ବାତ୍ୟା ପ୍ରଭାବରେ ଚେନ୍ନାଇରେ ବ୍ୟାପକ କ୍ଷତି

ଚେନ୍ନାଇ: ଚେନ୍ନାଇରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ବାତ୍ୟା ମିଗଜୋମ୍। ପ୍ରବଳ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ପ୍ରବଳ ବର୍ଷା ପାଇଁ ୪ଜିଲ୍ଲା ଚେନ୍ନାଇ, କାଞ୍ଚିପୁରମ୍, ଥିଉଭେଲର ଓ ଚେଙ୍ଗାଲପେଟରେ ଆସନ୍ତାକାଲି ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ବର୍ଷା ବିତ୍ପାତରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ବିମାନବନ୍ଦର ରନଓ୍ବେରେ ପାଣି ପଶିବାରୁ ବିମାନ ଚଳାଚଳ ବନ୍ଦ ଥିଲା ।

ମଙ୍ଗଳବାର ଏୟାରପୋର୍ଟରେ ପାଣି କମିବା ପରେ ବିମାନ ଚଳାଚଳ ଆରମ୍ଭ ହୋଇଛି। ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ରେସକ୍ୟୁ ଅପରେସନ ଜୋରଦାର କରାଯାଇଛି । ଉପକୂଳ ଅଞ୍ଚଳରେ ୫ହଜାରରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ ଓ ଏସଡିଆରଏଫ ଯବାନ ମୁତୟନ ହୋଇଛନ୍ତି । ରାଜ୍ୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ପାଖରେ ୫ହଜାର କୋଟି ଟଙ୍କା ଅନୁଦାନ ଦାବି କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ । ଏପଟେ ଭୁବନେଶ୍ବରରୁ ଚେନ୍ନାଇକୁ ବାତିଲ ହୋଇଥିବା ବିମାନ ଖୁବଶୀଘ୍ର ସ୍ବାଭାବିକ ହେବ ବୋଲି କହିଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ।