ୍ଗଳବାର ଏୟାରପୋର୍ଟରେ ପାଣି କମିବା ପରେ ବିମାନ ଚଳାଚଳ ଆରମ୍ଭ ହୋଇଛି। ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ରେସକ୍ୟୁ ଅପରେସନ ଜୋରଦାର କରାଯାଇଛି । ଉପକୂଳ ଅଞ୍ଚଳରେ ୫ହଜାରରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ ଓ ଏସଡିଆରଏଫ ଯବାନ ମୁତୟନ ହୋଇଛନ୍ତି । ରାଜ୍ୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ପାଖରେ ୫ହଜାର କୋଟି ଟଙ୍କା ଅନୁଦାନ ଦାବି କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ । ଏପଟେ ଭୁବନେଶ୍ବରରୁ ଚେନ୍ନାଇକୁ ବାତିଲ ହୋଇଥିବା ବିମାନ ଖୁବଶୀଘ୍ର ସ୍ବାଭାବିକ ହେବ ବୋଲି କହିଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ।

କ’ଣ ହେବ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ପଦକ୍ଷେପ?

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ବୈଠକ ସ୍ଥଗିତ । ମେଣ୍ଟ ମଧ୍ୟରେ ମତଭେଦ ଓ ମନାନ୍ତରରୁ ବୈଠକ ସ୍ଥଗିତ ରହିଛି। ବୁଧବାର ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକରେ ୩ ଦଳର ନେତା ଯୋଗ ଦେବାକୁ ଅସନ୍ତୋଷ ପ୍ରକାଶ କରିବାରୁ ଘୁଞ୍ଚିଲା ବୈଠକ । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟର ବୈଠକ ଆସନ୍ତାକାଲି ହେବାର ଥିଲା। ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୈଠକରେ ଯୋଗ ଦେବାକୁ ଅସନ୍ତୋଷ ପ୍ରକାଶ କରିବାକୁ ବୈଠକ ସ୍ଥଗିତ ରହିଛି। ଟିଏମସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି ହେବାକୁ ଥିବା ବୈଠକରେ ଯୋଗ ଦେବେନି ବୋଲି ଖୋଲାଖୋଲି କହିଥିଲେ।

ନିକଟରେ ଶେଷ ୫ ରାଜ୍ୟ ନିର୍ବାଚନରେ ସିଟ ଆବଣ୍ଟନ ଠିକରେ ହୋଇଥିଲେ ଇଣ୍ଡିଆ ମେଣ୍ଟର ବିଜୟ ହୋଇଥାନ୍ତା ବୋଲି କହିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଏହା ଇଣ୍ଡିଆ ମେଣ୍ଟର ହାର ନୁହେଁ କଂଗ୍ରେସର ହାର ବୋଲି କହିଛନ୍ତି ମମତା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ମେଣ୍ଟର ପ୍ରତିଷ୍ଠାତା ହୋଇଥିବାବେଳେ ସେ ମଧ୍ୟ ଏହି ବୈଠକରେ ଯୋଗ ଦେବେନି ବୋଲି କହିଛନ୍ତି । ସେହିପରି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏବେ ପରିଣାମ ଆସିଯାଇଥିବାବେଳେ ଅହଂକାର ମଧ୍ୟ ଶେଷ ହୋଇଗଲା । ଆସନ୍ତା ଦିନରେ ପୁଣିଥରେ ନୂଆ ସମାଧାନର ବାଟ ବାହାରିବ ବୋଲି କହିଛନ୍ତି ଅଖିଳେଶ। ହିନ୍ଦି ଭାଷାଭାଷୀ ରାଜ୍ୟରେ କଂଗ୍ରେସର ଜବରଦସ୍ତ ପରାଜୟ ପରେ ଇଣ୍ଡିଆ ମେଣ୍ଟରେ ଏହି ମତାନ୍ତର ଦେଖାଦେଇଛି ।

ବସ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ: ପୁଣି ପ୍ରଥମାଷ୍ଟମୀରେ ଆସିଲା ଦୁଃଖଦ ଖବର। ଭାରସାମ୍ୟ ହରାଇ ଗଛରେ ଧକ୍କା ହେଲା ବସ । ଘଟଣାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ଥାଇଲାଣ୍ଡର ପଶ୍ଚିମ ପ୍ରାନ୍ତର ପ୍ରଚୁଆପ ଖିରି ଖାନରେ ସୋମବାର ମଧ୍ୟରାତ୍ରିରେ ଘଟିଛି । ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ଘଟଣା ସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହେବା ସାଙ୍ଗକୁ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହିତ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ଘଟଣା ତଦନ୍ତ କରୁଛି ସ୍ଥାନୀୟ ପୋଲିସ। ଏକାସଙ୍ଗେ ୧୪ ଜଣଙ୍କ ମୃତ୍ୟୁ ବେଶ ଦୁଃଖ ଆଣି ଦେଇଛି । ଦୁର୍ଘଟଣାସ୍ଥଳ ଯେ କେହି ବି ଦେଖିବ ଛାତି ଥରି ଉଠିବ।

କର୍ମଚାରୀଙ୍କୁ ଦରମା ଦେବାକୁ ଘର ବନ୍ଧା ପକାଇଲେ ବାଇଜୁସ୍ ମାଲିକ

ନନ୍ଦିଘୋଷ ବ୍ୟୁରୋ: କାଙ୍ଗାଳ ହୋଇଗଲା କି ବାଇଜୁସ୍ ? ଦେଶର ସବୁଠୁ ବଡ଼ ଏଜୁକେସନ ପ୍ଲାଟଫର୍ମ ବାଇଜୁସ ପାଖରେ ଏବେ ନାହିଁ ଟଙ୍କା । କମ୍ପାନୀ ଏତେ କାଙ୍ଗାଳ ହୋଇଗଲା ଯେ, ଏହାର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନଙ୍କ ପାଖରେ ଟଙ୍କା ନାହିଁ । ଏମିତିକି ସ୍ଥିତି ଏପରି ହୋଇଛି ଯେ, ସେ ତାଙ୍କ କର୍ମଚାରୀଙ୍କୁ ଟଙ୍କା ଦେବା ପାଇଁ ଘର ବନ୍ଧା ପକାଇଛନ୍ତି । ଜାଣନ୍ତୁ କ’ଣ ରହିଛି ପୂରା ଘଟଣା ।

ଏକ ରିପୋର୍ଟରେ କୁହାଯାଇଛି ଯେ, ବାଇଜୁସ କର୍ମଚାରୀଙ୍କ ଦରମା ଏବେ ଅଟକି ରହିଛି । କମ୍ପାନୀ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କର୍ମଚାରୀମାନେ ଟଙ୍କା ପାଇ ନଥିବାରୁ ବାଇଜୁ ରବିନ୍ଦ୍ରନ୍ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘର ବନ୍ଧା ପକାଇଛନ୍ତି । ଯାହା ଟଙ୍କା ଆସିବ ସେ ସବୁ ସେ କର୍ମଚାରୀଙ୍କୁ ଦରମା ଆକାରରେ ଦେବେ ବୋଲି କୁହାଯାଇଛି ।

ବେଙ୍ଗାଲୁରୁରେ ତାଙ୍କର ଦୁଇଟି ଘର ରହିଛି ଏବଂ ଆଉ ଗୋଟେ ଭିଲ୍ଲା ତିଆରି ଚାଲିଛି । ଏହି ୩ ଘରକୁ ସେ ୧୨ ମିଲିୟନ ଡଲାର ଋଣ ନେବା ପାଇଁ ବନ୍ଧା ପକାଇଛନ୍ତି । ଚଳିତ ମାସ ଏହି ଟଙ୍କାରୁ ସେ ପ୍ରାୟ ୧୫ ହଜାର କର୍ମଚାରୀଙ୍କୁ ଦରମା ଦେବେ ବୋଲି କୁହାଯାଇଛି । ତେବେ ଏ ନେଇ ବାଇଜୁ ମାଲିକ କିମ୍ବା ତାଙ୍କ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

 

ଆରମ୍ଭ ହୋଇସାରିଛି ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକ୍ରିୟା , ନଜର ପକାନ୍ତୁ କ’ଣ ରହିଛି ଅପଡେଟ୍

ଭୁବନେଶ୍ବର: ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ। ମଛଲିପଟନମ ରାଡ଼ାରରୁ ଏନେଇ ସୂଚନା ମିଳିଛି। ଆସନ୍ତା ୩ଘଣ୍ଟା ମଧ୍ୟରେ ସରିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଉଁଛି ମିଗଜୋମ୍ । ମଙ୍ଗଳବାର ସନ୍ଧ୍ୟା ଭିତରେ ଦୁର୍ବଳ ହେବ ବାତ୍ୟା । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୨୦ କିଲୋମିଟର ରହିବା ବେଳେ ପରେ ପବନର ବେଗ କମି ୫୦ରୁ ୬୦ କିଲୋମିଟର ରହିବ । ବାତ୍ୟାକୁ ନେଇ ଆନ୍ଧ୍ର ସହ ଚେନ୍ନାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଲ୍ୟାଣ୍ଡଫଲ ସମୟରେ ଦେଢ ମିଟର ଉଚ୍ଚର ଲହଡ଼ି ସୃଷ୍ଟି ହେବା ଆଶଙ୍କା ରହିଛି । ବାତ୍ୟା ମିଗଜୋମ ବାପଟଲା ଓ କ୍ରିଷ୍ଣା ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବା ଆଂଶକା କରାଯାଉଛି । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶର ୮ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପଟଲା. କ୍ରିଷ୍ଣା, ୱେଷ୍ଟ ଗୋଦାବରୀ, କୋନାସିମା ଏବଂ କାକିନାଡା ଜିଲ୍ଲାରେ ସତର୍କତା ଜାରି କରାଯାଇଛି । ଉପକୂଳ ଅଂଚଳରେ ୧୪୪ ଧାରା ଲଗାଯାଇଛି । ଆନ୍ଧ୍ରପ୍ରଦେଶରେ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି ।

ଜାଣନ୍ତୁ ମିଜୋରାମର ସର୍ବ କନିଷ୍ଠ ବିଧାୟିକାଙ୍କ ସମ୍ପର୍କରେ ଅଜଣା କଥା

ନୂଆଦିଲ୍ଲୀ: ଯେତେବେଳେ ତାଙ୍କୁ ଟିକେଟ୍ ଦିଆଯାଇଥିଲା । ସୋସିଆଲ ମିଡିଆରେ ମଜା ଉଡ଼ାଇଥିଲେ ଲୋକେ। କହିଥିଲେ ଏହା ରାଜନୀତି ମଇଦାନ, ଫ୍ୟାସନ ସୋ ନୁହେଁ । ମନୋରଞ୍ଜନ ଏବଂ ଫ୍ୟାସନ କରୁଥିବା କେହି ଜଣେ ନିର୍ବାଚନ ଲଢ଼ିବାକୁ ଆସିଛି । ସେ କେବେ ମଧ୍ୟ ଜିତି ପାରିବେ ନାହିଁ । ସୋସିଆଲ ମିଡିଆରେ ତାଙ୍କୁ ଅନେକ ଟ୍ରୋଲ ମଧ୍ୟ କଲେ । କିନ୍ତୁ ଶେଷରେ ନିର୍ବାଚନରେ ବହୁ ସଂଖ୍ୟାରେ ଜିତି ସମାଲୋଚକଙ୍କ ମୁହଁକୁ ବନ୍ଦ କରି ଦେଇଛନ୍ତି । ମିଜୋରାମର ସର୍ବକନିଷ୍ଠ ବିଧାୟିକା ବେରିଲ ବତ୍ରୋଇହସଙ୍ଗୀ । ଯିଏକି ZMP ପକ୍ଷରୁ ଲଢ଼ି ନିର୍ବାଚନ ଜିତି ବେଶ ଚର୍ଚ୍ଚାରେ ରହିଛନ୍ତି । ସୋମବାର ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ବିଜୟ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ମନୋରଞ୍ଜନ ଦୁନିଆରୁ ଆସିଥିବା ବେରିଲଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ କିଛି ଅଜଣା କଥା ।

ସିଲଙ୍ଗର ହିଲ ୟୁନିଭରସିଟିରେ ସାମ୍ବାଦିକତା ସାରିବା ପରେ ରେଡିଓ ଜକିଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଉ ତାଙ୍କ ମିଠା ଭଏସ ଶ୍ରୋତାଙ୍କ ମନ ମୋହିଥିଲା । ଯାହାଦ୍ବାରା ସେ ଲୋକପ୍ରିୟତା ହାସଲ କରିଥିଲେ । ଏହାପରେ ରାଜନୈତିକ କ୍ୟାରିୟର କଥା ଯଦି କହିବା ତାହେଲେ ସେ ପ୍ରଥମେ ପୌର ନିର୍ବାଚନରେ ପ୍ରାର୍ଥୀ ହୋଇ ରାଜେନୖତିକ ମଇଦାନରେ ପାଦ ଥାପିଥିଲେ । ଆଉ କର୍ପୋରେଟର ହୋଇ ଜନସାଧାରଣଙ୍କ ପାଇଁ କାମ କରିଥିଲେ । କିନ୍ତୁ ଯେତେବେଳେ ସାଧାରଣ ନିର୍ବାଚନରେ ZMP ତାଙ୍କୁ ଟିକେଟ ଦେଇଥିଲା ସୋସିଆଲ ମିଡିଆରେ ତାଙ୍କୁ ବହୁ ସମାଲୋଚନା କରାଯାଇଥିଲା । ମଜା ଉଡ଼ାଇବା ସହ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଇଥିଲେ । କିନ୍ତୁ ସେ ଏହାକୁ କର୍ଣ୍ଣପାତ ନକରି ପ୍ରଚାର କରିଥିଲେ । ଏହାସହ ନିଜର ରାଜନୈତିକ କ୍ୟାରିୟରକୁ ବେରିଲ କୁହନ୍ତି କି, ରାଜନୀତିରେ ପ୍ରବେଶ କରିବା ମୋ ପାଇଁ ସହଜ ନଥିଲା ।

ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦିଆଯାଉନଥିବାବେଳେ ଘରର ଚାରିକାନ୍ଥ ହିଁ ଆମ ଦୁନିଆ ବୋଲି ପିଲାଦିନରୁ ଶିଖା ଯାଇଥିଲା । କିନ୍ତୁ ଏହାକୁ ଅତିକ୍ରମ କରି ରାଜନୀତି ମଇଦାନରେ ପ୍ରବେଶ କରି ବିଧାୟିକାଭାବେ ଜିତିବାର ଯାତ୍ରା ବେଶ କଷ୍ଟସାଧ୍ୟ । ମିଜୋରାମରେ ଜିତିଥିବା ୩ଜଣ ମହିଳା ବିଧାୟିକା ମଧ୍ୟରେ ସେ ଜଣେ । ମହିଳାଙ୍କ ପାଇଁ ରାଜ୍ୟରେ ବହୁ କଡ଼ା ନୀତି ନିୟମ ସାଙ୍ଗକୁ ପ୍ରତିବନ୍ଧକ ରହୁଥିବାବେଳେ ଏହି ବିଜୟ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଛନ୍ତି ବରେଲି । ଯେତେବେଳେ ସେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଥିଲେ ସେ ଭାଙ୍ଗ ପଡ଼ିନଥିଲେ । ଦୃଢ଼ ମନୋବଳ ସହ ନିର୍ବାଚନ ଲଢ଼ି ବିଜୟ ହାସଲ କରି ବିଧାନସଭାରେ ପ୍ରବେଶ କରିଥିବାବେଳେ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

 

ଆୟୁଷ ହସ୍ପିଟାଲଗୁଡ଼ିକର ହେବ ନବକଳେବର, ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା

ଭୁବନେଶ୍ବର: ଆୟୁଷ ହସ୍ପିଟାଲଗୁଡ଼ିକର ହେବ ନବକଳେବର। ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା । ନୂତନ ଗୃହ ନିର୍ମାଣ ଓ ପୁରୁଣା ମରାମତି ପାଇଁ ରିପୋର୍ଟ ଦିଆସରିଛି । ଯଥାଶୀଘ୍ର କାର୍ଯ୍ୟ ସରିବ ବୋଲି ଆୟୁଷ ନିର୍ଦ୍ଦେଶାଳର ନିର୍ଦ୍ଦେଶିକ ପ୍ରେମଜିତ ନାୟକ ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ସ୍କ୍ୱାଡ୍‌ ସମସ୍ତ ଆୟୁଷ ଡିସ୍ପେନ୍ସାରି ପରିଦର୍ଶନ କରି ଆୟୁଷ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ ।  ଯାହା ଅଭାବ ରହିଛି, ତାହା ପୂରଣ କରାଯିବ । ଡାକ୍ତର, ସହାୟକ ଓ  ଅନ୍ୟ କର୍ମଚାରୀ ନିୟମିତ ଆସୁଛନ୍ତି ନା ନାହିଁ, ତାହା ଅନୁଧ୍ୟାନ କରିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ ହୋଇଛି । ଓଡ଼ିଶା ପବ୍ଲିକ୍‌ ସର୍ଭିସ କମଶନ କମିଶନ ଜରିଆରେ ୨୨୧ ଆୟୁଷ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଆୟୁଷ ନିର୍ଦ୍ଦେଶାଳର ନିର୍ଦ୍ଦେଶିକ ପ୍ରେମଜିତ ନାୟକ ସୂଚନା ଦେଇଛନ୍ତି ।

ହତ୍ୟା ନାଁ ଆତ୍ମହତ୍ୟା? ପ୍ରେମିକା ଘରୁ ଉଦ୍ଧାର ହେଲା ପ୍ରେମିକର ମୃତଦେହ

ଭୁବନେଶ୍ବର: ପୁଣି ରାଜଧାନୀରେ ଚାଞ୍ଚଲ୍ୟ । ପ୍ରେମିକା ଘରୁ ଉଦ୍ଧାର ହେଲା ପ୍ରେମିକଙ୍କ ମୃତଦେହ। ରାଜଧାନୀ ଭୁବନେଶ୍ବର ଧଉଳି ଥାନା ଶିଶୁପାଳଗଡ଼ରୁ ଆସିଛି ଏଭଳି ଖବର। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଯୁବକ ଜଣକ ହେଲେ ପପୁନି ସ୍ବାଇଁ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର । ସେ ରଙ୍ଗ ମିସ୍ତ୍ରୀଭାବେ କାମ କରୁଥିବାବେଳେ ଶିଶୁପାଳଗଡ଼ରେ ରହୁଥିଲେ । ଦୀର୍ଘଦିନ ହେବ ପ୍ରେମ କରୁଥିବାବେଳେ ସେ ପ୍ରେମିକାଙ୍କ ଘରକୁ ଯାଉଥିଲେ । ସୋମବାର ବିଳମ୍ବିତ ରାତିରେ ତାଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥା ମୃତଦେହ ଉଦ୍ଧାର ମୃତଦେହ ଉଦ୍ଧାର ହୋଇଛି । ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଧଉଳି ଥାନା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 

କୁଆଡେ ଗଲେ ଶ୍ରମିକ? ବାହାନଗା ଷ୍ଟେସନକୁ ବଗି କାଟିବାକୁ ଆସିଥିବା ଶ୍ରମିକ ନିଖୋଜ

ସୋର: ବାହାନଗା ଷ୍ଟେସନରେ ଅଘଟଣ। ଟ୍ରେନ ଦୁର୍ଘଟଣା ପରେ ବଗି ଗୁଡିକ କାଟିବା ପାଇଁ ଆସିଥିବା ଜଣେ ଶ୍ରମିକ ଘଟଣା ସ୍ଥଳରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ଆସିଛି। ଗତ ଅକ୍ଟୋବର ୨୮ତାରିଖରେ ରେଳଡ଼ବା କାଟିବା ପାଇଁ ବିହାର ମୁଙ୍ଗେର ଜିଲ୍ଲା ରତନପୁର ଗାଁର ସଦନନ୍ଦ ଗୁପ୍ତାଙ୍କ ବଡ଼ ପୁଅ ଅଜୟ ଗୁପ୍ତା,ସାନପୁଅ ବିଟୋ ଗୁପ୍ତା ଉଭୟ ବାହାନଗା ଆସିଥିଲେ।  ଦୁଇ ଭାଇ କାମ କରୁଥିବା ଵେଳେ  ହଠାତ ଗତ ୮ ତାରିଖରୁ ସାନ ଭାଇ ବିଟୋକୁ ପାଉନାହାନ୍ତି । ସେ କେଉଁଆଡ଼େ ଚାଲିଗଲେ ସେ ତାଙ୍କୁ ପାଉନଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅଜୟ ।

ଅଭିଯୋଗ ପରେ ବିଟୋକୁ ପାଇବା ପାଇଁ ଵିଭିନ୍ନ ସ୍ଥାନ ଖୋଜାଖୋଜି କରୁଛି ପୋଲିସ । କିନ୍ତୁ ଏଯାବତ ବିଟୋଙ୍କ ପତ୍ତା ମିଳୁନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ନିଖୋଜ ବିଟୋକୁ ନପାଇ  ଦୁଃଖରେ ଭାଙ୍ଗି ପଡିଛନ୍ତି ଵଡ଼ଭାଇ । ଭଙ୍ଗାରୁଜା ରେଳଵଗି କାଟିବାକୁ ଆସି ଶ୍ରମିକ ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖ ଆଣି ଦେଇଛି। ଏହି ବଡ଼ ଟ୍ରେନ ଦୁର୍ଘଟଣାର ଦୁଃଖ ଆଜି ମଧ୍ୟ ଲୋକଙ୍କ ମନରୁ ଲିଭିନଥିବାବେଳେ ପୁଣି ଜଣେ ଶ୍ରମିକ ନିଖୋଜ ଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେ କେଉଁଆଡ଼େ ଯାଇଛନ୍ତି କିମ୍ବା କିଛି ଅଘଟଣ ଘଟିଛି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।