କ’ଣ ହେବ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ପଦକ୍ଷେପ?

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ବୈଠକ ସ୍ଥଗିତ । ମେଣ୍ଟ ମଧ୍ୟରେ ମତଭେଦ ଓ ମନାନ୍ତରରୁ ବୈଠକ ସ୍ଥଗିତ ରହିଛି। ବୁଧବାର ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକରେ ୩ ଦଳର ନେତା ଯୋଗ ଦେବାକୁ ଅସନ୍ତୋଷ ପ୍ରକାଶ କରିବାରୁ ଘୁଞ୍ଚିଲା ବୈଠକ । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟର ବୈଠକ ଆସନ୍ତାକାଲି ହେବାର ଥିଲା। ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୈଠକରେ ଯୋଗ ଦେବାକୁ ଅସନ୍ତୋଷ ପ୍ରକାଶ କରିବାକୁ ବୈଠକ ସ୍ଥଗିତ ରହିଛି। ଟିଏମସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି ହେବାକୁ ଥିବା ବୈଠକରେ ଯୋଗ ଦେବେନି ବୋଲି ଖୋଲାଖୋଲି କହିଥିଲେ।

ନିକଟରେ ଶେଷ ୫ ରାଜ୍ୟ ନିର୍ବାଚନରେ ସିଟ ଆବଣ୍ଟନ ଠିକରେ ହୋଇଥିଲେ ଇଣ୍ଡିଆ ମେଣ୍ଟର ବିଜୟ ହୋଇଥାନ୍ତା ବୋଲି କହିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଏହା ଇଣ୍ଡିଆ ମେଣ୍ଟର ହାର ନୁହେଁ କଂଗ୍ରେସର ହାର ବୋଲି କହିଛନ୍ତି ମମତା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ମେଣ୍ଟର ପ୍ରତିଷ୍ଠାତା ହୋଇଥିବାବେଳେ ସେ ମଧ୍ୟ ଏହି ବୈଠକରେ ଯୋଗ ଦେବେନି ବୋଲି କହିଛନ୍ତି । ସେହିପରି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏବେ ପରିଣାମ ଆସିଯାଇଥିବାବେଳେ ଅହଂକାର ମଧ୍ୟ ଶେଷ ହୋଇଗଲା । ଆସନ୍ତା ଦିନରେ ପୁଣିଥରେ ନୂଆ ସମାଧାନର ବାଟ ବାହାରିବ ବୋଲି କହିଛନ୍ତି ଅଖିଳେଶ। ହିନ୍ଦି ଭାଷାଭାଷୀ ରାଜ୍ୟରେ କଂଗ୍ରେସର ଜବରଦସ୍ତ ପରାଜୟ ପରେ ଇଣ୍ଡିଆ ମେଣ୍ଟରେ ଏହି ମତାନ୍ତର ଦେଖାଦେଇଛି ।