ଆଖି ବୁଜିଲେ ‘CID’ ଫେମ୍ ଦିନେଶ ଫଡନିସ୍

1 min read

ମୁମ୍ବାଇ: ଶେଷରେ ଆଖି ବୁଜିଲେ ‘CID’ ଫେମ୍ ଦିନେଶ ଫଡନିସ୍ । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ଦିନେଶଙ୍କ ମୃତ୍ୟୁ ଖବର ତାଙ୍କ ଫ୍ୟାନଙ୍କୁ ଶକ୍ତ ଧକ୍କା ଦେଇଛି ।

ଦିନେଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଗତ ରବିବାରଠୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିବା ସୂଚନା ମିଳିଥିଲା । କିନ୍ତୁ ପରେ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ତାଙ୍କ ଲିଭର ସଂକ୍ରମଣ ହୋଇ ପୁରାପୁରି ନଷ୍ଟ ହୋଇଯାଇଛି । ବହୁ ଦିନରୁ ଦିନେଶ ଅସୁସ୍ଥ ଥିଲାବେଳେ ତାଙ୍କର ଅର୍ଗାନ ଫେଲିୟର ହେବା ଯୋଗୁ ତାଙ୍କୁ ବଞ୍ଚାଇ ରଖିବା କଷ୍ଟକର ହୋଇପଡ଼ିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।

ରାତି ପ୍ରାୟ ୧୨ଟା ବେଳେ ଦିନେଶ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବୋଲି ‘CID’ରେ ତାଙ୍କ କୋ ଆକ୍ଟର ଦୟାନନ୍ଦ ସେଟ୍ଟି ସୂଚନା ଦେଇଛନ୍ତି । ଆଜି ମୁମ୍ବାଇରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଶେଷକୃତ୍ୟ ବେଳେ CIDର ପୂରା ଷ୍ଟାରକାଷ୍ଟ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ସୋନି ଟିଭିରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରିୟ ସିରିଏଲ CID ଲୋକଙ୍କ ମନ ଜିଣିଥିଲା । ଏଥିରେ ଫ୍ରେଡ଼ି ଚରିତ୍ରରେ ଅଭିନୟ କରିଥିଲେ ଦିନେଶ । CID ଟେଲିକାଷ୍ଟ ବନ୍ଦ ହୋଇଯିବା ପରେ ଅଭିନୟ ଦୁନିଆରୁ ଗାଏବ ହୋଇଯାଇଥିଲେ ଦିନେଶ ।  ଏହା ପରେ ସେ ମରାଠୀ ଫିଲ୍ମର ସ୍କ୍ରିପ୍ଟ ରାଇଟର ହୋଇଥିଲେ । ଏବେ ଦିନେଶଙ୍କ ମୃତ୍ୟୁ ଖବର ଟିଭି ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।