କର୍ମଚାରୀଙ୍କୁ ଦରମା ଦେବାକୁ ଘର ବନ୍ଧା ପକାଇଲେ ବାଇଜୁସ୍ ମାଲିକ

ନନ୍ଦିଘୋଷ ବ୍ୟୁରୋ: କାଙ୍ଗାଳ ହୋଇଗଲା କି ବାଇଜୁସ୍ ? ଦେଶର ସବୁଠୁ ବଡ଼ ଏଜୁକେସନ ପ୍ଲାଟଫର୍ମ ବାଇଜୁସ ପାଖରେ ଏବେ ନାହିଁ ଟଙ୍କା । କମ୍ପାନୀ ଏତେ କାଙ୍ଗାଳ ହୋଇଗଲା ଯେ, ଏହାର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନଙ୍କ ପାଖରେ ଟଙ୍କା ନାହିଁ । ଏମିତିକି ସ୍ଥିତି ଏପରି ହୋଇଛି ଯେ, ସେ ତାଙ୍କ କର୍ମଚାରୀଙ୍କୁ ଟଙ୍କା ଦେବା ପାଇଁ ଘର ବନ୍ଧା ପକାଇଛନ୍ତି । ଜାଣନ୍ତୁ କ’ଣ ରହିଛି ପୂରା ଘଟଣା ।

ଏକ ରିପୋର୍ଟରେ କୁହାଯାଇଛି ଯେ, ବାଇଜୁସ କର୍ମଚାରୀଙ୍କ ଦରମା ଏବେ ଅଟକି ରହିଛି । କମ୍ପାନୀ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କର୍ମଚାରୀମାନେ ଟଙ୍କା ପାଇ ନଥିବାରୁ ବାଇଜୁ ରବିନ୍ଦ୍ରନ୍ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘର ବନ୍ଧା ପକାଇଛନ୍ତି । ଯାହା ଟଙ୍କା ଆସିବ ସେ ସବୁ ସେ କର୍ମଚାରୀଙ୍କୁ ଦରମା ଆକାରରେ ଦେବେ ବୋଲି କୁହାଯାଇଛି ।

ବେଙ୍ଗାଲୁରୁରେ ତାଙ୍କର ଦୁଇଟି ଘର ରହିଛି ଏବଂ ଆଉ ଗୋଟେ ଭିଲ୍ଲା ତିଆରି ଚାଲିଛି । ଏହି ୩ ଘରକୁ ସେ ୧୨ ମିଲିୟନ ଡଲାର ଋଣ ନେବା ପାଇଁ ବନ୍ଧା ପକାଇଛନ୍ତି । ଚଳିତ ମାସ ଏହି ଟଙ୍କାରୁ ସେ ପ୍ରାୟ ୧୫ ହଜାର କର୍ମଚାରୀଙ୍କୁ ଦରମା ଦେବେ ବୋଲି କୁହାଯାଇଛି । ତେବେ ଏ ନେଇ ବାଇଜୁ ମାଲିକ କିମ୍ବା ତାଙ୍କ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।